ସଙ୍କଟରେ ସୁରଟ ଓଡ଼ିଆଙ୍କ ଚାକିରି, ହୋଇପାରନ୍ତି ଛଟେଇ

ଭୁବନେଶ୍ୱର: ସୁରଟ, ଭାରତର ମିନି ଓଡିଶା । ରଙ୍ଗୀନ ଶାଢ଼ୀରେ ଏଠି ଓଡ଼ିଆଟିଏ ସ୍ବପ୍ନ ସଜାଡ଼େ, ଘର ପାଇଁ ଢେର ରୋଜଗାର ବି କରେ । କିନ୍ତୁ ସୁରଟ ଉପରେ ଏବେ ଆର୍ଥିକ ମାନ୍ଦାବସ୍ଥାର ବଡ ପ୍ରଭାବ ପଡ଼ିବାକୁ ଯାଉଛି | କାରଣ ଦେଶର ଏବେ ଏକ ତୃତୀୟାଂଶ କପା ଉତ୍ପାଦନ ବନ୍ଦ ହୋଇସାରିଲାଣି | ଯେଉଁ ସବୁ କପା ଶିଳ୍ପ ଚାଲୁରହିଛି ବହୁ କ୍ଷତିର ସାମ୍ନା କରିବାକୁ ପଡୁଛି | ଉତ୍ତର ଭାରତ ଟେକ୍ସଟାଇଲ ମିଲସ ଆସୋସିଏସନର କହିବା ମୁତାବକ କେନ୍ଦ୍ରର ଜିଏସଟି ଓ ଅନ୍ୟ କିଛି କାରଣ ଯୋଗୁଁ ଏପ୍ରିଲ-ଜୁନ ସୁଦ୍ଧା ଉତ୍ପାଦନ ହାର ୫୦ ପ୍ରତିଶତ କମିଯାଇଛି |

ସ୍ଥିତି ଏମିତି ହୋଇଛି ଯେ ତୁଳା କିଣିବାକୁ କିଛି ମିଲ ମାଲିକଙ୍କ ପାଖରେ ଅର୍ଥ ମଧ୍ୟ ନାହିଁ | ଏଠାରେ ସୂଚନା ଥାଉ କି ଭାରତୀୟ ଟେକ୍ସଟାଇଲ ଶିଳ୍ପରେ ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବରେ ପ୍ରାୟ ୧୦ କୋଟି ଲୋକଙ୍କୁ ରୋଜଗାର ମିଳୁଛି | କିନ୍ତୁ ସ୍ଥିତି ଯଦି ଏଭଳି ଲାଗିରହେ ତେବେ ବହୁ ସଂଖ୍ୟାରେ ଲୋକ ନିଜ ଚାକିରି ହରାଇବେ | ସେହିପରି ଶ୍ରୀଲଙ୍କା, ବାଂଲାଦେଶ ଓ ଇଣ୍ଡୋନେସିଆ ଭଳି ଦେଶରୁ କମ ମୂଲ୍ୟରେ କପଡା ଆସୁଥିବାରୁ ଦେଶର ପ୍ରସ୍ତୁତ ହେଉଥିବା କପଡାର ଚାହିଦା କମିବାରେ ଲାଗିଛି | ଓଡିଶାରୁ ରୋଜଗାର ଆଶାରେ ଯେତେବେଳେ ଯୁବକଟିଏ ଚାଲିଆସିଥିଲା ସେତେବେଳେ ସୁରଟ ଆପଣେଇଥିଲା ।

Photo-bloombergquint_

ସୁରଟ ବୁଝିନଥିଲା କେଉଁ ରାଜ୍ୟର,କେଉଁ ଭାଷାର । ସୁରଟ ବୁଝିଥିଲା କୁଶଳୀ ହାତର ଚମତ୍କାରିତା । କିନ୍ତୁ ଦିନ ରାତି ଏକ କରି ପରିଶ୍ରମ କରୁଥିବା ଓଡ଼ିଆଟିଏ ବୁଝିଥାଏ ପରିବାର ମୁହଁରେ ହସ କେବଳ ସୁରଟ ଦେବ । କିନ୍ତୁ ଏହି ଆର୍ଥିକ ମାନ୍ଦାବସ୍ଥା ସୁରଟରେ ଥିବା ଓଡ଼ିଆଙ୍କ ଓଠରୁ ହସ ଲିଭାଇ ଦେବନି ତ ! ତାହା ହିଁ ଏବେ ବଡ ପ୍ରଶ୍ନ | ସୂଚନାଯୋଗ୍ୟ ଯେ ଗାଡ଼ି ବଜାରରେ ଦେଖାଦେଇଥିବା ସଙ୍କଟ ୫ ଲକ୍ଷରୁ ଅଧିକ କର୍ମଚାରୀଙ୍କ ଚାକିରି ପ୍ରତି ବିପଦ ସୃଷ୍ଟି କରିଛି। ବିଶେଷ କରି ବଡ଼ ଗାଡ଼ି କଂପାନିଗୁଡ଼ିକୁ ଛୋଟ ଛୋଟ ଯନ୍ତ୍ରାଂଶ ଯୋଗାଇ ଦେଉଥିବା ସଂସ୍ଥାଗୁଡ଼ିକରେ ଏହି ସବୁ କର୍ମଚାରୀ କାମ କରୁଛନ୍ତି। ଗାଡ଼ି ପାଇଁ ଯନ୍ତ୍ରାଂଶ ନିର୍ମାଣ କରୁଥିବା ସଂସ୍ଥାଗୁଡ଼ିକ ଆସନ୍ତା ତିନି ମାସରେ ୫ ଲକ୍ଷ କର୍ମଚାରୀଙ୍କୁ ଛଟେଇ କରିପାରନ୍ତି ବୋଲି କୁହାଯାଉଛି। ବଜାରରେ କାର୍ ଓ ବାଇକ୍ ବିକ୍ରି କମିବା ଦ୍ବାରା ସର୍ବାଧିକ ପ୍ରଭାବିତ ହୋଇଛନ୍ତି ଏହି ସବୁ ସଂସ୍ଥା।

ସମ୍ବନ୍ଧିତ ଖବର