ବ୍ରହ୍ମପୁର:‌ ସ୍ବାଧୀନତା ଆନ୍ଦୋଳନ, ଭାଷା ଆନ୍ଦୋଳନ ତଥା ସ୍ବତନ୍ତ୍ର ପ୍ରଦେଶ ଗଠନ କଥା ଉଠିଲେ ଗଞ୍ଜାମ ମାଟିର ବୀର ଚକରା ବିଷୋୟୀ, କବିସମ୍ରାଟ ଉପେନ୍ଦ୍ର ଭଞ୍ଜ, କବିସୂର୍ଯ୍ୟ ବଳଦେବ ରଥ, ବିଶ୍ବନାଥ ଦାଶଙ୍କ ପରି ମହାପୁରୁଷଙ୍କ କଥା ମନେ ପଡ଼େ। ଏପରିକି ସୁରତ ଗଲେ ଗଞ୍ଜାମ ଜିଲ୍ଲାରେ ଅଛି ଭଳି ଅନୁଭବ ହୁଏ। ଆଜି ଓଡ଼ିଶାର ଶ୍ରମଶକ୍ତିରେ ସୁରତର ଅର୍ଥନୀତିରେ ଚମକ ଆସିଛି। ବ୍ରହ୍ମପୁର ବିଶ୍ବବିଦ୍ୟାଳୟର ବିଜୁ ପଟ୍ଟନାୟକ ଅଡିଟୋରିୟମ୍‌ରେ ଆୟୋଜିତ ୨୬ତମ ସମାବର୍ତ୍ତନ ଉତ୍ସବରେ ମୁଖ୍ୟଅତିଥି ଭାବେ ଯୋଗଦେଇ ଏହା କହିଛନ୍ତି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ସେ କହିଲେ, ବିଶ୍ବବିଦ୍ୟାଳୟ ପାଇଁ ପିଏମ୍‌ ଉଷା ପାଣ୍ଠିରୁ ଶହେ କୋଟି ଟଙ୍କା ମଞ୍ଜୁର ହୋଇଛି। ସେହିପରି ରାଜ୍ୟ ଉଚ୍ଚଶିକ୍ଷା ବିଭାଗ ତରଫରୁ ପ୍ରାୟ ୭୫କୋଟି ଟଙ୍କା, ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା ବିଭାଗ ତରଫରୁ ୯କୋଟି ଟଙ୍କା ଦିଆଯାଇଛି। ଓଡ଼ିଶାର ବିକାଶ ପାଇଁ ବିଶ୍ବବିଦ୍ୟାଳୟ ପ୍ରୟୋଗଶାଳା ହେଉ ବୋଲି ସେ କହିଛନ୍ତି।

Advertisment

ବ୍ରହ୍ମପୁର ବିଶ୍ବବିଦ୍ୟାଳୟର ୨୬ତମ ସମାବର୍ତ୍ତନ ଉତ୍ସବ
ବିଶ୍ବବିଦ୍ୟାଳୟ ଭଲ ମଣିଷ ତିଆରି କରୁ: ରାଜ୍ୟପାଳ 
ତିନିଜଣଙ୍କୁ ସମ୍ମାନସୂଚକ ଡକ୍ଟରେଟ୍‌ ପ୍ରଦାନ

ଉତ୍ସବରେ ରାଜ୍ୟପାଳ ତଥା କୁଳାଧିପତି ଡ. ହରିବାବୁ କମ୍ଭମ୍‌ପାଟି ସଭାପତିତ୍ବ କରିଥିଲେ। ରାଜ୍ୟପାଳ କହିଲେ, ଶିକ୍ଷାକ୍ଷେତ୍ରରେ ବ୍ରହ୍ମପୁର ବିଶ୍ବବିଦ୍ୟାଳୟ ଦକ୍ଷିଣ ଓଡ଼ିଶାର ନେତୃତ୍ବ ନେଉଛି। ସାରା ବିଶ୍ବରେ ଭାରତ ପ୍ରଯୁକ୍ତିବିଦ୍ୟା, ଶିକ୍ଷା, ସ୍ବାସ୍ଥ୍ୟସେବା, ମହାକାଶ ଓ ପ୍ରତିରକ୍ଷା କ୍ଷେତ୍ରରେ ଆଗକୁ ବଢ଼ି ଚାଲିଛି। ବିଶ୍ବବିଦ୍ୟାଳୟ କେବଳ ଚାକିରି ପାଇଁ ଡିଗ୍ରିଧାରୀଙ୍କୁ ତିଆରି ନକରି ମାନବିକ ଓ ସାମାଜିକ ଦାୟିତ୍ବବୋଧକୁ ବୁଝୁଥିବା ଭଲ ମଣିଷ ତିଆରି କରୁ ବୋଲି କହିଥିଲେ। ସମ୍ମାନିତ ଅତିଥି ରାଜ୍ୟ ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ କହିଲେ ଯେ, ଡିଗ୍ରି ପାଇଥିବା ପ୍ରତ୍ୟେକ ଛାତ୍ରଛାତ୍ରୀ ଏ ଜାତି ଓ ମାଟିର ଗୌରବ ରକ୍ଷା କରନ୍ତୁ। ଏଥିରେ ବ୍ରହ୍ମପୁର ସାଂସଦ ଡ. ପ୍ରଦୀପ କୁମାର ପାଣିଗ୍ରାହୀ, ଆସିକା ସାଂସଦ ଅନିତା ଶୁଭଦର୍ଶିନୀ ଯୋଗ ଦେଇଥିଲେ। ପ୍ରାରମ୍ଭରେ କୁଳପତି ପ୍ରଫେସର ଗୀତାଞ୍ଜଳି ଦାଶ ବିବରଣୀ ପ୍ରଦାନ କରିଥିଲେ। କୁଳସଚିବ ସଚ୍ଚିଦାନନ୍ଦ ନାୟକ, ଚିକିଟି ବିଧାୟକ ମନୋରଂଜନ ଦ୍ୟାନସାମନ୍ତରା, ଛତ୍ରପୁର ବିଧାୟକ କୃଷ୍ଣଚନ୍ଦ୍ର ନାୟକ, ସୋରଡ଼ା ବିଧାୟକ ନୀଳମଣି ବିଷୋୟୀ, କବିସୂର୍ଯ୍ୟନଗର ବିଧାୟକ ପ୍ରତାପ ନାୟକ ମଧ୍ୟ ମଞ୍ଚାସୀନ ଥିଲେ। 

ମିଲେଟ୍ ଉତ୍ପାଦ ଓ ସଂରକ୍ଷଣ ଦିଗରେ ଉଲ୍ଲେଖନୀୟ ଅବଦାନ ପାଇଁ କୋରାପୁଟ ଜିଲ୍ଲାର ରାଇମତି ଘିଉରିଆ, ଆଣବିକ ବିଜ୍ଞାନ କ୍ଷେତ୍ରରେ ବିଶିଷ୍ଟ ବ୍ୟକ୍ତିତ୍ୱ ମୟୂରଭଞ୍ଜର ଡ. ଅଜିତ କୁମାର ମହାନ୍ତି ଏବଂ ମହାକାଶ ଓ ପ୍ରତିରକ୍ଷା ବିଜ୍ଞାନ କ୍ଷେତ୍ରରେ ବିଶେଷ ଅବଦାନ ପାଇଁ କେରଳର ଡ. ଟେସି ଥୋମାସ୍‌ଙ୍କୁ ବ୍ରହ୍ମପୁର ବିଶ୍ବବିଦ୍ୟାଳୟରୁ ସମ୍ମାନସୂଚକ ଡକ୍ଟରେଟ୍ ଉପାଧି ପ୍ରଦାନ କରାଯାଇଛି। ଡ. ରାଇମତିଙ୍କ ଅନୁପସ୍ଥିତିରେ ତାଙ୍କର ସ୍ବାମୀ ଗୋବିନ୍ଦ ଘିଉରିଆ ସମ୍ମାନ ଗ୍ରହଣ କରିଥିଲେ। ସମାବର୍ତ୍ତନ ଉତ୍ସବରେ ସମସ୍ତ ବିଭାଗର ଟପ୍ପର ୩୮ ଜଣ ଛାତ୍ରଛାତ୍ରୀଙ୍କୁ ସ୍ବର୍ଣ୍ଣ ପଦକ, ୫୨ ଜଣକୁ ପିଏଚ୍‌ଡି, ୪ ଜଣକୁ ଡିଲିଟ୍ ପ୍ରଦାନ କରାଯାଇଛି।