ଇବଥର୍ମାଲ: ମୁମ୍ବାଇରେ ଗତ ୧୯ ତାରିଖରୁ ୩ ଦିନ ଧରି ଅନୁଷ୍ଠିତ ମିସ୍‌ ଇଣ୍ଡିଆ-୨୦୨୧ ପ୍ରତିଯୋଗିତାରେ ଝାରସୁଗୁଡ଼ା ଜିଲ୍ଲା ଇବ୍‌ଥର୍ମାଲ୍‌ର ଝିଅ ସୁରଭି ବେହେରା ଭାଗ ନେଇ ‘ମିସ୍‌ ଇଣ୍ଡିଆ ସ୍ପେକ୍ଟାକୁଲାର୍‌’ ଟାଇଟଲ୍‌ ହାସଲ କରିଛନ୍ତି। ଶତାଧିକ ସୁନ୍ଦରୀଙ୍କୁ ନେଇ ଲୋନାୱଲାରେ ଅନୁଷ୍ଠିତ ଏହି ପ୍ରତିଯୋଗିତାରେ ଓଡ଼ିଶାରୁ ସୁରଭିଙ୍କୁ ମିଶାଇ ଦୁଇ ଜଣ ଭାଗ ନେଇଥିଲେ।

Advertisment

ସେଥିରୁ ଚୟନ ୧୦ ଜଣ ଶ୍ରେଷ୍ଠ ସୁନ୍ଦରୀଙ୍କ ମଧ୍ୟରେ ସୁରଭି ରହିଥିଲେ। ୨୧ ତାରିଖରେ ମୁମ୍ବାଇରେ ଅନୁଷ୍ଠିତ ଫାଇନାଲ୍‌ ରାଉଣ୍ଡରେ ସେ ଉପରୋକ୍ତ ଟାଇଟଲ୍‌ ହାସଲ କରି ଜିଲ୍ଲା ଓ ରାଜ୍ୟ ପାଇଁ ଗୌରବ ଆଣିଛନ୍ତି। ସୂଚନାଯୋଗ୍ୟ, ଗତ ଜାନୁଆରି ମାସରେ ଓଡ଼ିଶା ବ୍ୟୁଟି ଆସୋସିଏସନ୍ ଓ ଝାରସୁଗୁଡ଼ାର ବିଶ୍ବ ଗ୍ରୁପ୍ ମିଳିତ ଆନୁକୂଲ୍ୟରେ ଝାରସୁଗୁଡା ମେଘଦୁତ ହୋଟେଲରେ ଓଡ଼ିଶା ବ୍ୟୁଟି ଏକ୍ସପୋର ଚତୁର୍ଥ ସଂସ୍କରଣ ଅନୁଷ୍ଠିତ ହୋଇଥିଲା। ଏଥିରେ ସୁରଭି ଭାଗ ନେଇ ମିସ୍ ଓଡିଶା ବ୍ୟୁଟି ଏକ୍ସପୋ-୨୦୨୧ ଟାଇଟଲ୍‌ ହାସଲ କରିଥିଲେ।

ତାଙ୍କର ଏହି ସଫଳତା ପରେ ଇବଥର୍ମାଲ ସମେତ ସମଗ୍ର ଅଞ୍ଚଳରେ ଖୁସିର ଲହରି ଖେଳିଯାଇଛି। ବିଭିନ୍ନ ମହଲରୁ ତାଙ୍କୁ ପ୍ରଶଂସାର ସୁଅ ଛୁଟୁଛି। ସୁରଭି ଇବ୍‌ଥର୍ମାଲ ସ୍ଥିତ ଓପିଜିସିରେ କାର୍ଯ୍ୟରତ ରାଜକୁମାର ବେହେରା ଓ ବୀଣାପାଣିଙ୍କ ଝିଅ। ସେ ବରଗଡ଼ ବିକାଶ ସ୍କୁଲ ଅଫ୍ ବିଜିନେସ୍ ମ୍ୟାନେଜମେଣ୍ଟର ଛାତ୍ରୀ। ଛୋଟ ସମୟରୁ ସୁରଭିଙ୍କ ଏ ସବୁରେ ରୁଚି ଥିବା ବାପା ରାଜକୁମାର କହିଛନ୍ତି। ତାଙ୍କ ପୈତୃକ ଗ୍ରାମ ସମ୍ବଲପୁର ଜିଲ୍ଲା ଜମନକିରା ବ୍ଲକ ମୁଣ୍ଡହେନପାଲି ପଞ୍ଚାୟତ ଶର୍ଦ୍ଧାବାହାଲରେ ବୋଲି ଜଣାପଡ଼ିଛି।