ଏକତରଫା ପ୍ରେମର ପରିଣତି: ଆତ୍ମହତ୍ୟା କରିଥିଲେ ସୁରେଖା

ଭୁବନେଶ୍ବର: ଭରତପୁର ଥାନା ତାରିଣୀ ବସ୍ତିରେ ଘଟିଥିବା ସୁରେଖା ପଲେଇ ମୃତ୍ୟୁ ମାମଲାରେ ଯୁବତୀଙ୍କ ବୟଫ୍ରେଣ୍ଡ ଓ ତାଙ୍କର ଦୁଇ ସହଯୋଗୀଙ୍କୁ ଗିରଫ କରାଯାଇଛି। ଏହି ୩ ଜଣଙ୍କୁ ନୟାଗଡ଼ରୁ ଭରତପୁର ଥାନା ପୁଲିସ ଗିରଫ କରିଥିବା ଜଣାଯାଇଛି। ସୁରେଖା ପଲେଇଙ୍କୁ ହତ୍ୟା କରାଯାଇନଥିଲା, ବରଂ ସେ ଆତ୍ମହତ୍ୟା କରିଥିଲେ ବୋଲି ପୁଲିସ ପକ୍ଷରୁ ସୂଚନା ଦିଆଯାଇଛି। ବିଶ୍ଵଜିତ ଜେନାଙ୍କୁ ଏକତରଫା ପ୍ରେମ କରୁଥିଲେ ସୁରେଖା। ଏହାକୁ ନେଇ ସେଦିନ ରାତିରେ ଉଭୟଙ୍କ ମଧ୍ୟରେ କଥା କଟାକଟି ହୋଇଥିଲା । ସମସ୍ତେ ଖାଇ ସାରି ଶୋଇବା ପରେ ୩ ଜଣଙ୍କୁ ବାହାର ପଟୁ କବାଟ ଦେଇ ସୁରେଖା ବିଶ୍ଵଜିତଙ୍କ ଘରେ ଦଉଡ଼ି ଦେଇ ଆତ୍ମହତ୍ୟା କରିଥିଲେ। ଏହାପରେ ପ୍ରମାଣ ନଷ୍ଟ କରି ୩ ଜଣ ନୟାଗଡ଼ ପଳେଇ ଯାଇଥିଲେ ବୋଲି କହିଛି ପୁଲିସ।
ସୂଚନାଯୋଗ୍ୟ, ଶ୍ବାସରୁଦ୍ଧ ହେବାରୁ ସୁରେଖାଙ୍କ ମୃତ୍ୟୁ ଘଟିଥିବା ବ୍ୟବଚ୍ଛେଦ ରିପୋର୍ଟରୁ ଆପାତତଃ ସ୍ପଷ୍ଟ ହୋଇଛି। ମାତ୍ର ଶ୍ବାସରୁଦ୍ଧର କାରଣ ବାବଦରେ କିଛି ସ୍ପଷ୍ଟ ହୋଇନାହିଁ। ତେଣୁ ଶବ ବ୍ୟବଚ୍ଛେଦ କରିଥିବା ଭୁବନେଶ୍ବର ଏମ୍‌ସର ଏଫ୍‌ଏମ୍‌ଟି ବିଭାଗର ଏକ ଟିମ୍‌ ସୁରେଖାଙ୍କ ଭଡ଼ା ଘରକୁ ଆସି ତଦନ୍ତ କରି ଫେରିଛି। ଏହି ଟିମ୍‌ ସହିତ ପୁଲିସର ଫରେନ୍‌ସିକ୍ ଟିମ୍‌ ମଧ୍ୟ ସେଠାରେ ଉପସ୍ଥିତ ରହି ପୁଣି ଛାନ୍‌ଭିନ୍‌ କରିଛି।
ସୁରେଖାଙ୍କୁ ହତ୍ୟା କରାଯାଇଛି ବୋଲି ତାଙ୍କ ମା’ ଅଭିଯୋଗ କରିଛନ୍ତି। ସେହିଭଳି ସକାଳୁ ମୃତଦେହ ଜବତ ହେବା, ଭୋଜି କରୁଥିବା ପୁରୁଷବନ୍ଧୁ ବିଶ୍ଵଜିତ ଜେନା ଓ ତାଙ୍କ ସାଙ୍ଗମାନେ ରାତାରାତି ଅନ୍ତର୍ଦ୍ଧାନ ହୋଇଯିବା ଘଟଣାଗୁଡ଼ିକ ସନ୍ଦେହ ବଢ଼ାଇଥିଲା। ପାରିପାର୍ଶ୍ବିକ ପରିସ୍ଥିତି ସବୁ ସିଧାସଳଖ ଛୋଟୁ ଆଡ଼କୁ ଅଙ୍ଗୁଳି ନିର୍ଦ୍ଦେଶ କରିଥିଲା। ମାତ୍ର ଅଢ଼େଇ ଦିନ ବିତିବା ପରେ ବି ପୁଲିସ ଏହା ହତ୍ୟା କି ଆତ୍ମହତ୍ୟା ସ୍ପଷ୍ଟ କରୁନାହିଁ। ପୁଲିସର ଏହି ଅପରିପକ୍ବତା ଓ ଅପାରଗତା ତଦନ୍ତକୁ ନେଇ ମାଳମାଳ ପ୍ରଶ୍ନ ଉଠିଥିଲା। ବିଳମ୍ବିତ ରାତି ପର୍ଯ୍ୟନ୍ତ ଭୋଜି ଚାଲିଥିବାରୁ ଓ ବିଶ୍ଵଜିତ ଜେନା ଓ ତାଙ୍କ ସହଯୋଗୀମାନଙ୍କ ସହ ଭଡ଼ାଘର ଛାଡ଼ି ପଳାଇଥିବାରୁ ସେମାନଙ୍କୁ ସନ୍ଦେହ କରାଯାଉଥିଲା।

ସମ୍ବନ୍ଧିତ ଖବର