ଭୁବନେଶ୍ୱର : ଶେଷରେ ବିଜେପୁର ଉପନିର୍ବାଚନ ପୂର୍ବରୁ ଭାରତର ନିର୍ବାଚନ କମିସନ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ଡି ଏନ୍‌ ଗୁପ୍ତାଙ୍କୁ ହଟାଇ ଦେଇଛନ୍ତି। ତାଙ୍କ ସ୍ଥାନରେ ପରବର୍ତ୍ତୀ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ଭାବେ ୧୯୯୩ ମସିହାର ବରିଷ୍ଠ ଆଇଏଏସ୍‌ ଅଫିସର ସୁରେନ୍ଦ୍ର କୁମାରଙ୍କୁ ନିଯୁକ୍ତି ଦିଆଯାଇଛି। ଭାରତର ନିର୍ବାଚନ କମିସନ ଏ ସଂକ୍ରାନ୍ତ ନିଷ୍ପତ୍ତି ନେବା ସହିତ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ କରି ରାଜ୍ୟ ସରକାରଙ୍କୁ ଜଣାଇ ଦେଇଛନ୍ତି। ତୁରନ୍ତ ଶ୍ରୀ କୁମାରଙ୍କୁ ଦାୟିତ୍ୱରୁ ଅବ୍ୟାହତି ଦେଇ ନୂଆ ନିଯୁକ୍ତିରେ ଯୋଗଦେବାକୁ କୁହାଯାଇଛି।

Advertisment

ଶ୍ରୀ କୁମାର ଏବେ ଅନୁସୂଚିତ ଜାତି ଓ ଜନଜାତି କଲ୍ୟାଣ ବିଭାଗର ପ୍ରମୁଖ ଶାସନ ସଚିବ ଅଛନ୍ତି। ଏହା ସହିତ ସେ ସୂଚନା ଓ ଲୋକସଂପର୍କ ବିଭାଗର ପ୍ରମୁଖ ଶାସନ ସଚିବ ଭାବେ ଅତିରିକ୍ତ ଦାୟିତ୍ୱ ତୁଲାଉଛନ୍ତି।

ନିର୍ବାଚନ କମିସନଙ୍କ ଆଜିର ନିଷ୍ପତ୍ତି ପରେ ଆଇଏଏସ୍‌ ସ୍ତରରେ ପୁଣି ଏକ ଅଦଳବଦଳ କରାଯିବା ନେଇ କଳ୍ପନାଜଳ୍ପନା ପ୍ରକାଶ ପାଇଛି। କାରଣ ରାଜ୍ୟ ସରକାର ଡିଏନ୍‌ ଗୁପ୍ତାଙ୍କୁ ଏବେ ଅନ୍ୟତ୍ର ନିଯୁକ୍ତି ଦେବାକୁ ପଡିବ। ଏହା ସହିତ ଆଜି ୧୯୮୯ ବ୍ୟାଚ୍‌ ବରିଷ୍ଠ ଆଇଏଏସ୍‌ ଅପିସର ସି ଟିଏମ୍‌ ସୁଗୁଣା ମଧ୍ୟ ଅବସର ନେଇଛନ୍ତି। ସେ ଚକବନ୍ଦୀ କମିସନର ଭାବେ ଭୁବନେଶ୍ୱରରେ ଅବସ୍ଥାପିତ ଥିଲେ। ସେହିପରି ଓବିସି କମିସନର ପଦବିରେ ଥିବା ବିଶ୍ୱନାଥ ମଲ୍ଲିକ ଆଜି ଅବସର ନେଇଛନ୍ତି।

ଉଲ୍ଲେଖଯୋଗ୍ୟ, ଗତ ସପ୍ତାହରେ ଭାରତର ନିର୍ବାଚନ କମିସନ ରାଜ୍ୟ ନିର୍ବାଚନ ଅଧିକାରୀଙ୍କୁ ହଟାଇବା ସଂପର୍କରେ ରାଜ୍ୟ ସରକାରଙ୍କୁ ଜଣାଇଥିଲେ। ଏଥିସହିତ ପରବର୍ତୀ ରାଜ୍ୟ ନିର୍ବାଚନ ଅଧିକାରୀ ପଦବି ପାଇଁ ତିନି ଜଣ ଅଧିକାରୀଙ୍କ ନାମ ସୁପାରିସ କରିବାକୁ କୁହାଯାଇଥିଲା। ଏହି କ୍ରମରେ ରାଜ୍ୟ ସରକାର ସୁରେନ୍ଦ୍ର କୁମାରଙ୍କ ବ୍ୟତୀତ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗର ସଚିବ ବୀର ବିକ୍ରମ ଯାଦବ ଓ ଉତ୍ତରାଞ୍ଚଳ ଆର୍‌ଡିସି ଦାୟିତ୍ୱରେ ଥିବା ଡି ଭି ସ୍ୱାମୀଙ୍କ ନାମ ନିର୍ବାଚନ କମିସନଙ୍କ ବିଚାର ପାଇଁ ପଠାଇଥିଲେ।

ତେବେ କେଉଁ କାରଣ ପାଇଁ ଶ୍ରୀ ଗୁପ୍ତାଙ୍କୁ କମିସନ ହଟାଇଲେ, ତାହା ଏଯାଏ ଜଣାପଡିନାହିଁ। ବର୍ଷର ଚରିତ୍ର ପଞ୍ଜିକା ମଧ୍ୟ ନିର୍ବାଚନ କମିସନଙ୍କ ନିକଟକୁ ପଠାଯାଇଛି। ସୁରେନ୍ଦ୍ର କୁମାରଙ୍କ ବ୍ୟତୀତ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗର ସଚିବ ବୀର ବିକ୍ରମ ଯାଦବ ଓ ଉତ୍ତରାଞ୍ଚଳ ଆର୍‌ଡିସି ଦାୟିତ୍ୱରେ ଥିବା ଡି ଭି ସ୍ୱାମୀଙ୍କ ନାମ ନିର୍ବାଚନ କମିସନଙ୍କ ବିଚାର ପାଇଁ ଯାଇଥିଲା। ଉଭୟଙ୍କ ଚରିତ୍ର ପଞ୍ଜିକା ମଧ୍ୟ କମିସନଙ୍କ ପାଖକୁ ପଠାଯାଇଥିଲା।