ସୁରେନ୍ଦ୍ର ମହାନ୍ତିଙ୍କ ରାଜ୍ୟସ୍ତରୀୟ ଜୟନ୍ତୀ ସମାରୋହ

ସାଲେପୁର : ମାଟି ଓ ମଣିଷକୁ ଭଲପାଉଥିଲେ କଥା ସମ୍ରାଟ ସୁରେନ୍ଦ୍ର ମହାନ୍ତି। ତାହା ହିଁ ପ୍ରତିଫଳିତ ହେଉଥିଲା ତାଙ୍କ ସାହିତ୍ୟ କୃତିରେ। କିନ୍ତୁ ସାହିତ୍ୟ, ରାଜନୀତି ଓ ସାମ୍ବାଦିକତା ତ୍ରିଭୂଜର କେନ୍ଦ୍ରରେ ଥିବା ସୁରେନ୍ଦ୍ରଙ୍କ ସାହିତ୍ୟର ଉପଯୁକ୍ତ ମୂଲ୍ୟାୟନ ହୋଇପାରିନାହିଁ ବୋଲି କଥାସମ୍ରାଟଙ୍କ ରାଜ୍ୟସ୍ତରୀୟ ୯୭ତମ ଜୟନ୍ତୀ ସମାରୋହରେ ଯୋଗଦେଇ ବହୁ ବିଶିଷ୍ଟ ବ୍ୟକ୍ତି ମତବ୍ୟକ୍ତ କରିଛନ୍ତି। ଜନ୍ମମାଟି ସାଲେପୁରସ୍ଥିତ ପୁରୁଷୋତ୍ତମପୁର ଗ୍ରାମର ଶରଧାବାଲି ପଡ଼ିଆରେ କଥା ସମ୍ରାଟ ସୁରେନ୍ଦ୍ର ମହାନ୍ତିଙ୍କ ଜୟନ୍ତୀ ଉତ୍ସବ ଓଡ଼ିଶା ସାହିତ୍ୟ ଏକାଡ଼େମୀ, ସୁରେନ୍ଦ୍ର ମେମୋରିଆଲ୍‌ କ୍ଲବ୍‌ ଓ କଥା ସମ୍ରାଟ ସୁରେନ୍ଦ୍ର ମହାନ୍ତି ମେମୋରିଆଲ୍‌ ଟ୍ରଷ୍ଟ୍‌ର ମିଳିତ ସହଯୋଗରେ ଅନୁଷ୍ଠିତ ହୋଇଥିଲା। ସୁରେନ୍ଦ୍ର ମହାନ୍ତିଙ୍କ ସୁକନ୍ୟା ଲୋପାମୁଦ୍ରା ମହାନ୍ତିଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ଉତ୍ସବରେ ମୁଖ୍ୟ ଅତିଥିଭାବେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ପ୍ରମୁଖ ସଚିବ ମନୋରଞ୍ଜନ ପାଣିଗ୍ରାହୀ ଯୋଗଦେଇ ସୁରେନ୍ଦ୍ର ମହାନ୍ତିଙ୍କୁ ଓଡ଼ିଆ ସାହିତ୍ୟର ବିସ୍ମୟ ପୁରୁଷ ଓ ନୂତନ ଚେତନାର ସୂତ୍ରଧର ଭାବେ ବର୍ଣ୍ଣନା କରିଥିଲେ। ଗୋଡ଼ ଟଣାଟଣି ହୋଇ ନଥିଲେ ସେ ଜ୍ଞାନପୀଠ ପୁରସ୍କାର ପାଇଥାନ୍ତେ। ସମାରୋହରେ ମୁଖ୍ୟବକ୍ତା ଭାବେ ଓଡ଼ିଶା ସାହିତ୍ୟ ଏକାଡ଼େମୀ ସଚିବ ଜୟନ୍ତୀ ରଥ, ବିଶିଷ୍ଟ ଅତିଥିଭାବେ ଓଡ଼ିଶା ସାହିତ୍ୟ ଏକାଡ଼େମୀ ପୂର୍ବତନ ସଚିବ ରାଜକିଶୋର ମିଶ୍ର, ଗାଳ୍ପିକ ତଥା କବି ରାଜ୍ୟବର୍ଦ୍ଧନ ଧଳ ମହାପାତ୍ର, ସମ୍ମାନିତ ଅତିଥି ସୁରେନ୍ଦ୍ର ମହାନ୍ତି ଟ୍ରଷ୍ଟ୍‌ର ସଦସ୍ୟ ତଥା ଶିଳ୍ପପତି ପ୍ରବୋଧ କୁମାର ମହାନ୍ତି ଯୋଗ ଦେଇଥିଲେ। ଏହି ଅବସରରେ ଡକ୍ଟର ବାସୁଦେବ ଦାସଙ୍କୁ ସୁରେନ୍ଦ୍ର ସାରଥୀ ସମ୍ମାନ, ଡକ୍ଟର ରବିନାରାୟଣ ବେହେରାଙ୍କୁ ସୁରେନ୍ଦ୍ର ସଂସ୍କୃତି ସମ୍ମାନ, ଜିଲ୍ଲା ଶ୍ରମ ଅଧିକାରୀ ବନମାଳୀ ମହାପାତ୍ରଙ୍କୁ ସୁରେନ୍ଦ୍ର ସେବା ସମ୍ମାନ, ପୁଷ୍ପାଧଳ ମହାପାତ୍ରଙ୍କୁ ସ୍ୱୟଂସିଦ୍ଧା ସମ୍ମାନ ପ୍ରଦାନ କରାଯାଇଥିଲା।

ସମ୍ବନ୍ଧିତ ଖବର