ଭୁବନେଶ୍ବର: ‘‘ଓଡ଼ିଆ ଭାଷା, ସାହିତ୍ୟ, ସଂସ୍କୃତି, ଐତିହ୍ୟ, ଅସ୍ମିତାର ପ୍ରତୀକ ହେଉଛନ୍ତି କଥାକାର ସୁରେନ୍ଦ୍ର ମହାନ୍ତି। ତାଙ୍କୁ ଛାଡ଼ି ଓଡ଼ିଆ ସାହିତ୍ୟର ଯେକୌଣସି ବିଭାଗରେ କିଛି ଆଲୋଚନା ସମ୍ଭବ ନୁହେଁ।’’ ‘ସୁରେନ୍ଦ୍ର ରଚନା ସମଗ୍ର: ଗଳ୍ପ-୨’ ପୁସ୍ତକ ଉନ୍ମୋଚନ ଉତ୍ସବରେ ଯୋଗଦେଇ ସାହିତ୍ୟିକ ଦେବୀପ୍ରସନ୍ନ ପଟ୍ଟନାୟକ ଏହା କହିଛନ୍ତି। ସ୍ବର୍ଗତ ମହାନ୍ତିଙ୍କ ୧୦୨ତମ ଜୟନ୍ତୀ ଅବସରରେ ‘ଆମ ଓଡ଼ିଶା’ ପକ୍ଷରୁ ଚନ୍ଦ୍ରଶେଖରପୁରସ୍ଥିତ ରୋଜ୍ଉଡ୍ ହୋଟେଲରେ ଆୟୋଜିତ କାର୍ଯ୍ୟକ୍ରମରେ ସୁରେନ୍ଦ୍ର ମହାନ୍ତିଙ୍କ କନ୍ୟା ଲୋପାମୁଦ୍ରା ମହାନ୍ତି ଯୋଗଦେଇ ଓଡ଼ିଆ ସାହିତ୍ୟ ଜଗତକୁ ସୁରେନ୍ଦ୍ରଙ୍କ ଅବଦାନ ସମ୍ପର୍କରେ ଆଲୋକପାତ କରିଥିଲେ। ଏଥିସହ ସୁରେନ୍ଦ୍ରଙ୍କ ଦ୍ବାରା ରଚିତ ‘ନରୋତ୍ତମ ଚକଡ଼ା’କୁ ପୁଣିଥରେ ପ୍ରକାଶ କରିବାକୁ ପ୍ରସ୍ତାବ ରଖିଥିଲେ।
ଉତ୍ସବରେ ଅଧ୍ୟକ୍ଷତା କରି ‘ଆମ ଓଡ଼ିଶା’ ଅଧ୍ୟକ୍ଷ ସୌମ୍ୟରଞ୍ଜନ ପଟ୍ଟନାୟକ କହିଲେ, ‘‘ନରୋତ୍ତମ ଚକଡ଼ା’କୁ ସଂଗ୍ରହ କରି ତାହାକୁ ଓଡ଼ିଆ ପାଠକଙ୍କ ପାଇଁ ବଜାରରେ ଉପଲବ୍ଧ କରିବା ଏବଂ ଜଗନ୍ନାଥଙ୍କ ଉପରେ ସୁରେନ୍ଦ୍ର ବାବୁଙ୍କ ରଚିତ ଇଂରାଜୀ ପୁସ୍ତକକୁ ପୁଣିଥରେ ପ୍ରକାଶ ଦିଗରେ କାର୍ଯ୍ୟକ୍ରମ ହାତକୁ ନିଆଯିବ। ଜୀବନର ଶେଷ ସମୟରେ ସୁରେନ୍ଦ୍ର ବାବୁଙ୍କ ହାତ ଗୋଡ଼ କାମ କରୁ ନ ଥିଲେ ମଧ୍ୟ ମସ୍ତିଷ୍କ ଅତ୍ୟନ୍ତ ସମୃଦ୍ଧ ଥିଲା। ଶାରୀରିକ ଦୁର୍ବଳତାକୁ କେବେ ଦୁର୍ବଳତା ବୋଲି ସେ ଭାବି ନ ଥିଲେ। ନୂଆ ପିଢ଼ିର ଲୋକମାନେ ଛୋଟିଆ ଛୋଟିଆ କଥାକୁ ନେଇ ଭାଙ୍ଗି ପଡ଼ୁଛନ୍ତି। ମାତ୍ର ସୁରେନ୍ଦ୍ର ବାବୁଙ୍କ ନିକଟରେ ଆତ୍ମବିଶ୍ବାସ ଦେଖିବାକୁ ମିଳୁଥିଲା। ପ୍ରଧାନମନ୍ତ୍ରୀଙ୍କ ସମେତ ଓଡ଼ିଆ ନେତାମାନେ ଅସ୍ମିତା କଥା କହିବାକୁ ଆରମ୍ଭ କଲେଣି। ଏବେ ଭାଷା, ସଂସ୍କୃତି ଓ ସ୍ବାଭିମାନର କଥା କହୁଛନ୍ତି। ତେବେ ଏସବୁ ସୁରେନ୍ଦ୍ର ବାବୁଙ୍କଠାରୁ ଅତି ସରଳ ଭାବେ ଶିଖିପାରିବେ। ତାଙ୍କ ଲେଖାରୁ ଅସ୍ମିତାର କଥା କହିପାରିବେ। ଭାଷଣରେ ନୁହେଁ, ବରଂ ଆଚରଣରେ କିପରି ଅସ୍ମିତା କଥା କହିହେବ ସେସମ୍ପର୍କରେ ଆମେ ସଚେତନ ହେବା ଉଚିତ।’’
କାର୍ଯ୍ୟକ୍ରମରେ ପ୍ରାରମ୍ଭିକ ଅଭିଭାଷଣ ଓ ପୁସ୍ତକ ବିଷୟରେ ସୂଚନା ଦେଇ ‘ପୌରୁଷ’ର ସମ୍ପାଦକ ଅସିତ ମହାନ୍ତି କହିଲେ, ‘‘ସୁରେନ୍ଦ୍ର ମହାନ୍ତିଙ୍କ ୧୩ଟି ଗଳ୍ପ ପୁସ୍ତକ ମଧ୍ୟରୁ ପ୍ରଥମ ୭ଟି ଗଳ୍ପ ପୁସ୍ତକରେ ସଂକଳିତ ଗଳ୍ପଗୁଡ଼ିକୁ ନେଇ ତାଙ୍କ ଜନ୍ମର ୧୦୧ବର୍ଷ ପୂର୍ତ୍ତି ଅବସରରେ ‘ସୁରେନ୍ଦ୍ର ରଚନା ସଗମ୍ର: ଗଳ୍ପ’ର ପ୍ରଥମ ଭାଗ ପ୍ରକାଶ ପାଇଥିଲା। ଅବଶିଷ୍ଟ ୬ଟି ଗଳ୍ପ ପୁସ୍ତକର ସଂକଳିତ ଗଳ୍ପ ଓ ଅସଂକଳିତ ୧୪ଟି ଗଳ୍ପକୁ ନେଇ ଆଜି ଦ୍ବିତୀୟ ତଥା ଶେଷ ଭାଗ ପ୍ରକାଶ ପାଉଛି। ଓଡ଼ିଆ ପାଠକମାନେ ଏହାକୁ ଆଦର କରିବା ସହ ଅନ୍ୟ ଭାଗଗୁଡ଼ିକୁ ପ୍ରକାଶ କରିବାକୁ ଉତ୍ସାହିତ ହେବୁ।’’ ‘ଆମ ଓଡ଼ିଶା’ ସମ୍ପାଦକ ଅରବିନ୍ଦ ଦାସ ସ୍ବାଗତ ଭାଷଣ ପ୍ରଦାନ କରିଥିଲେ। ‘ସୁରେନ୍ଦ୍ର ରଚନା ସମଗ୍ର: ଗଳ୍ପ-୨’ ପୁସ୍ତକ ଓ ଅଧ୍ୟକ୍ଷ ଶ୍ରୀ ପଟ୍ଟନାୟକଙ୍କ ୱେବସାଇଟ୍କୁ ଅତିଥିମାନେ ଉନ୍ମୋଚନ କରିଥିଲେ। ବରିଷ୍ଠ ସାମ୍ବାଦିକ ସନ୍ଦୀପ ସାହୁ ୱେବସାଇଟ୍ ସମ୍ପର୍କରେ ମତପ୍ରକାଶ କରିଥିଲେ।
ଏହି ଅବସରରେ ‘କଥା’ର ସମ୍ପାଦକ ତଥା କଥାକାର ଗୌରହରି ଦାସ, ଅବସରପ୍ରାପ୍ତ ପ୍ରଶାସକ ଅରବିନ୍ଦ ବେହେରା, ସାହିତ୍ୟିକ ଦାଶ ବେନହୁର, ଅଧ୍ୟାପକ ବିଶ୍ବରଞ୍ଜନ, ‘ସମ୍ବାଦ ସାହିତ୍ୟ ଘର’ ରାଜ୍ୟ ସଂଯୋଜିକା ଶୁଭଶ୍ରୀ ଲେଙ୍କା, ସମ୍ବାଦ ଗ୍ରୁପ୍ର ଉପଦେଷ୍ଟା ସ୍ବରାଜ ମିଶ୍ର, ସାହିତ୍ୟିକ ଦେବପ୍ରସାଦ ଦାଶ, ସ୍ନେହଲତା ପୃଷ୍ଟି, ଅରବିନ୍ଦ ରାୟ ପ୍ରମୁଖ ସାମିଲ ହୋଇ ସୁରେନ୍ଦ୍ର ମହାନ୍ତିଙ୍କ ଜୀବନୀ ଓ ସାହିତ୍ୟକୃତୀ ଉପରେ ଆଲୋକପାତ କରିଥିଲେ। ଡ. ଗୋବିନ୍ଦ ଚାନ୍ଦ ଧନ୍ୟବାଦ ଦେଇଥିଲେ।