ସୁରେନ୍ଦ୍ର ମହାନ୍ତିଙ୍କ ଜନ୍ମ ଶତବାର୍ଷିକୀ: ‘ସାହିତ୍ୟ, ସାମ୍ବାଦିକତା ଓ ରାଜନୀତିର ତ୍ରିବେଣୀ ସଂଗମ ଥିଲେ ସୁରେନ୍ଦ୍ର ମହାନ୍ତି’

ବ୍ରହ୍ମପୁର : ‘ସାହିତ୍ୟିକ, ରାଜନେତା ଓ ସାମ୍ବାଦିକତାର ତ୍ରିବେଣୀ ସଂଗମ ପ୍ରଖ୍ୟାତ ସାହିତ୍ୟିକ ସୁରେନ୍ଦ୍ର ମହାନ୍ତିଙ୍କ ଜୀବନରେ ଘଟିଥିଲା। ସାହିତ୍ୟିକମାନେ ହିଁ ରାଜନୀତିରେ ସଂସ୍କାର ଆଣିପାରନ୍ତି, ଯାହାର ଜ୍ବଳନ୍ତ ଉଦାହରଣ ଥିଲେ ସୁରେନ୍ଦ୍ର ମହାନ୍ତି। ଆଜି ଏମ୍‌କେସିଜି ଭେଷଜ ମହାବିଦ୍ୟାଳୟ ଓ ଚିକିତ୍ସାଳୟ ପକ୍ଷରୁ ଆୟୋଜିତ ସୁରେନ୍ଦ୍ର ମହାନ୍ତିଙ୍କ ଜନ୍ମ ଶତବାର୍ଷିକୀ ଅବସରରେ ଆୟୋଜିତ ସ୍ବତନ୍ତ୍ର କାର୍ଯ୍ୟକ୍ରମ ‘ସୁରେନ୍ଦ୍ର ଶତାବ୍ଦୀ’ରେ ମୁଖ୍ୟଅତିଥି ଭାବେ ଯୋଗ ଦେଇ ଖଣ୍ଡପଡ଼ା ବିଧାୟକ ତଥା ‘ସମ୍ବାଦ ସମ୍ପାଦକ ଡ.ସୌମ୍ୟରଂଜନ ପଟ୍ଟନାୟକ ଏଭଳି ମତବ୍ୟକ୍ତ କରିଛନ୍ତି। ଓଡ଼ିଆ ସାହିତ୍ୟର ଦ୍ବିତୀୟ କଥା ସମ୍ରାଟଙ୍କ ସ୍ମୃତିଚାରଣ କରିବା ସହ ସାହିତ୍ୟ ଏବଂ ରାଜନୀତିର ଲକ୍ଷ୍ୟ ଏକ ‘ସମୂହ ହିତ ସାଧନ ବୋଲି ପ୍ରକାଶ କରିଥିଲେ। ହଜାରେ ବର୍ଷର ଓଡ଼ିଆ ଭାଷାର ବର୍ତ୍ତମାନ ସ୍ଥିତିକୁ ନେଇ ଶ୍ରୀ ପଟ୍ଟନାୟକ ଉଦ୍‌ବେଗ ପ୍ରକାଶ କରିଥିଲେ। କେବଳ ଶାସିତ ବର୍ଗ ନୁହେଁ, ବିଶି‌ଷ୍ଟ ବର୍ଗକୁ ମଧ୍ୟ ଓଡ଼ିଆ ଭାଷାକୁ ବ୍ୟବହାର କରିବାକୁ ପଡ଼ିବ। ଓଡ଼ିଆ ଭାଷା ଓ ସାହିତ୍ୟକୁ ସମୃଦ୍ଧ କରିବା ପାଇଁ ଯୁବପିଢ଼ିଙ୍କୁ ଆହ୍ବାନ ଦେଇଥିଲେ। ଭାଷା ଓ ଭାବର ଖେଳ ହିଁ ସାହିତ୍ୟ। ଏବେ ଭାବରାଜ୍ୟ ସଙ୍କୁଚିତ ହେବାରେ ଲାଗିଛି। ଅନୁଭବରୁ ହିଁ ଭାବ ଆସେ ବୋଲି କହିଥିଲେ। ଆଉ ଏକ ଜୀବନ ମିଳିଲେ କେବଳ ଅଧ୍ୟାପନା କରିବାକୁ ଇଚ୍ଛୁକ ଥିବା ଶ୍ରୀ ପଟ୍ଟନାୟକ କହିଥିଲେ।

ଏମ୍‌କେସିଜି ଭେଷଜ ମହାବିଦ୍ୟାଳୟ ଓ ଚିକିତ୍ସାଳୟର ଅଧ୍ୟକ୍ଷ ପ୍ରଫେସର ଡା.ଅବନିକାନ୍ତ ମିଶ୍ର ଏହି କାର୍ଯ୍ୟକ୍ରମର ଅଧ୍ୟକ୍ଷତା କରିବା ସହ ସ୍ବାଗତଭାଷଣ ପ୍ରଦାନ କରିଥିଲେ। ମୁଖ୍ୟବକ୍ତା ଭାବେ କେନ୍ଦ୍ର ସାହିତ୍ୟ ଏକାଡେମି ସମ୍ମାନପ୍ରାପ୍ତ ବିଶିଷ୍ଟ ସାହିତ୍ୟିକ ତଥା ‘କଥା’ର ସଂପାଦକ ଡ.ଗୌରହରି ଦାସ ଯୋଗ ଦେଇ ସୁରେନ୍ଦ୍ର ମହାନ୍ତିଙ୍କ ସାହିତ୍ୟ କୃତି ଉପରେ ଆଲୋକପାତ କରିଥିଲେ। ସେ କିପରି ସ୍ପଷ୍ଟବାଦୀ, ନିର୍ଭିକ, କର୍ମଠ ଓ ସମୟାନୁବର୍ତ୍ତୀ ‌ଥିଲେ ସେସମ୍ପର୍କରେ ନିଜସ୍ବ ଅନୁଭୂତି ବଖାଣିଥିଲେ। ନିଜ ଚାରିପାଖେ ଘଟୁଥିବା ଘଟଣାକୁ ଦେଖି ଯଦି ଜଣେ ସାହିତ୍ୟିକ ଚୁପ୍ ରହେ, ତେବେ ତାହା ମିଥ୍ୟାଚର ବୋଲି କହୁଥିଲେ। ଯୁବପିଢ଼ିଙ୍କୁ ସର୍ବଦା ନିଜ ସ୍ବପ୍ନର ସୌନ୍ଦର୍ଯ୍ୟ ଉପରେ ବିଶ୍ବାସ ରଖିବା ପାଇଁ ପ୍ରୋତ୍ସାହିତ କରୁଥିଲେ ବୋଲି ଡ.ଦାସ ମତବ୍ୟକ୍ତ କରିଥିଲେ। ଅନ୍ୟତମ ଅତିଥି ଭାବେ ଆୟୋଜକ ମହାବିଦ୍ୟାଳୟର ଉପାଧ୍ୟକ୍ଷ ପ୍ରଫେସର୍‌ ଡା. ଦୁର୍ଗାମାଧବ ଶତପଥୀ ଯୋଗ ଦେଇ କେବଳ ସାହିତ୍ୟ ହିଁ ଚେତନାକୁ ଜାଗ୍ରତ କରିପାରେ, ଭେଷଜବିଜ୍ଞାନ ଏବଂ କଳାର ସମିଶ୍ରଣ ହିଁ ସୁସ୍ଥତା ପ୍ରଦାନ କରିପାରେ ବୋଲି ମତବ୍ୟକ୍ତ କରିଥିଲେ। ଜର୍ଣ୍ଣାଲ୍‌ ସୋସାଇଟିର ଉପାଧ୍ୟକ୍ଷ ପ୍ରଫେସର ଡା. ଶ୍ରୀପ୍ରସାଦ ମହାନ୍ତି ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ସମ୍ପାଦକ ଅଭିଷେକ ଦାସ ନିଜସ୍ବ ମତ ଉପସ୍ଥାପନ କରିଥିଲେ। ସହସମ୍ପାଦକ ଡିମ୍ପଲ୍ ସିଂ ଧନ୍ୟବାଦ ଅର୍ପଣ କରିଥିଲେ। ଏହି ଅବସରରେ ଡା.ରାଜେନ୍ଦ୍ର ପ୍ରସାଦ ବେହେରାଙ୍କ ରଚିତ କବିତା ସଂକଳନ ‘ଲୁଚାଛପା ଅତିଥିଙ୍କ ଦ୍ବାରା ଉନ୍ମୋଚିତ ହୋଇଥିଲା। କୃଷ୍ଣଚନ୍ଦ୍ର ନାୟକ, ଅଭିଷେକ ପରିଜା, ଅନୁରାଗ ଭଗତ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ। କାର୍ଯ୍ୟକ୍ରମରେ ବହୁ ସଂଖ୍ୟାରେ ଡାକ୍ତରୀ ଛାତ୍ରଛାତ୍ରୀ ଏଥିରେ ଯୋଗ ଦେଇଥିଲେ।

ସମ୍ବନ୍ଧିତ ଖବର