ସୁରେନ୍ଦ୍ର ମହାନ୍ତିଙ୍କ ଜନ୍ମ ଶତବାର୍ଷିକୀ ଶ୍ରଦ୍ଧାଞ୍ଜଳି ସଭା: ପ୍ରଚଣ୍ଡ ସ୍ବାଭିମାନୀ ଥିଲେ କଥା ସମ୍ରାଟ ସୁରେନ୍ଦ୍ର ମହାନ୍ତି

ଖଣ୍ଡଗିରି : ଆତ୍ମାର କଥା କହିପାରୁଥିଲେ ସୁରେନ୍ଦ୍ର ମହାନ୍ତି। ସୁରେନ୍ଦ୍ର ବାବୁ ଜୀବନକୁ କେବଳ ଉପଭୋଗ କରୁ ନଥିଲେ, ସେ ବେସାଲିସ୍ ଜୀବନ ଜିଉଁଥିଲେ। ନିଜ ମୂଲ୍ୟବୋଧକୁ କେବେ ସେ ଜଳାଞ୍ଜଳି ଦେଇ ନାହାନ୍ତି। ସିଂହଛୁଆ ଗୁମ୍ଫାରେ ରହୁଥିଲେ ମଧ୍ୟ ସେ ଗୋଠ ଖୋଜେ ନାହିଁ, ସିଂହଛୁଆ ସଦାବେଳେ ଏକା ହୋଇ ରହିବାକୁ ଚାହେଁ। ଏହା ପ୍ରମାଣିତ କରେ ଯେ ସୁରେନ୍ଦ୍ରବାବୁ ପ୍ରଚଣ୍ଡ ସ୍ବାଭିମାନୀ ଥିଲେ। କଥା ସମ୍ରାଟ ସୁରେନ୍ଦ୍ର ମହାନ୍ତିଙ୍କ ଜନ୍ମ ଶତବାର୍ଷିକୀ ଶ୍ରଦ୍ଧାଞ୍ଜଳି ସଭାରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଏହା କହିଛନ୍ତି ‘ସମ୍ବାଦ’ର ସଂପାଦକ ସୌମ୍ୟରଂଜନ ପଟ୍ଟନାୟକ।

କଥା ସମ୍ରାଟ ସୁରେନ୍ଦ୍ର ମହାନ୍ତି ମେମୋରିଆଲ୍ ଟ୍ରଷ୍ଟ ପକ୍ଷରୁ ୱେବିନାର ମାଧ୍ୟମରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇ ଶ୍ରୀ ପଟ୍ଟନାୟକ ଆହୁରି କହିଥିଲେ, ସୁରେନ୍ଦ୍ର ମହାନ୍ତି ଥିଲେ ଅମୂଲ୍ୟ ସମ୍ପଦ। ତାଙ୍କର ପ୍ରତ୍ୟେକ ଘଟଣାରୁ ଓ ଜୀବନରୁ କିଛି ଶିଖିବାକୁ ଅଛି। ପ୍ରଭୁ ଜଗନ୍ନାଥଙ୍କୁ ଯେଉଁଭଳି ଢଙ୍ଗରେ ସୁରେନ୍ଦ୍ର ମହାନ୍ତି ଉପସ୍ଥାପିତ କରିଛନ୍ତି ସେପରି ଲେଖା ପ୍ରାୟ କେହି ଲେଖି ନାହାନ୍ତି। ସମସ୍ତେ ବାହ୍ୟ ଜଗତ, ବାହ୍ୟ ଆଡ଼ମ୍ବର ଉପରେ ନଜର ଦେଉଥିବା ବେଳେ, କେବଳ ସୁରେନ୍ଦ୍ରବାବୁ ହିଁ ଆତ୍ମାର କଥା କହି ପାରୁଥିଲେ। ଉତ୍କଳଗୌରବ ମଧୁସୂଦନ ଦାସଙ୍କୁ ନେଇ ସେ ଯଉଁ ତିନି ଖଣ୍ଡ ପୁସ୍ତକ ରଚନା କରିଯାଇଛନ୍ତି, ତାହା କାଳଜୟୀ ସାହିତ୍ୟ ହୋଇ ରହି ପାରିଛି। ମଧୁସୂଦନଙ୍କୁ ଓଡ଼ିଶା ଯେଉଁଭଳି ସମ୍ମାନ ଦେବା କଥା ସୁରେନ୍ଦ୍ର ବାବୁଙ୍କ ଏହି ପୁସ୍ତକଗୁଡ଼ିକ ସେହି ଅଭାବକୁ ପୂରଣ କରିଛି ବୋଲି ଶ୍ରୀ ପଟ୍ଟନାୟକ କହିଥିଲେ।

ସୁରେନ୍ଦ୍ର ମହାନ୍ତିଙ୍କ କନ୍ୟା ତଥା ପୂର୍ବତନ ମହିଳା କମିସନ ଅଧ୍ୟକ୍ଷା ଲୋମାମୁଦ୍ରା ମହାନ୍ତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଯୋଗଦେଇ କେନ୍ଦ୍ର ସାହିତ୍ୟ ଅକାଦମିର ଅବାହାକ ଡ. ବିଜୟାନନ୍ଦ ସିଂହ ନିଜ ବକ୍ତବ୍ୟରେ ସୁରେନ୍ଦ୍ର ମହାନ୍ତିଙ୍କୁ ସାଲେପୁରର ଗର୍ବ ବୋଲି କହି ତାଙ୍କୁ ଯୁଗସ୍ରଷ୍ଟାମାନଙ୍କ ମଧ୍ୟରୁ ଅନ୍ୟତମ ବୋଲି ଅଭିହିତ କରିଥିଲେ। ଆକାଶରେ ଅନେକ ତାରା ମଧ୍ୟରେ ଯେପରି ଚନ୍ଦ୍ରଙ୍କର ଅବସ୍ଥିତି ଅନନ୍ୟ, ସେହିପରି ଓଡ଼ିଆ ସାହିତ୍ୟରେ ସୁରେନ୍ଦ୍ର ମହାନ୍ତିଙ୍କ ସ୍ଥିତି ଅନନ୍ୟ। ସେ ହେଉଛନ୍ତି ଯୁଗ ଚେତନାର ସାର୍ଥକ ପ୍ରତିନିଧି।

ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ପୌରୁଷ ସମ୍ପାଦକ ଅସିତ ମହାନ୍ତି ତାଙ୍କୁ ଶତାବ୍ଦୀ ପୁରୁଷ ବୋଲି ଅଭିହିତ କରି କହିଥିଲେ, ଶ୍ରୀଜଗନ୍ନାଥଙ୍କ ସହିତ ତାଙ୍କର ସଂପର୍କ ଅନନ୍ୟ। ସେପରି ସଂପର୍କ ଅନ୍ୟ କୌଣସି କଥାଶିଳ୍ପୀଙ୍କ ନିକଟରେ ଦେଖିବାକୁ ମିଳିନାହିଁ। ଶ୍ରୀଜଗନ୍ନାଥଙ୍କୁ ନେଇ ସେ ଲଖିଥିବା ଅନବଦ୍ୟ କୃତୀ ସଂପର୍କରେ ବିଷଦ ଆଲୋଚନା କରିଥିଲେ। ସେହିପରି ‘ନୀଳଶୈଳ’ ପୁସ୍ତକ ସଂପର୍କରେ ଆଲୋଚନା କରି ସେ କହିଥିଲେ ଯେ ଏଭଳି ପୁସ୍ତକ ଓଡ଼ିଶା ସାହିତ୍ୟରେ ବିରଳ। ଏହି ପୁସ୍ତକ ରଚନା କାଳ ତାଙ୍କ ସାହିତ୍ୟ ଜୀବନର ସୁବର୍ଣ୍ଣ ସମୟ ଥିଲା। ତାଙ୍କ ସାହିତ୍ୟର ଆଦ୍ୟରୁ ଅନ୍ତଃ ପୁରୁଷୋତ୍ତମ ଶ୍ରୀଜଗନ୍ନାଥଙ୍କ ସହିତ ସଂପର୍କିତ ବୋଲି ଶ୍ରୀ ମହାନ୍ତି କହିଥିଲେ। ସାହିତ୍ୟିକ ତଥା ଆଇନଜୀବୀ ଜୟନ୍ତ ଦାସ ନିଜ ଭାଷଣରେ ସୁରେନ୍ଦ୍ର ମହାନ୍ତିଙ୍କ କାଳଜୟୀ ସାହିତ୍ୟକୁ ପ୍ରଶଂସା କରିବା ସହିତ ତ‌ାଙ୍କ ଲେଖାର ବିଶ୍ଳେଷଣ କରିଥିଲେ। କାର୍ଯ୍ୟକ୍ରମରେ ସର୍ବୋଦୟ ନେତା ଗାନ୍ଧୀବାଦୀ କୃଷ୍ଣ ସିଂହ ସ୍ବର୍ଗତ ସୁରେନ୍ଦ୍ର ମହାନ୍ତିଙ୍କ ସହିତ କାଟିଥିବା ବିଭିନ୍ନ ମୁହୂର୍ତ୍ତକୁ ଉପସ୍ଥାପନ କରିଥିଲେ। ଏହି ଅବସରରେ ଅନେକ ମାନ୍ୟଗଣ୍ୟ ସାହିତ୍ୟିକ ଯୋଗ ଦେଇ ସୁରେନ୍ଦ୍ର ମହାନ୍ତିଙ୍କ ସାହିତ୍ୟ ଜୀବନୀ ଓ ଅବଦାନର ସ୍ମୃତିଚାରଣ କରିଥିଲେ।

ସମ୍ବନ୍ଧିତ ଖବର