ସୁରେନ୍ଦ୍ରଙ୍କ ଗଦ୍ୟ ସାହିତ୍ୟ ଓଡ଼ିଆ ଜାତିର ଅମୂଲ୍ୟ ସଂପଦ

କଥା ସମ୍ରାଟ ସୁରେନ୍ଦ୍ର ମହାନ୍ତିଙ୍କ ରାଜ୍ୟସ୍ତରୀୟ ପୂଣ୍ୟତିଥି ଓ ସମ୍ବର୍ଦ୍ଧନା ସମାରୋହ

ସାଲେପୁର : ସାହିତ୍ୟ, ସାମ୍ବାଦିକତା ଓ ରାଜନୀତିରେ କଥା ସମ୍ରାଟ ସୁରେନ୍ଦ୍ର ମହାନ୍ତିଙ୍କର ଭୂମିକା ଥିଲା ଗୁରୁତ୍ୱପୂର୍ଣ୍ଣ। ତାଙ୍କର ଗଦ୍ୟ ସାହିତ୍ୟ ଓଡ଼ିଆ ଜାତିର ଅମୂଲ୍ୟ ସଂପଦ। ସାହିତ୍ୟ ସାମ୍ବାଦିକତା ଓ ରାଜନୀତିର ଅବକ୍ଷୟଧାରାକୁ ସୁଧାରିବା ପାଇଁ ସୁରେନ୍ଦ୍ର ମହାନ୍ତି ତାଙ୍କ ଜୀବଦଶାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ। ସେ ପ୍ରଚଣ୍ଡ ଧିଶକ୍ତିର ଅଧିକାରୀ ଥିଲେ ବୋଲି ସମ୍ବାଦର ସଂପାଦକ, ‘ଆମ ଓଡ଼ିଶା’ର ଅଧ୍ୟକ୍ଷ ତଥା କଥାସମ୍ରାଟ ସୁରେନ୍ଦ୍ର ମହାନ୍ତି ଜନ୍ମ ଶତବାର୍ଷିକୀ କମିଟିର ଅଧ୍ୟକ୍ଷ ସୌମ୍ୟରଂଜନ ପଟ୍ଟନାୟକ କହିିଛନ୍ତି।

କଥା ସମ୍ରାଟ ସୁରେନ୍ଦ୍ର ମହାନ୍ତିଙ୍କ ୨୭ତମ ପୂଣ୍ୟତିଥି ଅବସରରେ ସାଲେପୁର ହାଇସ୍କୁଲ୍‌ ପରିସର ସୁରେନ୍ଦ୍ର ମଣ୍ଡପରେ ଅନୁଷ୍ଠିତ ସ୍ମୃତି, ସ୍ମାରକୀ ଓ ସାରସ୍ୱତ ସମ୍ବର୍ଦ୍ଧନା ସମାରୋହର ଯୋଗ ଦେଇ ଶ୍ରୀ ପଟ୍ଟନାୟକ କହିଲେ ଯେ ସୁରେନ୍ଦ୍ର ଥିଲେ ଓଡ଼ିଆ ଜାତିର ସିଂହ ଶାବକ। ତାଙ୍କର ଜନ୍ମମାଟି ସାଲେପୁର ହାଇସ୍କୁଲରେ ପାଠ ପଢ଼ି ଏ ମାଟିର ସମ୍ମାନକୁ ସେ ଜାତୀୟ ସ୍ତରରେ ପ୍ରତିଷ୍ଠା କରିପାରିଛନ୍ତି। ତାଙ୍କ ଦ୍ୱାରା ଲିଖିତ ଗଦ୍ୟ ସାହିତ୍ୟ ଆଜି ବି ଓଡ଼ିଆ ଜାତିକୁ ପ୍ରେରଣା ଯୋଗାଇ ଆସୁଛି ବୋଲି ଶ୍ରୀ ପଟ୍ଟନାୟକ କହିଥିଲେ।

ଚଳଚ୍ଚିତ୍ର ଅଭିନେତ୍ରୀ ମଧୁମିତା ମହାନ୍ତିଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ସମ୍ବାଦର ସଂପାଦକ (ପ୍ରକାଶନ), ବିଶିଷ୍ଟ ସ୍ତମ୍ଭକାର ତଥା ଗବେଷକ ଅସିତ ମହାନ୍ତି ଯୋଗ ଦେଇ ଶେଷକଥା-ଶେଷବାର୍ତ୍ତା ସ୍ମାରକୀ ବକ୍ତୃତା ପ୍ରଦାନ କରି ସୁରେନ୍ଦ୍ର ମହାନ୍ତିଙ୍କ ବହୁମୂଖୀ ପ୍ରତିଭାର ଅବତାରଣା କରିଥିଲେ। କାର୍ଯ୍ୟକ୍ରମରେ ଉତ୍କଳ ସାହିତ୍ୟ ସମାଜର ସଭାପତି ଡକ୍ଟର ବିଜୟାନନ୍ଦ ସିଂହ ଯୋଗଦେଇ ସୁରେନ୍ଦ୍ର ମହାନ୍ତିଙ୍କୁ ଜଣେ ଯୋଗଜନ୍ମା ସାହିତ୍ୟିକ ଭାବେ ବର୍ଣ୍ଣନା କରିବା ସହ ସ୍ୱାଗତ ସମ୍ଭାଷଣ ପ୍ରଦାନ କରିଥିଲେ। ଏହି ଅବସରରେ ଚଳିତ ବର୍ଷ ସୁରେନ୍ଦ୍ର ସମାରୋହ – ୨୦୧୭ ପକ୍ଷରୁ ସୁରେନ୍ଦ୍ର ସ୍ମୃତି ସମ୍ମାନ ସାହିତ୍ୟ ଏକାଡ଼େମୀର ପୂର୍ବତନ ସଭାପତି ସାତକଡ଼ି ହୋତାକୁ ପ୍ରଦାନ କରାଯାଇଥିବା ବେଳେ ସୁରେନ୍ଦ୍ର ସେବା ସମ୍ମାନ ଭଗବାନ ପ୍ରକାଶ, ସୁରେନ୍ଦ୍ର ସାରସ୍ୱତ ସମ୍ମାନ ପୂର୍ବତନ ପୁଲିସ୍‌ ଡିଜି ବିପିନ୍‌ ବିହାରୀ ମିଶ୍ର, ସୁରେନ୍ଦ୍ର ପ୍ରକାଶକ ସମ୍ମାନ ମହେନ୍ଦ୍ରନାଥ ମିଶ୍ର, ସୁରେନ୍ଦ୍ର ପ୍ରବାସୀ ଓଡ଼ିଆ ସମ୍ମାନ ସାମ୍ବାଦିକ କିଶୋର ଦ୍ୱିବେଦୀ, ସୁରେନ୍ଦ୍ର ମଧୁ ସମ୍ମାନ-ବିଶିଷ୍ଟ ଶିଶୁ ସାହିତ୍ୟିକ ଦାଶ ବେନହୁର୍‌, ସୁରେନ୍ଦ୍ର କଳା ସମ୍ମାନ ବଳଦେବ ମହାରଥା, ସୁରେନ୍ଦ୍ର ଭୂମିପୁତ୍ର ସମ୍ମାନ ଜୟନ୍ତ ଦାସଙ୍କୁ ପ୍ରଦାନ କରାଯାଇଥିଲା।

ସେହିପରି ସାଂସ୍କୃତିକ କାର୍ଯ୍ୟକ୍ରମ ପାଇଁ ଓଡ଼ିଶୀ ନୃତ୍ୟଶିଳ୍ପୀ ସୁଶ୍ରୀ କୀର୍ତ୍ତି, ଯାଦୁବିଦ୍ୟା କୌଶଳରେ ଚନ୍ଦନ କୁମାର ଦାସ ପ୍ରମୁଖଙ୍କୁ ସମ୍ବର୍ଦ୍ଧନା ଦିଆଯାଇଥିଲା। ଏହି ଅବସରରେ ସୁରେନ୍ଦ୍ର ମହାନ୍ତିଙ୍କର ସୁକନ୍ୟା ଲୋପାମୁଦ୍ରା ମହାନ୍ତି ତାଙ୍କ ବକ୍ତବ୍ୟରେ ତାଙ୍କ ପିତାଙ୍କର ଅଧୁରା ସ୍ୱପ୍ନକୁ ବହୁ ଘାତ ପ୍ରତିଘାତ ମଧ୍ୟରେ ସାକାର କରିବା ପାଇଁ ଉଦ୍ୟମ କରୁଥିବା ସଂପର୍କରେ ସୂଚନା ଦେଇଥିଲେ। ସୁରେନ୍ଦ୍ରଙ୍କ ସ୍ମୃତି ଉଦ୍ଦେଶ୍ୟରେ ପ୍ରଣୀତ ପୁସ୍ତକ ପ୍ରଥମ ଗଳ୍ପ ‘ସାଲେପୁର ହାଇସ୍କୁଲ୍‌ ଓ ସୁରେନ୍ଦ୍ର’ ଙ୍କୁ ସଭାପତି ଶ୍ରୀ ପଟ୍ଟନାୟକ ଉନ୍ମୋଚନ କରିଥିଲେ। ଏହି କାର୍ଯ୍ୟକ୍ରମରେ ସାହିତ୍ୟିକ ଗୋବିନ୍ଦ ଭୂୟାଁଙ୍କ ସମେତ ସୁରେନ୍ଦ୍ର ମେମୋରିଆଲ୍‌ ଟ୍ରଷ୍ଟ୍‌ ପକ୍ଷରୁ ସମାଜସେବୀ ରବିନାରାୟଣ ମହାନ୍ତି, କବି ସଦାଶିବ ଦାଶ, ଦେବେନ୍ଦ୍ର କୁମାର ସ୍ୱାଇଁ, ସାରସ୍ୱତ ସମାରୋହର ସମିତିର ସଭାପତି ଅକ୍ଷୟ କୁମାର ଦାଶ, ସାଲେପୁର ହାଇସ୍କୁଲ୍‌ର ପ୍ରଧାନ ଶିକ୍ଷୟିତ୍ରୀ ସରଳା ନାୟକ, ସହକାରୀ ଶିକ୍ଷକ ଦତ୍ତକୃଷ୍ଣ ବେହେରା, ବିଶ୍ୱରଂଜନ ସାହୁ, ମାନସ କୁମାର ଦାଶ, କିରଣ କୁମାର ଭୂୟାଁ, ଜ୍ୟୋତିରଂଜନ ରାଉତ ପ୍ରମୁଖ ଉପସ୍ଥିତ ଥିଲେ। ଦେବେନ୍ଦ୍ରନାଥ ସ୍ୱାଇଁ ଧନ୍ୟବାଦ ଅର୍ପଣ କରିଥିଲେ।

ସମ୍ବନ୍ଧିତ ଖବର