ପିପିଲି ବାର୍ ଆସୋସିଏସନ୍ ନିର୍ବାଚନ : ସଭାପତି ହେଲେ ବରିଷ୍ଠ ଆଇନଜୀବୀ ସୁରେନ୍ଦ୍ର ନାଥ ପରିଡ଼ା

ପିପିଲି: ସରିଲା ପିପିଲି ବାର୍ ଆସୋସିଏସନ୍ ନିର୍ବାଚନ। କରୋନା ପାଇଁ ନିର୍ବାଚନ ବନ୍ଦ ଥିବା ବେଳେ ଚଳିତ ବର୍ଷ ନିର୍ବାଚନ ଅନୁଷ୍ଠିତ ହୋଇଥିଲା। ଆଜି ସକାଳ ୮ଟାରେ ମତଦାନ ଆରମ୍ଭ ହୋଇଥିବା ବେଳେ ଏବେ ଫଳାଫଳ ଆସିଛି। ପିପିଲି କୋର୍ଟର ବରିଷ୍ଠ ଆଇନଜୀବୀ ସୁରେନ୍ଦ୍ର ନାଥ ପରିଡ଼ା ନିର୍ବାଚନ ଜିତି ପିପିଲି ବାର୍ ଆସୋସିଏସନର ସଭାପତି ହୋଇଛନ୍ତି। ସେ ନିଜର ପ୍ରତିଦ୍ବନ୍ଦ୍ବୀ ହାଡ଼ୁବନ୍ଧୁ ଜେନାଙ୍କୁ ୬ଖଣ୍ଡ ଭୋଟରେ ହରାଇ ବିଜୟୀ ହୋଇଛନ୍ତି।

ଅପରାଧିକ ମାମଲା ଲଢ଼ି ଖ୍ୟାତି ଅର୍ଜନ କରିଥିବା ବରିଷ୍ଠ ଆଇନଜୀବୀ ସୁରେନ୍ଦ୍ର ନାଥ ପରିଡ଼ା ବିଜୟୀ ହେବା ପରେ ନିଜର ସମର୍ଥକମାନଙ୍କୁ ଧନ୍ୟବାଦ ଜଣାଇଛନ୍ତି। ଜିତିବା ପରେ ସୁରେନ୍ଦ୍ର କହିଛନ୍ତି ଯେ, ସେ ପିପିଲି ବାର୍ ଆସୋସିଏସନ୍ ପାଇଁ ଅନେକ ଉନ୍ନତିମୂଳକ କାମ କରିବେ। ଡେଲାଙ୍ଗରେ ଓକିଲମାନଙ୍କର ବସିବା ପାଇଁ ସ୍ଥାୟୀ ଜାଗା ନଥିବାରୁ  ସେଠାରେ ଏକ କୋଠା ନିର୍ମାଣ, ଖରାଦିନେ ପିପିଲି ବାରର ଓକିଲମାନଙ୍କୁ କାମ କରିବାରେ ସମସ୍ୟା ହେଉଥିବାରୁ ଏସି ଲଗାଇବା, ଥଣ୍ଡା ପାଣିର ବ୍ୟବସ୍ଥା କରିବା ଏବଂ ଜେଏମଏଫସି କୋର୍ଟ ଉପରେ ସେସନ କୋର୍ଟ ନିର୍ମାଣ ନେଇ କାର୍ଯ୍ୟ ତ୍ବରାନ୍ବିତ କରାଇବେ ବୋଲି କହିଛନ୍ତି।

ସୂଚନା ଯୋଗ୍ୟ, ଆଜି ସକାଳ ୮ଟା ଠାରୁ ଦିନ ୩ଟା ପର୍ଯ୍ୟନ୍ତ ଭୋଟ ଗ୍ରହଣ ହୋଇଥିବା ବେଳେ ଅପରାହ୍ନ ୪ଟାରେ ଭୋଟ ଗଣତି ଆରମ୍ଭ ହୋଇଥିଲା। ସମୁଦାୟ ୬୨ଜଣ ଜଣ ଆଇନଜୀବୀ ମତଦାନ କରିଥିଲେ। ଗଣନା ପରେ ବରିଷ୍ଠ ଆଇନଜୀବୀ ସୁରେନ୍ଦ୍ରଙ୍କୁ ୩୪ଖଣ୍ଡ ଭୋଟ ମିଳିଥିବା ବେଳେ ତାଙ୍କ ପ୍ରତିଦ୍ବନ୍ଦ୍ବୀ ହାଡ଼ୁବନ୍ଧୁ ଜେନାଙ୍କୁ ୨୮ଖଣ୍ଡ ଭୋଟ ମିଳିଥିଲା। ଏହା ପୂର୍ବରୁ ସୁରେନ୍ଦ୍ର ୬ଥର ସଂପାଦକ ଭାବେ ଦାୟିତ୍ବ ତୁଲାଇଥିବା ବେଳେ ୩ଥର ଉପସଭାପତି ଏବଂ ଥରେ ସଭାପତି ଭାବେ ଦାୟିତ୍ବ ତୁଲାଇସାରିଛନ୍ତି। ଅନ୍ୟପକ୍ଷରେ ସଂପାଦକ ପାଇଁ ୩ଜଣ ପ୍ରତିଦ୍ବନ୍ଦ୍ବୀ ଥିବା ବେଳେ ଅକ୍ଷୟ କୁମାର ଦୀକ୍ଷିତ୍ ୨୨ଖଣ୍ଡ ଭୋଟ ପାଇ ଜିତିଛନ୍ତି। ସରକାରୀ ଓକିଲ ପ୍ରସନ୍ନ କୁମାର ଚମୁପତି ଓ ବିଭୂ ପ୍ରସାଦ ବଇରିଗଞ୍ଜନ ନିର୍ବାଚନର ପରିଚାଳନା କରିଥିଲେ।

ସମ୍ବନ୍ଧିତ ଖବର