ସମ୍ବଲପୁର: ଆସନ୍ତା ଜାନୁଆରି ୨୩ ତାରିଖ ଦେଶର ଦୁଇ ମହାନ୍ ସଂଗ୍ରାମୀ ବୀର ସୁରେନ୍ଦ୍ର ସାଏ ଏବଂ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ଜୟନ୍ତୀ। ଏହି ଉତ୍ସବକୁ ‘ସମ୍ବାଦ’ ତରଫରୁ ପ୍ରତି ବର୍ଷ ମହାସମାରୋହରେ ପାଳନ କରାଯାଏ। ତେବେ କରୋନା କାରଣରୁ ଗତ ୨ ବର୍ଷ ଏହାକୁ ପ୍ରତୀକାତ୍ମକଭାବେ ପାଳନ କରା ଯାଇଥିଲା। ହେଲେ ପରିସ୍ଥିତି ସ୍ବାଭାବିକ ହେବା ପରେ ଚଳିତ ବର୍ଷ ପୁଣିଥରେ ଉଭୟ ମହାପୁରୁଷଙ୍କ ଜନ୍ମୋତ୍ସବ ଧୁମ୍‌ଧାମ୍‌ରେ ପାଳନ କରିବାକୁ ନିଷ୍ପତ୍ତି ହୋଇଛି। ଏହି କ୍ରମରେ ୨୩ ତାରିଖ ସକା‌େଳ ବୀର ସୁରେନ୍ଦ୍ର ସାଏଙ୍କ ଜନ୍ମମାଟି ଖିଣ୍ଡାରୁ ବୀରଜ୍ୟୋତି (ମଶାଲ) ଏକ ଶୋଭାଯାତ୍ରାରେ ସମ୍ବଲପୁର ଆସିବ। ଅଇଁଠାପାଲି ପିଏଚ୍‌ଡି ପଡ଼ିଆରୁ ଏକ ମୋଟର୍‌ ସାଇକଲ୍ ରାଲିରେ ଏହି ମଶାଲକୁ ପାଛୋଟି କମିସନର୍ସ କଲୋନିସ୍ଥିତ ଗାନ୍ଧୀ ପାର୍କକୁ ଅଣାଯିବ।

Advertisment

ସକାଳ ୭ଟାରେ ‌େସଠାରୁ ସ୍କୁଲ୍‌, କଲେଜ୍‌ ଛାତ୍ରଛାତ୍ରୀ, ସାମାଜିକ ସଂଗଠନର ସଦସ୍ୟ ଓ ସହରବାସୀଙ୍କୁ ନେଇ ଏକ ବିଶାଳ ରାଲି ବାହାରି ସହର ପରିକ୍ରମା କରିବ। ଛାତ୍ରଛାତ୍ରୀଙ୍କ ମଧ୍ୟରେ ଏକ ପ୍ଲାକାର୍ଡ ପ୍ରତିଯୋଗିତା ହେବ। ସେହିପରି ବୀର ସୁରେନ୍ଦ୍ର ସାଏ ଓ ନେତାଜୀଙ୍କ ବେଶରେ ଆସିଥିବା ପିଲାଙ୍କ ମଧ୍ୟରେ ବୀର ବେଶ ପ୍ରତିଯୋଗିତା ହେବ। ଶୋଭାଯାତ୍ରା ପରିକ୍ରମା ଅବସରରେ ଜେଲ୍‌ ଛକସ୍ଥିତ ବୀର ସୁରେନ୍ଦ୍ର ସାଏଙ୍କ ପ୍ରତିମୂର୍ତ୍ତି ଓ ଗାନ୍ଧୀ ପାର୍କସ୍ଥିତ ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରାଯିବ। ଶୋଭାଯାତ୍ରା କମିସନର୍ସ କଲୋନି ପଡ଼ିଆରେ ପହଞ୍ଚିବା ପରେ ସେଠାରେ ସାଂସ୍କୃତିକ କାର୍ଯ୍ୟକ୍ରମ ଓ ପୁରସ୍କାର ବିତରଣ ଉତ୍ସବ ଅନୁଷ୍ଠିତ ହେବ। ପ୍ଲାକାର୍ଡ ଓ ବୀରବେଶ ପ୍ରତିଯୋଗିତାର କୃତୀ ପ୍ରତିଯୋଗୀଙ୍କ ସହ ପୂର୍ବରୁ ହୋଇଥିବା କୁଇଜ୍ ପ୍ରତିଯୋଗିତାର ଭାଗ୍ୟଶାଳୀ ବିଜେତାମାନଙ୍କୁ ବି ଏଥିରେ ପୁରସ୍କୃତ କରାଯିବ। ଦେଶପ୍ରେମୀ ଛାତ୍ରଛାତ୍ରୀ ଓ ସହରବାସୀ ବହୁ ସଂଖ୍ୟାରେ ଯୋଗଦେଇ ଆମ ମାଟିର ଦୁଇ ବରପୁତ୍ରଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇବାକୁ ‘ସମ୍ବାଦ’ ପଶ୍ଚିମ ଓଡ଼ିଶା ସଂସ୍କରଣର ଉପମହାପ୍ରବନ୍ଧକ ସୁବ୍ରତ ନାୟକ ଅନୁରୋଧ କରିଛନ୍ତି।