ଭୁବନେଶ୍ୱର: ଓଡ଼ିଆ କଥା ସାହିତ୍ୟକୁ ସ୍ବର୍ଗତ ସୁରେନ୍ଦ୍ର ମହାନ୍ତିଙ୍କ ଅବଦାନ ଅତୁଳନୀୟ। କ୍ଷୁଦ୍ରଗଳ୍ପ, ଉପନ୍ୟାସ, ନାଟକ ଓ କଥା ସାହିତ୍ୟରେ ବିଭିନ୍ନ ପ୍ରକାରର ଚିନ୍ତା ଓ ଚେତନାକୁ ସଫଳ ଭାବେ ପ୍ରୟୋଗ କରିବାରେ ସେ ସିଦ୍ଧହସ୍ତ ଥିଲେ। ସେ ଥିଲେ ଓଡ଼ିଆ ଭାଷା, ସାହିତ୍ୟ, ସଂସ୍କୃତି ଓ ଅସ୍ମିତାର ପ୍ରତୀକ। ଗୀତଗୋବିନ୍ଦ ସଦନରେ ଆୟୋଜିତ ସୁରେନ୍ଦ୍ର ମହାନ୍ତିଙ୍କ କନ୍ୟା ତଥା ଲେଖିକା ଲୋପାମୁଦ୍ରା ମହାନ୍ତିଙ୍କ ପୁସ୍ତକ ‘ଲୋକାପୁଅ ସୁରିଆ’ର ଉନ୍ମୋଚନ ଉତ୍ସବରେ ଅତିଥିମାନେ ଏଭଳି କହିଛନ୍ତି। କାର୍ଯ୍ୟକ୍ରମର ମୁଖ୍ୟଅତିଥି ଇଷ୍ଟର୍ଣ୍ଣ ମିଡିଆ ଲିମିଟେଡ୍ର ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦ୍ଦେଶକ ସୌମ୍ୟରଂଜନ ପଟ୍ଟନାୟକ କହିଲେ ଯେ ସୁରେନ୍ଦ୍ର ମହାନ୍ତି ଏକ ଅଦ୍ଭୁତ ପ୍ରତିଭାର ଅଧିକାରୀ ଥିଲେ। ସେ ହିଁ ଓଡ଼ିଆ ଅସ୍ମିତାର ଅନ୍ୟତମ ପ୍ରତୀକ ଥିଲେ। ସାରା ବିଶ୍ୱରେ ସେ ମହାପ୍ରଭୁ ଜଗନ୍ନାଥଙ୍କୁ ଏକ ସ୍ବତନ୍ତ୍ର ତଥା ଭିନ୍ନ ରୂପରେ ଉପସ୍ଥାପନ କରିପାରିଥିଲେ। ସେ ‘ସମ୍ବାଦ’ର ପ୍ରଥମ ସମ୍ପାଦକ ହୋଇ ବାଟ ଦେଖାଇଥିବା କହି ଶ୍ରୀ ପଟ୍ଟନାୟକ ତାଙ୍କ ସହ ବିତିଥିବା ମୁହୂର୍ତ୍ତଗୁଡ଼ିକର ସ୍ମୃତିଚାରଣ କରିଥିଲେ।
ଅନ୍ୟତମ ଅତିଥି ଓଡ଼ିଆ ଚଳଚ୍ଚିତ୍ର ପ୍ରଯୋଜକ, ନିର୍ଦ୍ଦେଶକ, ଅଭିନେତା ତଥା ରାଜନେତା ପ୍ରଶାନ୍ତ ନନ୍ଦ କହିଥିଲେ ଯେ ସ୍ୱର୍ଗତ ସୁରେନ୍ଦ୍ର ମହାନ୍ତି ତାଙ୍କ ରଚନାରେ ଶବ୍ଦ ସହ ନିଜକୁ ସମର୍ପି ଦେଉଥିଲେ। ପ୍ରାକ୍ତନ ପ୍ରଶାସକ ସଞ୍ଜୀବ ଚନ୍ଦ୍ର ହୋତା ତାଙ୍କ ସଭାପତିତ୍ୱ ଅଭିଭାଷଣରେ କହିଥିଲେ ଯେ ଓଡ଼ିଆ ଭାଷା, ସାହିତ୍ୟ, ଐତିହ୍ୟ, କାଳଖଣ୍ଡର କାଳଜୟୀ ପୁରୁଷ ଥିଲେ ସ୍ବର୍ଗତ ମହାନ୍ତି। ଅନ୍ୟତମ ଅତିଥି ସାହିତ୍ୟିକ, ସ୍ତମ୍ଭକାର ଦାଶ ବେନହୁର କହିଲେ ଯେ ଆତ୍ମଜୀବନୀଠାରୁ ଜୀବନୀ ଅଧିକ ପୂର୍ଣ୍ଣାଙ୍ଗ ଓ ତଥ୍ୟଭିତ୍ତିକ। ଏହି ପୁସ୍ତକକୁ ସମୀକ୍ଷା କରି ସ୍ୱର୍ଗତ ମହାନ୍ତିଙ୍କ ଜୀବନର ଛୋଟଛୋଟ ଟୁକୁରା କଥାଗୁଡ଼ିକ ସୁନ୍ଦର ଓ ସରଳ ଭାବରେ ଉପସ୍ଥାପିତ ହୋଇଛି ବୋଲି କହିଥିଲେ। ଅନ୍ୟତମ ଅତିଥି ଏସ୍ଏନ୍ଏମ୍ ଗ୍ରୁପ୍ର ଅଧ୍ୟକ୍ଷ ପ୍ରଦୀପ୍ତ ମହାନ୍ତି, କିଭଳି ସ୍ବର୍ଗତ ମହାନ୍ତିଙ୍କ ରଚନାଗୁଡ଼ିକର ମହତ୍ତ୍ୱ ବାବଦରେ ଜାଣିଲେ, ସେ ବିଷୟରେ କହିଥିଲେ। ପୁସ୍ତକ ‘ଲୋକାପୁଅ ସୁରିଆ’ର ଲେଖିକା ଲୋପାମୁଦ୍ରା ନିଜ ଲେଖକୀୟ ଅଭିବ୍ୟକ୍ତି ପ୍ରଦାନ କରିଥିଲେ। ସ୍ୱର୍ଗତ ମହାନ୍ତି ତାଙ୍କୁ ଝିଅ ନୁହେଁ ମା’ ବୋଲି ସମ୍ୱୋଧନ କରୁଥିଲେ ବୋଲି ସେ କହିଥିଲେ। ଏହି ଅବସରରେ ପ୍ରକାଶକ ବିଜୟ କୁମାର ମହାପାତ୍ର, ନିହାର ରଞ୍ଜନ ଶତପଥୀଙ୍କ ସମେତ ବହୁ ସ୍ୱେଚ୍ଛାସେବୀଙ୍କୁ ସମ୍ୱର୍ଦ୍ଧିତ କରାଯାଇଥିଲା। କାର୍ଯ୍ୟକ୍ରମରେ ପୁସ୍ତକ ପ୍ରକାଶକ ଶ୍ରୀ ମହାପାତ୍ର ସ୍ୱାଗତ ଭାଷଣ ଓ ପ୍ରକାଶକୀୟ ଅଭିବ୍ୟକ୍ତି ପ୍ରଦାନ କରିଥିଲେ। ଅଭିନେତ୍ରୀ ମଧୁମିତା ମହାନ୍ତି ମଞ୍ଚ ସଂଚାଳନ କରିଥିଲେ ଏବଂ ସୁମିତ୍ରା ପାଢ଼ୀ ଧନ୍ୟବାଦ ଦେଇଥିଲେ।