ପିଇଓଙ୍କୁ ମାଡ଼ ଘଟଣା: ଜେଲ୍‌ ଗଲେ ସୁରେନ୍ଦ୍ର, କେବେ ବନ୍ଧା ହେବେ ଟୁଟୁ?

ଆନନ୍ଦପୁର : ଘସିପୁରା ବ୍ଲକ୍‌ ପରିସରରେ ଖାଳିଆମେଣ୍ଟା ପଞ୍ଚାୟତର ପିଇଓ ରାମଚନ୍ଦ୍ର ନାୟକଙ୍କୁ ମାଡ଼ ଘଟଣାରେ ସେହି ପଞ୍ଚାୟତର ସରପଞ୍ଚ ପ୍ରୀତିନନ୍ଦା ଭୂୟାଁଙ୍କ ସ୍ବାମୀ ସୁରେନ୍ଦ୍ର ଭୂୟାଁ ଗିରଫ ହୋଇଛନ୍ତି। ତାଙ୍କୁ ରାମଚନ୍ଦ୍ରପୁର ଥାନା ସାଇଁକୁଳରୁ ଗିରଫ କରାଯାଇଥିବା ଆନନ୍ଦପୁର ଏସ୍‌ଡିପିଓ ଅନିଲ କୁମାର ବେଉରିଆ ସୂଚନା ଦେଇଛନ୍ତି। ତେବେ ଏହି ଘଟଣାର ମୁଖ୍ୟ କାର୍ପଟଦାର କୁହାଯାଉଥିବା ଘସିପୁରା ବିଧାୟକ ବଦ୍ରିନାରାୟଣ ପାତ୍ରଙ୍କ ପୁଅ ଦେବାଶିଷ ପାତ୍ର ଓରଫ ଟୁଟୁଙ୍କୁ ପୁଲିସ କେବେ ଗିରଫ ତାକୁ ନେଇ ପ୍ରଶ୍ନ ଉଠିଛି। ଅନ୍ୟପକ୍ଷରେ ସୁରକ୍ଷା ଦାବିରେ ପିଇଓ ସଂଘ ପକ୍ଷରୁ ବ୍ଲକ୍‌ ପରିସରରେ ଗୁରୁବାର ମଧ୍ୟ ପିଇଓମାନେ କଲମଛାଡ଼ ଆନ୍ଦୋଳନ କରିଥିଲେ। ଏଥିରେ ବ୍ଲକ୍‌ର ସମସ୍ତ କର୍ମଚାରୀ ସାମିଲ ହୋଇଥିଲେ।

ଖାଳିଆମେଣ୍ଟା ପିଇଓ ଶ୍ରୀ ନାୟକଙ୍କୁ ମାଡ଼ ଘଟଣାରେ ଗତକାଲି ଦିନତମାମ ଘସିପୁରା ପୁଲିସ ପକ୍ଷରୁ ସୁରେନ୍ଦ୍ରଙ୍କୁ ଧରିବା ପାଇଁ ବିଭିନ୍ନ ସ୍ଥାନରେ ଚଢ଼ଉ କରାଯାଇଥିଲା। ହେଲେ ତାଙ୍କର କୌଣସି ପତ୍ତା ମିଳି ନଥିଲା। ବିଳମ୍ବିତ ରାତିରେ ସୁରେନ୍ଦ୍ରଙ୍କୁ ସାଇଁକୁଳରୁ ଗିରଫ କରାଯାଇଥିବା ନେଇ ଆନନ୍ଦପୁର ଏସ୍‌ଡିପିଓ ଶ୍ରୀ ବେଉରିଆ ଘସିପୁରା ଥାନା ପରିସରରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି। ସୁରେନ୍ଦ୍ରଙ୍କୁ ଘସିପୁରା ଗ୍ରାମ୍ୟ ନ୍ୟାୟାଳୟରେ ହାଜର କରାଯାଇଥିଲା। ଜାମିନ ନାମଞ୍ଜୁର ହେବାରୁ ତାଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି। ସେହିପରି ଏହି ଘଟଣାର ଅନ୍ୟତମ ଅଭିଯୁକ୍ତ ଦେବାଶିଷ ପାତ୍ରଙ୍କ ନାମରେ ମଧ୍ୟ ମାମଲା ରୁଜୁ ହୋଇଛି। ଘଟଣାର ତଦନ୍ତ ଚାଲିଛି ବୋଲି ଶ୍ରୀ ବେଉରିଆ କହିଛନ୍ତି। ଦେବାଶିଷ ଶାସକ ଦଳର ଜଣେ ପ୍ରଭାବଶାଳୀ ବିଧାୟକଙ୍କ ପୁଅ ହୋଇଥିବାରୁ ତାଙ୍କୁ ଗିରଫ କରିବା ପାଇଁ ପୁଲିସ ସାହସ ଜୁଟାଇ ପାରୁନଥିବା ଅଭିଯୋଗ ହୋଇଛି।

ପିଇଓ ଶ୍ରୀ ନାୟକଙ୍କ ପକ୍ଷରୁ ଥାନାରେ ଦିଆଯାଇଥିବା ଏତଲାରେ ଦର୍ଶାଯାଇଛି ଯେ, ସୁରେନ୍ଦ୍ର ତାଙ୍କୁ ମାଡ଼ ମାରିବାର କିଛି ସମୟ ମଧ୍ୟରେ ଦେବାଶିଷ ବ୍ଲକ୍‌ କାର୍ଯ୍ୟାଳୟରେ ପହଞ୍ଚିଥିଲେ। ନିଜ କାର୍‌ (ଓଡି-୦୨-ବିଆର୍‌-୭୨୭୩)ରେ ତାଙ୍କୁ ବଳପୂର୍ବକ ସରକାରୀ ଡାକବଙ୍ଗଳାକୁ ଉଠାଇ ନେଇଥିଲେ। ସେଠାରେ ତାଙ୍କୁ ୫୦ ହଜାର ଟଙ୍କା ନେଇ ଘଟଣାର ସମାଧାନ କରିବାକୁ ଚାପ ପକାଇଥିଲେ। ପିଇଓ ଶ୍ରୀ ନାୟକ ଏଥିରେ ରାଜି ନହେବାରୁ ତାଙ୍କୁ ଦେବାଶିଷ ଓ ସୁରେନ୍ଦ୍ର ଡାକବଙ୍ଗଳାରେ ନିସ୍ତୁକ ମାଡ଼ ମାରିଥିଲେ। ଫଳରେ ସେ ଅଚେତ ହୋଇପଡ଼ିଥିଲେ। ଏକଥା ନିଜେ ପିଇଓ ଶ୍ରୀ ନାୟକ କାନ୍ଦିକାନ୍ଦି ଗତକାଲି ଗଣମାଧ୍ୟମ ପ୍ରତିନିଧିଙ୍କ ସମ୍ମୁଖରେ କହିଥିଲେ। ଏହାସ‌ତ୍ତ୍ବେ ଦେବାଶିଷଙ୍କୁ ଗିରଫ କରିବା ପାଇଁ ପୁଲିସକୁ ଆଉ ‌କେତେ ପ୍ରମାଣ ଆବଶ୍ୟକ ବୋଲି ସାଧାରଣରେ ଚର୍ଚ୍ଚା ହେଉଛି। ଏବେ ସୁରେନ୍ଦ୍ରକୁ ଗିରଫ କରି ଏହି ମାମଲାକୁ ରଫାଦଫା କରିଦେବାକୁ ଭିତିରିଆ ଉଦ୍ୟମ ଚାଲିଥିବା ଚର୍ଚ୍ଚା ହେଉଛି।

ଅନ୍ୟପକ୍ଷରେ ବ୍ଲକ୍‌ କାର୍ଯ୍ୟାଳୟରେ ପଶି ଜଣେ ପିଇଓ ଆକ୍ରମଣ କରିବା ଘଟଣାକୁ ବିଭିନ୍ନ ମହଲରେ ନିନ୍ଦା କରାଯାଇଛି। କର୍ମକ୍ଷେତ୍ରରେ ସୁରକ୍ଷା ଦାବି କରି ଗତକାଲି ପରି ଆଜି ମଧ୍ୟ ପିଇଓମାନେ ବ୍ଲକ୍‌ ପରିସରରେ ଧାରଣାରେ ବସିଥିଲେ। ସେମାନଙ୍କ ସହ ବ୍ଲକ୍‌ର ସମସ୍ତ କର୍ମଚାରୀ ମଧ୍ୟ ସାମିଲ ହୋଇଥିଲେ। ଅପରାହ୍‌ଣ ୩ଟାବେଳେ ଆନନ୍ଦପୁର ଏସ୍‌ଡିପିଓ ଅନିଲ ବେଉରିଆ ଧାରଣାସ୍ଥଳରେ ବସିଥିବା କର୍ମଚାରୀଙ୍କ ସହ ଆଲୋଚନା କରିଥିଲେ। କାର୍ଯ୍ୟକ୍ଷେତ୍ରରେ ସୁରକ୍ଷା ଦେବା ପାଇଁ ପ୍ରତିଶ୍ରୁତି ଦେବା ପରେ ଧାରଣା ପ୍ରତ୍ୟାହୃତ ହୋଇଛି।

ସମ୍ବନ୍ଧିତ ଖବର