ବିଜୁଙ୍କ ସମ୍ପର୍କରେ କହି ଆଖିରେ ଲୁହ ଆଣିଲେ ସୁର

କାକଟପୁର : ପ୍ରବାଦ ପୁରୁଷ ସ୍ବର୍ଗତ ବିଜୁ ପଟ୍ଟନାୟକଙ୍କୁ ଅତି ନିକଟରୁ ଦେଖିଥିବା ଓ ତାଙ୍କ ସହ କାର୍ଯ୍ୟ କରିଥିବା ବର୍ଷୀୟାନ ବିଜେଡି ନେତା ତଥା ପୂର୍ବତନ ମନ୍ତ୍ରୀ ସୁରେନ୍ଦ୍ର ନାଥ ନାୟକ ଆଜି କାକଟପୁର ବସ୍‌ଷ୍ଟାଣ୍ତସ୍ଥିତ ପଦ୍ମଚରଣ ସାମନ୍ତସିଂହାର ଟ୍ରଷ୍ଟ୍‌ ପରିସରରେ ଥିବା ସ୍ବର୍ଗତ ବିଜୁବାବୁଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରି ତାଙ୍କର ସ୍ମୃତିଚାରଣ କରିଛନ୍ତି। ଏହି ଅବସରରେ ଶ୍ରୀ ନାୟକ ବିଜୁ ବାବୁଙ୍କ ସଂପର୍କରେ କହିଥିବା ଦୁଇ ପଦ କଥା ଉପସ୍ଥିତ ଲୋକଙ୍କ ଆଖିରେ ଲୁହ ଭରି ଦେଇଥିଲା। ସେ କହିଥିଲେ, ବିଜୁ ପଟ୍ଟନାୟକ ମୋତେ ପୁଅ ଭଳି ଦେଖିଥିଲେ। ତାଙ୍କ ଯୋଗୁଁ ମୁଁ ରାଜ୍ୟ ତଥା ଦେଶରେ ପରିଚୟ ଲାଭ କରିଛି। ମୋର ତ ବେଳ ହୋଇଗଲାଣି ଯିବା ପାଇଁ। ତାଙ୍କ ନିକଟରେ ମୋର ମନ ସବୁବେଳେ ରହିଆସିଛି ଏବଂ ସବୁବେଳେ ରହିଥିବ। ବିଜୁ ବାବୁ ଓଡ଼ିଶାରେ ବିକାଶର ଯେଉଁ ମୂଳଦୁଆ ପକାଇଥିଲେ ଆଜି ସରକାର ତାହା ଉପରେ କାର୍ଯ୍ୟ କରି ଚାଲିଛନ୍ତି ବୋଲି ଶ୍ରୀ ନାୟକ ପ୍ରକାଶ କରିଥିଲେ। ଏହି ଉତ୍ସବରେ ଅନ୍ୟମାନଙ୍କ ମଧ୍ୟରେ ସାଂସଦ ପ୍ରତିନିଧି ଜ୍ଞାନ ରଂଜନ ସାହୁ, ପୂର୍ବତନ ବ୍ଲକ୍‌ ଅଧ୍ୟକ୍ଷ କବିରାଜ ବିଶ୍ବାଳ, ପୂର୍ବତନ ଉପାଧ୍ୟକ୍ଷ ତୁଷାରକାନ୍ତ ସ୍ବାଇଁ, ଯୁବନେତା ଅଭୟ ସେଠୀ, କାକଟପୁର ବ୍ଲକ୍‌ ଅଧ୍ୟକ୍ଷା ମନୋରମା ସ୍ବାଇଁ, ବିଜେଡି ନେତା ଦୁର୍ଗାଚରଣ ଖୁଣ୍ଟିଆ, ବିଜେଡି ବ୍ଲକ୍‌ ସଭାପତି ପ୍ରାଣକୃଷ୍ଣ ମଲ୍ଲିକ, ରୋସନ କୁମାର ବିଶ୍ବାଳ ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର