ସୁରେଶ-ଅଶୋକ ସ୍ମାରକୀ ସର୍ବଭାରତୀୟ କବାଡ଼ି ଉଦ୍‌ଯାପିତ : ପୁରୁଷରେ କୋଲ୍‌କାତା ପୁଲିସ୍‌ ଓ ମହିଳାରେ କୁଆଖିଆ ଚମ୍ପିଅନ

ସମ୍ବଲପୁର : ସମ୍ବଲପୁର ଟାଉନ୍‌ ହଲ୍‌ ପଡ଼ିଆରେ ଚାଲିଥିବା ସୁରେଶ ସେଠ୍‌ ଓ ଅଶୋକ ଶର୍ମା ସ୍ମାରକୀ ସର୍ବଭାରତୀୟ କବାଡ଼ି ପ୍ରତିଯୋଗିତା ରବିବାର ଉଦ୍‌ଯାପିତ ହୋଇଯାଇଛି। ପୁରୁଷ ବର୍ଗର ଫାଇନାଲ୍‌ରେ କୋଲ୍‌କାତା ପୁଲିସ୍‌ ୫୬-୨୧ ପଏଣ୍ଟ ବ୍ୟବଧାନରେ କଟକକୁ ପରାସ୍ତ କରି ଚାମ୍ପିଅନ୍‌ ହୋଇଥିଲା। ସେହିଭଳି ମହିଳା ବର୍ଗରେ କୁଆଖିଆ ୬୧-୨୪ ପଏଣ୍ଟ ବ୍ୟବଧାନରେ ସମ୍ବଲପୁରକୁ ପରାସ୍ତ କରି ଚାମ୍ପିଅନ୍‌ ହୋଇଥିଲା। ଉଦ୍‌ଯାପନୀ ଉତ୍ସବରେ ସ୍ବାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାଶ ମୁଖ୍ୟ ଅତିଥି, ସମ୍ବଲପୁର ସାଂସଦ ନିତେଶ ଗଙ୍ଗଦେବ, ଅରୁନ୍ଧତୀ ଦେବୀ, ସମ୍ବଲପୁର ବିଧାୟକ ଜୟନାରାୟଣ ମିଶ୍ର ଓ ସିଆର୍‌ପିଏଫ୍‌ ଡିଆଇଜି ରାଜ କୁମାର ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ବିଜୟୀ ଦଳଙ୍କୁ ପୁରସ୍କୃତ କରିଥିଲେ। ଚାମ୍ପିଅନ୍‌ କୋଲ୍‌କାତା ପୁଲିସ୍‌କୁ ୫୧ ହଜାର ଟଙ୍କା ଓ ଟ୍ରଫି, ରନର୍ସ ଅପ୍‌ କଟକ ଟିମ୍‌କୁ ୩୧ ହଜାର ଟଙ୍କା ଓ ଟ୍ରଫି ପ୍ରଦାନ କରାଯାଇଥିଲା।

ମହିଳା ବର୍ଗର ଚାମ୍ପିଅନ୍‌ କୁଆଖିଆକୁ ୩୧ ହଜାର ଟଙ୍କା ଓ ଟ୍ରଫି ଏବଂ ରନର୍ସ ଅପ୍‌ ସମ୍ବଲପୁର ଟିମ୍‌କୁ ୨୧ ହଜାର ଟଙ୍କା ଓ ଟ୍ରଫି ପ୍ରଦାନ କରାଯାଇଥିଲା। ରବିବାର ଅନ୍ତିମ ଦିନରେ ପୁରୁଷ ବର୍ଗରେ ୪ଟି ଲିଗ୍‌ ମ୍ୟାଚ, ୨ଟି ସେମି ଫାଇନାଲ୍‌ ମ୍ୟାଚ ଓ ଗୋଟିଏ ଫାଇନାଲ ମ୍ୟାଚ ଅନୁଷ୍ଠିତ ହୋଇଥିଲା। ସେହିପରି ମହିଳା ବର୍ଗରେ ୨ଟି ସେମି ଫାଇନାଲ ଓ ଫାଇନାଲ ମ୍ୟାଚ ହୋଇଥିଲା। ପୁରୁଷ ବର୍ଗର ପ୍ରଥମ କ୍ବାର୍ଟର ଫାଇନାଲ ମ୍ୟାଚରେ ରାଉରକେଲା ୩୮-୧୫ ପଏଣ୍ଟରେ ଭୁବନେଶ୍ବରକୁ ପରାସ୍ତ କରିଥିଲା। ଦ୍ବିତୀୟ କ୍ବାର୍ଟର ଫାଇନାଲ୍‌ରେ କଟକ ୪୫-୨୯ ପଏଣ୍ଟରେ ଗଁଦିଆକୁ ପରାସ୍ତ କରି ବିଜୟୀ ହୋଇଥିଲା। ତୃତୀୟ କ୍ବାର୍ଟର ଫାଇନାଲରେ କୋଲ୍‌କାତା ପୁଲିସ୍‌ ୪୫-୨୧ରେ ନୂଆପଡ଼ାକୁ ପରାସ୍ତ କରି ସେମିରେ ପ୍ରବେଶ କରିଥିଲା। ସେହିଭଳି ଚତୁର୍ଥ କ୍ବାର୍ଟର ଫାଇନାଲ୍‌ରେ ଢେଙ୍କାନାଳ ୩୨-୨୧ ପଏଣ୍ଟ ବ୍ୟବଧାନରେ ସମ୍ବଲପୁରକୁ ପରାସ୍ତ କରିଥିଲା।

ପୁରୁଷ ବର୍ଗର ପ୍ରଥମ ସେମି ଫାଇନାଲ୍‌ରେ କଟକ ୩୨-୧୭ ପଏଣ୍ଟ ବ୍ୟବଧାନରେ ରାଉର‌କେଲାକୁ ପରାସ୍ତ କରି ଫାଇନାଲ୍‌ରେ ପ୍ରବେଶ କରିଥିଲା। ଦ୍ବିତୀୟ ସେମିରେ କୋଲ୍‌କାତା ପୁଲିସ୍‌ ୩୫-୨୧ ପଏଣ୍ଟରେ ଢେଙ୍କାନାଳକୁ ପରାସ୍ତ କରି ଫାଇନାଲକୁ ଯାଇଥିଲା। ସେହିଭଳି ମହିଳା ବର୍ଗର ପ୍ରଥମ ସେମି ଫାଇନାଲ୍‌ରେ ସମ୍ବଲପୁର ୩୩-୨୮ ପଏଣ୍ଟ ବ୍ୟବଧାନରେ ଭୁବନେଶ୍ବରକୁ ପରାସ୍ତ କରି ଫାଇନାଲରେ ପ୍ରବେଶ କରିଥିଲା। ଦ୍ବିତୀୟ ମ୍ୟାଚରେ କୁଆଖିଆ ୩୨-୨୪ ପଏଣ୍ଟ ବ୍ୟବଧାନରେ ଦୁର୍ଗକୁ ପରାସ୍ତ କରି ଫାଇନାଲକୁ ଯାଇଥିଲା। କ୍ଲବ୍‌ ସଭାପତି ସିଦ୍ଧାର୍ଥ ସାହା ଓ ଅନ୍ୟ କର୍ମକର୍ତ୍ତା ଉପସ୍ଥିତ ରହି ପ୍ରତିଯୋଗୀଙ୍କୁ ଉତ୍ସାହିତ କରିଥିଲେ।

ସମ୍ବନ୍ଧିତ ଖବର