ସମ୍ବଲପୁର: ଅଭିନେତା ମନୋଜ ମିଶ୍ରଙ୍କ ସମର୍ଥନରେ ସମ୍ବଲପୁରର ବହୁ ସଂଗଠନ ଏବେ ଆଗେଇ ଆସିଛନ୍ତି। ବଲାଙ୍ଗୀର ବିଧାୟକ ନରସିଂହ ମିଶ୍ର, ରେଂଗାଲି ବିଧାୟକ ନାଉରୀ ନାୟକଙ୍କ ପରେ ଏବେ ପୁଣି ବରଗଡ଼ ସାଂସଦ ତଥା ବରିଷ୍ଠ ବିଜେପି ନେତା ସୁରେଶ ପୂଜାରୀ ମଧ୍ୟ ମନୋଜଙ୍କ ସମର୍ଥନରେ ବାହାରିଛନ୍ତି। ସୁରେଶ ପୂଜାରୀ କହିଛନ୍ତି, ମନୋଜ ମିଶ୍ର ଜଣେ ସାଧାରଣ ସିନେ କଳାକାର ନୁହନ୍ତି। ହିନ୍ଦୀ, ଓଡ଼ିଆ ସହିତ ଦେଶର ଅନ୍ୟ କେତେକ ଭାଷାର ଚଳଚ୍ଚିତ୍ରରେ ବି କାମ କରିଛନ୍ତି। ସେ ଜଣେ ବହୁମୁଖୀ ପ୍ରତିଭା ସଂପନ୍ନ କଳାକାର।

Advertisment

ତାଙ୍କ ‘ମାଇଣ୍ଡଗେମ୍‌’ ସିନେମା ହିନ୍ଦୀ ଚଳଚ୍ଚିତ୍ର ଠାରୁ କୌଣସି ଗୁଣରେ କମ୍ ନୁହେଁ। ମନୋଜ ମିଶ୍ରଙ୍କୁ ବାସନ୍ଦ କରିବା ଅସହିଷ୍ଣୁତାର ଚରମ ନିଦର୍ଶନ ଏବଂ ଆଂଚଳିକତାବାଦର ନଗ୍ନ ଉଦାହରଣ। ମନୋଜ ପଶ୍ଚିମ ଓଡ଼ିଶାର ଲୋକ ଓ ସମ୍ବଲପୁରୀ ଭାଷାରେ ‘ମାଇଣ୍ଡଗେମ୍’ ଡବିଂ ହୋଇଥିବାରୁ ତାଙ୍କ ବିରୋଧରେ ଉଦ୍ଦେଶ୍ୟମୂଳକ ଭାବେ ଏଭଳି କାର୍ଯ୍ୟାନୁଷ୍ଠାନ ନିଆଯାଇଛି। ମନୋଜଙ୍କୁ ବାସନ୍ଦକରି ପ୍ରଯୋଜକମାନେ ଓଲିଉଡ୍‌ର କ୍ଷତି କରୁଛନ୍ତି। ପଶ୍ଚିମ ଓଡ଼ିଶାର ଭାବାବେଗ ସହିତ ଖେଳିବାର ଚେଷ୍ଟା କରନ୍ତୁ ନାହିଁ। ପ୍ରଯୋଜକମାନେ ନିଜ ଭୁଲ୍‌ ପଦକ୍ଷେପ ପାଇଁ ପଶ୍ଚିମ ଓଡ଼ିଶାବାସୀଙ୍କ ନିକଟରେ କ୍ଷମା ପ୍ରର୍ଥନା କରନ୍ତୁ ଓ ତୁରନ୍ତ ବାସନ୍ଦ ପ୍ରତ୍ୟାହାର କରନ୍ତୁ ବୋଲି ବରଗଡ଼ ସାଂସଦ ସୁରେଶ ପୂଜାରୀ କହିଛନ୍ତି।

ଅପରପକ୍ଷରେ ମନୋଜ ମିଶ୍ରଙ୍କୁ ବାସନ୍ଦ ଏବଂ ସମ୍ବଲପୁରୀ ଭାଷା ପ୍ରତି ଅପମାନର ପ୍ରତିବାଦ କରିବା ନିମନ୍ତେ ହୀରାଖଣ୍ଡ ସାମ୍ମୁଖ୍ୟ, ସମ୍ବଲପୁରୀ ଭାଷା ସଂସ୍କୃତି ପରିଷଦ ଓ ଓଡ଼ିଶା ସାଂସ୍କୃତିକ ସମାଜ ପକ୍ଷରୁ ଆସନ୍ତା ୪ ତାରିଖ ସନ୍ଧ୍ୟାରେ ମିଳିତ ଭାବେ ଏକ ସଭା ଡକାଯାଇଛି। ଆଜି ପୁଣି ମନୋଜ ମିଶ୍ର ଅଭିନେତା ଅରିନ୍ଦମ ରାୟ ମିଛ କହୁଥିବା ଅଭିଯୋଗ ଆଣିଛନ୍ତି। ଆଉ ବେଶି ତାଙ୍କୁ ଦୁଃଖ ନଦେବା, ରାଜନୀତି ନକରି ଓଡ଼ିଶାର ସିନେମା ବିତରଣ ବ୍ୟବସ୍ଥାକୁ ସଜାଡ଼ିବାରେ ସାହାଯ୍ୟ କରିବାରେ ମନୋଜ ପୁଣି ଥରେ ଅରିନ୍ଦମଙ୍କୁ ଅନୁରୋଧ କରିଛନ୍ତି।