ଭୁବନେଶ୍ୱର : ଓଡ଼ିଶା ବିଦ୍ୟୁତ୍‌ ନିୟାମକ ଆୟୋଗ(ଓଇ୍‌ଆରସି) ଅଧ୍ୟକ୍ଷ ଭାବେ ସୁରେଶ ଚନ୍ଦ୍ର ମହାପାତ୍ର ବୁଧବାର ଦିନ ଶପଥ ଗ୍ରହଣ କରିଛନ୍ତି। ରାଜଭବନରେ ଅନୁଷ୍ଠିତ ଶପଥ ପାଠ ଉତ୍ସବରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍‌ ନବନିଯୁକ୍ତ ଅଧ୍ୟକ୍ଷ ଶ୍ରୀ ମହାପାତ୍ରଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଥିଲେ। ପ୍ରାରମ୍ଭରେ ଶକ୍ତି ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ନିକୁଞ୍ଜ କିଶୋର ଧଳ ରାଜ୍ୟପାଳଙ୍କ ନିଯୁକ୍ତିପତ୍ର ପାଠ କରିଥିଲେ। ଶକ୍ତି, ଶିଳ୍ପ, ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ମନ୍ତ୍ରୀ ପ୍ରତାପ କେଶରୀ ଦେବ, ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନା, ରାଜ୍ୟପାଳଙ୍କ ପ୍ରମୁଖ ସଚିବ ଶାଶ୍ୱତ ମିଶ୍ର, କୃଷି ଓ କୃଷକ ସଶକ୍ତୀକରଣ ବିଭାଗ ପ୍ରମୁଖ ଶାସନ ସଚିବ ଅରବିନ୍ଦ ପାଢ଼ୀ, ଅର୍ଥ ବିଭାଗର ପ୍ରମୁଖ ଶାସନ ସଚିବ ବିଶାଳ ଦେବ, ସମବାୟ ବିଭାଗ ପ୍ରମୁଖ ଶାସନ ସଚିବ ସଞ୍ଜୀବ ଚଢ଼ା ଓ ଆୟୋଗଙ୍କ ସଦସ୍ୟଙ୍କ ସମେତ ବହୁ ବରିଷ୍ଠ ଅଧିକାରୀ ଉତ୍ସବରେ ଉପସ୍ଥିତ ଥିଲେ।

Advertisment

୨୦୨୨ ଜାନୁଆରି ୧୫ରେ ଓଇ୍‌ଆରସି ଅଧ୍ୟକ୍ଷ ଭାବେ ଉପେନ୍ଦ୍ରନାଥ ବେହେରାଙ୍କର କାର୍ଯ୍ୟକାଳ ଶେଷ ହୋଇଥିଲା। ଏହାର ପରଦିନ ଅର୍ଥାତ୍ ୨୦୨୨ ଜାନୁଆରି ୧୬ରେ ଓଇଆରସି ଅଧ୍ୟକ୍ଷ ନିଯୁକ୍ତି ପାଇଁ ରାଜ୍ୟ ସରକାର ବିଜ୍ଞାପନ କରିଥିଲେ। ଓଡ଼ିଶା ବିଦ୍ୟୁତ୍ ଆଇନ ୨୦୦୩ର ଧାରା ୮୫ ଅନୁସାରେ, ଆୟୋଗ ଅଧ୍ୟକ୍ଷ ଅବସର ନେବାର ୬ମାସ ପୂର୍ବରୁ ସରକାର ନୂତନ ଅଧ୍ୟକ୍ଷ ନିଯୁକ୍ତି ପ୍ରକ୍ରିୟା ଆରମ୍ଭ କରିବା କଥା ଏବଂ ଏହା ତିନିମାସ ମଧ୍ୟରେ ସରିବାର ନିୟମ ରହିଛି। ମାତ୍ର ତାହାକୁ ଏପର୍ଯ୍ୟନ୍ତ କାର୍ଯ୍ୟକାରୀ କରାଯାଉ ନ ଥିଲା।୨୦୨୨-୨୩ ଭଳି ବିନା ଅଧ୍ୟକ୍ଷରେ ୨୦୨୩-୨୪ ବର୍ଷ ପାଇଁ ବିଦ୍ୟୁତ୍ ଦର ନିର୍ଧାରଣ ସଂକ୍ରାନ୍ତ ଜନଶୁଣାଣି ହେବା ପରେ ଆପତ୍ତିକର୍ତ୍ତା (ଅବଜେକ୍ଟର)ମାନେ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଥିଲେ। ଏପରିକି ଶୁଣାଣି ସ୍ଥଗିତ ରଖିବାକୁ ଦାବି ରଖିଥିଲେ। ଶେଷରେ ରାଜ୍ୟ ସରକାର ଶ୍ରୀ ମହାପାତ୍ରଙ୍କୁ ଏହି ଗୁରୁତ୍ବପୂର୍ଣ୍ଣ ପଦରେ ନିଯୁକ୍ତି ଦେଇଥିଲେ। ଆସନ୍ତା ୪ ତାରିଖ ଦିନ ବିଦ୍ୟୁତ୍ ଦର ଧାର୍ଯ୍ୟ ସଂକ୍ରାନ୍ତ ଜନଶୁଣାଣି ରହିଛି। ଶ୍ରୀ ମହାପାତ୍ରଙ୍କ ସମେତ ତିନିଜଣିଆ ବେଞ୍ଚ ସେଦିନ ଜନଶୁଣାଣିରେ ଭାଗ ନେଇପାରନ୍ତି। ଆୟୋଗ ଏହା ପୂର୍ବରୁ ଦୁଇଜଣଙ୍କୁ ନେଇ କାର୍ଯ୍ୟ କରୁଥିଲା।