ଭୁବନେଶ୍ବର : ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ରଙ୍କ ଚାକିରି କାର୍ଯ୍ୟକାଳ ଦ୍ବିତୀୟ ଥର ପାଇଁ ବୃଦ୍ଧି କରାଯାଇଛି। ତାଙ୍କ ଚାକିରି ଅବଧି ମାର୍ଚ୍ଚ ୧ ତାରିଖରୁ ୬ ମାସ ବୃଦ୍ଧି କରାଯାଇଥିଲା; ଏବେ ଆଉ ୬ ମାସ ବୃଦ୍ଧି କରାଯାଇଛି। ସେ ୨୦୨୩ ଫେବ୍ରୁଆରି ୨୮ ତାରିଖରେ ଅବସର ଗ୍ରହଣ କରିବେ। ଗତ ୧୦ ତାରିଖରେ ରାଜ୍ୟ ସରକାରଙ୍କ ପକ୍ଷରୁ ଏ ସଂକ୍ରାନ୍ତରେ ଦିଆଯାଇଥିବା ପ୍ରସ୍ତାବରେ କେନ୍ଦ୍ର ସରକାର ମୋହର ମାରିଛନ୍ତି। ଗତକାଲି କେନ୍ଦ୍ର କାର୍ମିକ ମନ୍ତ୍ରଣାଳୟ ପକ୍ଷରୁ ଏ ନେଇ ରାଜ୍ୟ ସରକାରଙ୍କୁ ବିଧିବଦ୍ଧ ଭାବେ ଅବଗତ କରାଯାଇଛି।
୧୯୮୬ ବ୍ୟାଚ୍ର ଆଇଏଏସ୍ ଶ୍ରୀ ମହାପାତ୍ର ୨୦୨୧ ଜାନୁଆରି ୧ ତାରିଖରେ ମୁଖ୍ୟ ଶାସନ ସଚିବ ଭାବେ ଦାୟିତ୍ବ ଗ୍ରହଣ କରିଥିଲେ। ୨୦୨୨ ଫେବ୍ରୁଆରି ୨୮ ତାରିଖରେ ଚାକିରିରୁ ଅବସର ଗ୍ରହଣ କରିଥା’ନ୍ତେ। କିନ୍ତୁ ୨୦୨୧ ଡିସେମ୍ବର ମାସରେ ତାଙ୍କର କାର୍ଯ୍ୟକାଳ ୬ ମାସ ବଢ଼ାଇବାକୁ ରାଜ୍ୟ ସରକାର କେନ୍ଦ୍ରକୁ ସୁପାରିସ୍ କରିଥିଲେ। କେନ୍ଦ୍ର ସରକାର ସେଥିରେ ମୋହର ମାରିଥିଲେ। ଏହି ସମ୍ପ୍ରସାରଣ ଫଳରେ ସେ ଆଉ ୬ ମାସ ମୁଖ୍ୟ ଶାସନ ସଚିବ ଭାବେ କାର୍ଯ୍ୟ କରିଥିଲେ। ଅଗଷ୍ଟ ୩୧ ତାରିଖରେ ସେ ଅବସର ଗ୍ରହଣ କରିଥା’ନ୍ତେ।
ଶ୍ରୀ ମହାପାତ୍ରଙ୍କ ପରେ କିଏ ମୁଖ୍ୟ ଶାସନ ସଚିବ ହେବ, ତାହାକୁ ନେଇ କଳ୍ପନାଜଳ୍ପନା ଆରମ୍ଭ ହୋଇଯାଇଥିଲା। ଯେହେତୁ ଶ୍ରୀ ମହାପାତ୍ରଙ୍କର ଥରେ କାର୍ଯ୍ୟକାଳ ସମ୍ପ୍ରସାରଣ କରାଯାଇଛି, ତେଣୁ ଦ୍ବିତୀୟ ଥର ସମ୍ପ୍ରସାରଣ ସମ୍ଭାବନା କମ୍ ବୋଲି ସମସ୍ତେ ଧରି ନେଇଥିଲେ। କିନ୍ତୁ ରାଜ୍ୟ ସରକାର ସମସ୍ତଙ୍କୁ ଚକିତ କରି ପୁନର୍ବାର ଶ୍ରୀ ମହାପାତ୍ରଙ୍କ ଚାକିରି ଅବଧି ବଢ଼ାଇଛନ୍ତି। ଫଳରେ ପରବର୍ତ୍ତୀ ମୁଖ୍ୟ ଶାସନ ସଚିବଙ୍କୁ ନେଇ ଚାଲିଥିବା ଆଲୋଚନାରେ ପୂର୍ଣ୍ଣଛେଦ ପଡ଼ିଛି।
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କ୍ଷମତାକୁ ଆସିଲା ପରେ ପ୍ରଥମ ଥର ପାଇଁ କୌଣସି ମୁଖ୍ୟ ଶାସନ ସଚିବଙ୍କ କାର୍ଯ୍ୟକାଳ ସମ୍ପ୍ରସାରଣ କରାଯାଉଛି। ଥରେ ନୁହେଁ, ପୁଣି ଦୁଇ ଥର। ଏହି ସମ୍ପ୍ରସାରଣ କ୍ଷମତା କରିଡର୍ରେ ବେଶ୍ ଚର୍ଚ୍ଚାର ବିଷୟ ହୋଇଛି। ଗତ ୨୨ ବର୍ଷ ମଧ୍ୟରେ ଏକାଧିକ ମୁଖ୍ୟ ଶାସନ ସଚିବ ତୃତୀୟ ମହଲାର ଅତି ବିଶ୍ବସ୍ତ ଥିଲେ। ସେମାନଙ୍କ କାର୍ଯ୍ୟକାଳ ସମ୍ପ୍ରସାରଣ ନେଇ ଚର୍ଚ୍ଚା ହେଉଥିଲେ ବି ସେପରି କିଛି ଘଟି ନଥିଲା। ଅଧିକାଂଶ ମୁଖ୍ୟ ଶାସନ ସଚିବଙ୍କୁ ଅବସର ପରେ ସାନି ନିଯୁକ୍ତି ଦିଆଯାଉଥିଲା ସତ। କିନ୍ତୁ ସଚିବାଳୟ ବାହାରକୁ ହିଁ ବାଟ କଢ଼ାଇ ନିଆଯାଉଥିଲା। ତେବେ ଶ୍ରୀ ମହାପାତ୍ରଙ୍କ ଉପରେ ତୃତୀୟ ମହଲାର ଏପରି ଭରସା ପଛରେ କି ରହସ୍ୟ ରହିଛି, ଏବେ ଅନ୍ୟ ଆଇଏଏସ୍ ଅଧିକାରୀମାନେ ବି ବୁଝିପାରୁନାହାନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/07/suresh-mohapatra-odisha-diary.jpg)