ଉପେନ୍ଦ୍ରଙ୍କ ରାୟକୁ ରଦ୍ଦ କଲେ ସୁରେଶ : ୨୦୨୧ରେ ଉପଭୋକ୍ତାଙ୍କ ସ୍ବାର୍ଥକୁ ଦଳିଚକଟି ଦେଇଥିଲେ ଆୟୋଗ

ଆଉ ୩୦% ବିଦ୍ୟୁତ୍‌ ବେଦାନ୍ତ ଦେବନି ବୋଲି ରାୟ ଆସିଥିଲା, ଶେଷରେ ଭୁଲ୍ ବୁଝି ପୂର୍ବ ରାୟକୁ ରଦ୍ଦ କଲେ ଓଇଆର୍‌ସି

ଭୁବନେଶ୍ବର : ଶେଷରେ ଓଡ଼ିଶା ବିଦ୍ୟୁତ୍ ନିୟାମକ ଆୟୋଗ (ଓଇଆର୍‌ସି) ତାଙ୍କ ଭୁଲ୍‌କୁ ସୁଧାରିଛନ୍ତି। ଅବସରପ୍ରାପ୍ତ ଆଇଏଏସ୍‌ ଅଫିସର ଉପେନ୍ଦ୍ର ନାଥ ବେହେରା ଓଇଆର୍‌ସିର ଅଧ୍ୟକ୍ଷ ଥିବା ବେଳେ ୨୦୨୧ ଅକ୍ଟୋବର ୫ ତାରିଖରେ ବହୁ ରାଷ୍ଟ୍ରୀୟ କଂପାନି ବେଦାନ୍ତକୁ ସୁହାଇବା ଭଳି ତଥା ରାଜ୍ୟ ସ୍ବାର୍ଥ ପରିପନ୍ଥୀ ରାୟ ଦେଇଥିଲେ ତାହାକୁ ରଦ୍ଦ କରିଦିଆଯାଇଛି। ବର୍ତ୍ତମାନର ଓଇଆର୍‌ସି ଅଧ୍ୟକ୍ଷ ସୁରେଶ ଚନ୍ଦ୍ର ମହାପାତ୍ର ନିଜେ ଏଭଳି ଏକ ନିର୍ଦ୍ଦେଶନାମା ଦେଇ ସମସ୍ତଙ୍କୁ ଚମକାଇ ଦେଇଛନ୍ତି। ଫଳରେ ୨୦୧୨ରେ ସ୍ବାକ୍ଷରିତ ବିଦ୍ୟୁତ କିଣା ଚୁକ୍ତି (ପିପିଏ) ଅନୁଯାୟୀ ବେଦାନ୍ତ ରାଜ୍ୟ ସରକାରଙ୍କ ଗ୍ରିଡ୍‌କୋକୁ ଧାର୍ଯ୍ୟ କୋଟା (ବାର୍ଷିକ ୬୧୨ ମେଗାୱାଟ୍ ବା ୫୦୪୦ ନିୟୁତ ୟୁନିଟ୍)ର ବିଦ୍ୟୁତ ଯୋଗାଇବାରେ ଆଉ ଆଇନଗତ ପ୍ରତିବନ୍ଧକ ଉପୁଜିବ ନାହିଁ। ଆହୁରି ସରଳ ଭାବେ କହିଲେ, ଉପଭୋକ୍ତାଙ୍କ ସ୍ବାର୍ଥର ଦ୍ବାହି ଦେଇ ତଥା ସରକାରଙ୍କ ପ୍ରଚ୍ଛନ୍ନ ସମର୍ଥନରେ ଓଇଆର୍‌ସି ବେଦାନ୍ତକୁ ଯେଭଳି ବାର୍ଷିକ ୧୨୫୦ କୋଟି ଟଙ୍କାର ଅଯାଚିତ ଫାଇଦା ଟେକିଦେଇଥିଲେ, ସେଥିରୁ ଓହରିଆସିଛନ୍ତି।

ସ୍ମରଣଥାଉକି, ୨୦୦୬ ମସିହା ଜୁନ୍ ୨୯ ତାରିଖରେ ବେଦାନ୍ତ କଂପାନି ଝାରସୁଗୁଡାଠାରେ ୬ଶହ ମେଗାଵାଟ ଉତ୍ପାଦନ କ୍ଷମତାର ୪ଟି ୟୁନିଟ୍ (ମୋଟ ୨୪୦୦ ମେଗାଵାଟ୍‌) ସ୍ବାଧୀନ ତାପଜ ବିଦ୍ୟୁତ୍‌ ଉତ୍ପାଦନ କେନ୍ଦ୍ର (ଆଇପିପି) ପ୍ରତିଷ୍ଠା କରିଥିଲା। ରାଜ୍ୟ ସରକାର ଏଥିପାଇଁ ସୁଲଭ ମୂଲ୍ୟରେ ଜମି, ପାଣି,କୋଇଲା, ଜଙ୍ଗଲ ମଞ୍ଜୁରି ସହିତ ଅନ୍ୟାନ୍ୟ ଆନୁଷଙ୍ଗିକ ସହାୟତା ପ୍ରଦାନ କରିଥିଲେ। ଏଥିପାଇଁ ରାଜ୍ୟ ସରକାର ଏବଂ ବେଦାନ୍ତ ମଧ୍ୟରେ ଚୁକ୍ତି ସ୍ବାକ୍ଷରିତ ହୋଇଥିଲା। ପ୍ରତିବଦଳରେ ବେଦାନ୍ତ ୮୫% ପ୍ଲାଣ୍ଟ ଲୋଡ୍ ହିସାବରେ ବେଦାନ୍ତ ପ୍ରତିବର୍ଷ ରାଜ୍ୟକୁ ଉତ୍ପାଦିତ ବିଦ୍ୟୁତର ୩୦ ଭାଗ (ବାର୍ଷିକ ୫୦୪୦ ନିୟୁତ ୟୁନିଟ୍) ଯୋଗାଇବ। ୨୦୧୨ରେ ଗ୍ରିଡ୍‌କୋ ସହିତ ପିପିଏ ସ୍ବାକ୍ଷରିତ ହୋଇଥିଲା। ନିଜେ ଓଇଆରସି ବି ୨୦୧୩ ମସିହାରେ ଏହାକୁ ଅନୁମୋଦନ କରିଥିଲେ। ଏଥିରେ ସ୍ପଷ୍ଟ ଭାବେ ସର୍ତ୍ତ କୁହାଯାଇଥିଲା ଯେ ବେଦାନ୍ତର ଗୋଟିଏ ୟୁନିଟ୍ ରାଜ୍ୟ ପାଇଁ ଉତ୍ସର୍ଗୀକୃତ ରହିବ।

ତେବେ ପିପିଏ ଅନୁଯାୟୀ କମ୍ପାନି କେବେ ବି ଗ୍ରି଼ଡ୍‌କୋକୁ ଧାର୍ଯ୍ୟ କୋଟାର ବିଦ୍ୟୁତ ଦେଇ ନଥିଲା। ସେପଟେ ଗ୍ରିଡ୍‌କୋ ତଥା ସରକାର ମଧ୍ୟ କୌଣସି ଆପତ୍ତି ନ ଉଠାଇ ନିରବ ରହିଥିଲେ। ଏପରିକି କୌଣସି ବର୍ଷ ବିଦ୍ୟୁତ୍ ଶୁଳ୍କ ଧାର୍ଯ୍ୟ ଲାଗି ଜନ ଶୁଣାଣି ବେଳେ ଆୟୋଗ ଏଭଳି ଖିଲାପର ନିରାକରଣ ଦିଗରେ ଯଥୋଚିତ ଦୃଷ୍ଟି ଦେଇନଥିଲେ।

ଅନ୍ୟପକ୍ଷରେ ଏଭଳି ଢ଼ିଲାପଣରୁ ଫାଇଦା ଉଠାଇବାକୁ ବେଦାନ୍ତ ୨୦୧୫ରେ କାରସାଦି ଆରମ୍ଭ କରିଥିଲା। କମ୍ପାନି ଏହାର ଝାରସୁଗୁଡ଼ାସ୍ଥିତ ସମ୍ପ୍ରସାରିତ ଆଲୁମିନିୟମ୍ ପ୍ଲାଣ୍ଟ ପାଇଁ ଅଧିକ ବିଦ୍ୟୁତ୍‌ ଆବଶ୍ୟକ ହେଉଥିବା ଦର୍ଶାଇ ରାଜ୍ୟ ପାଇଁ ଉତ୍ସର୍ଗୀକୃତ ୟୁନିଟ୍-୨ ସମେତ ସମସ୍ତ ୪ଟି ଯାକ ୟୁନିଟ୍‌କୁ ନିଜସ୍ବ ବିଦ୍ୟୁତ୍‌ କେନ୍ଦ୍ର (ସିଜିପି)ରେ ପରିଣତ କରିବାକୁ ଓଇଆର୍‌ସିରେ ଆବେଦନ କରିଥିଲା। ଆୟୋଗର ତତ୍କାଳୀନ ଅଧ୍ୟକ୍ଷ ସତ୍ୟ ପ୍ରକାଶ ନନ୍ଦ ବେଦାନ୍ତ ଆବେଦନକୁ ପୁଙ୍ଖାନୁପୁଙ୍ଖ ତର୍ଜମା କରିବା ପରେ ପିପିଏ ସର୍ତ୍ତ ଅନୁଯାୟୀ ରାଜ୍ୟ କୋଟା କେବେ ବି ପ୍ରଭାବିତ ହେବ ନାହିଁ ବୋଲି ୨୦୧୬ ଜାନୁଆରି ୨୭ରେ ସ୍ପଷ୍ଟ ରାୟ ଦେଇଥିଲେ। କେବଳ ସେତିକି ନୁହେଁ, ୟୁନିଟ୍-୨ରୁ ଉତ୍ପାଦିତ ବିଦ୍ୟୁତ ଯଦି ରାଜ୍ୟ କୋଟା ପୂରଣରେ ବିଫଳ ହୁଏ, ତେବେ ସିଜିପିରୁ ଅବଶିଷ୍ଟ ବିଦ୍ୟୁତ୍‌ ଆସିବ ବୋଲି ଆୟୋଗ ବେଦାନ୍ତ ଠାରୁ ଲିଖିତ ପ୍ରତିଶ୍ରୁତି ଅସୁଲ କରିଥିଲେ।

ORF

ଆୟୋଗଙ୍କ ସ୍ପଷ୍ଟ ରାୟ ସତ୍ତ୍ବେ ବେଦାନ୍ତ ୨୦୨୨ ଯାଏ ଅର୍ଥାତ୍ ପାଖାପାଖି ୬ ବର୍ଷ ଧରି ପିପିଏକୁ ଉଲ୍ଲଂଘନ କରି ଧାର୍ଯ୍ୟ କୋଟାର ହାରାହାରି ମାତ୍ର ୩୬% ବିଦ୍ୟୁତ ଯୋଗାଇ ଅବଶିଷ୍ଟ ୬୪% ଅନାୟାସରେ ଫାଙ୍କି ଚାଲିଥିଲା। ପିପିଏର ଖୋଲା ଉଲ୍ଲଂଘନ କରି ଆସୁଥିବା ବେଦାନ୍ତ ବିରୋଧରେ ତତ୍କାଳ କାର୍ଯ୍ୟାନୁଷ୍ଠାନ ନନେଇ ଗ୍ରିଡ୍‌କୋ, ସରକାର ଓ ସର୍ବୋପରି ଆୟୋଗ ନିରବ ରହିବା ଘଟଣା ଶକ୍ତି ସମୀକ୍ଷକମାନଙ୍କୁ ବିସ୍ମିତ କରିଥିଲା। ଏପରିକି ଏହା ପଛରେ ବଡ଼ ଧରଣର କେଳେଙ୍କାରୀ ସନ୍ଦେହ ଦୃଢୀଭୂତ ହୋଇଥିଲା। ଏହାର ପ୍ରଭାବ ମଧ୍ୟ ଉପଭୋକ୍ତାଙ୍କ ଉପରେ ପଡ଼ିଲା। ରାଜ୍ୟର ଆବଶ୍ୟକ ଚାହିଦା ପୂରଣ ପାଇଁ ଗ୍ରିଡ୍‌କୋ ଅଧିକ ଦରରେ ଅନ୍ୟାନ୍ୟ ସୂତ୍ରରୁ ବିଦ୍ୟୁତ କିଣିବାକୁ ବାଧ୍ୟ ହେଲା ଓ ବର୍ଧିତ ବିଦ୍ୟୁତ୍‌ ଦର ବୋଝ ଉପଭୋକ୍ତା ମୁଣ୍ଡାଇଲେ।

ସବୁଠାରୁ ବଡ଼ କଥା ହେଲା, ୨୦୨୧ଅକ୍ଟୋବର ୫ ତାରିଖ ଦିନ ଆୟୋଗ ଏଭଳି ଗୋଟିଏ ନିର୍ଦ୍ଦେଶ ଦେଲେ, ଯାହା ସମଗ୍ର ରାଜ୍ୟରେ ହଇଚଇ ସୃଷ୍ଟି କରିଥିଲା। ଆୟୋଗ ବେଦାନ୍ତରୁ ମିଳୁଥିବା ଶସ୍ତା ବିଦ୍ୟୁତ୍‌ ରାଜ୍ୟର ହାତଛଡ଼ା ହେବା ଆଶଙ୍କାକୁ ଗୁରୁତ୍ବ ଦେଇ ନଥିଲେ। ଓଲଟା ବିତଣ୍ଡା ଯୁକ୍ତିର ଅବତାରଣା କରି ଆୟୋଗ ଦର୍ଶାଇଥିଲେ ଯେ ରାଜ୍ୟ ବିଦ୍ୟୁତ୍‌ ବଳକା। ତେଣୁ ବେଦାନ୍ତରୁ ବିଦ୍ୟୁତ୍‌ ନ ଆଣିଲେ ମଧ୍ୟ ଗ୍ରିଡ୍‌କୋର କିଛି କ୍ଷତି ହେବ ନାହିଁ। ଏହି ଯୁକ୍ତିରେ ଆୟୋଗ ରାଜ୍ୟ ପାଇଁ ସମର୍ପିତ ୟୁନିଟ୍-୨କୁ ବେଦାନ୍ତର ସିଜିପି ଭାବେ ଟେକି ଦେଇ ଗ୍ରିଡ୍‌କୋ ବିଦ୍ୟୁତ କିଣା ପାଇଁ ବିଚିତ୍ର ସର୍ତ୍ତ ଆରୋପ କରିଥିଲେ। ତାହା ହେଲା-ଚାହିଦା ପୂରଣ ନିମନ୍ତେ ଗ୍ରି଼ଡ୍‌କୋ ଯଦି ବେଦାନ୍ତରୁ ବିଦ୍ୟୁତ୍ କିଣିବାକୁ ଚାହିଁବ, ତେବେ ୩ ମାସ ପୂର୍ବରୁ ଜଣାଇବ। ତିନି ମାସ ପରେ କେତେ ବିଦ୍ୟୁତ୍‌ ଆବଶ୍ୟକ ହେବ, ତାହାର ବୈଷୟିକ ଆକଳନ କେମିତି ହେବ? ଏକଥା ଜାଣି ବି ଆୟୋଗ ଯେଭଳି ନିର୍ଦ୍ଦେଶ ଦେଲେ ତାହାକୁ ସମୀକ୍ଷକମାନେ ଗ୍ରହଣ କରିପାରିନଥିଲେ।

lmd.lk

ସମ୍ବାଦରେ ଏ ନେଇ ଘନ ଘନ ଖବର ପ୍ରକାଶ ପରେ ଗ୍ରିଡ୍‌କୋ ୨୦୨୧ ଡିସେମ୍ବରରେ ଏହି ରାୟର ପୁନଃସମୀକ୍ଷା ନିମନ୍ତେ ଆୟୋଗଙ୍କ ଦ୍ବାରସ୍ଥ ହୋଇଥିଲା। ଆୟୋଗ ଏହାକୁ ଗ୍ରହଣ କରି ଏକ ନିର୍ଦ୍ଦେଶ ବଳରେ ପୁନଃସମୀକ୍ଷା କରିବାକୁ ୨୦୨୨ ଅକ୍ଟୋବର ୨୮ରେ ସମ୍ମତି ପ୍ରକାଶ କରିଥିଲେ। କାଳବିଳମ୍ବ ନକରି ବେଦାନ୍ତ କତ୍ତୃର୍ପକ୍ଷ ଆୟୋଗଙ୍କ ନିଷ୍ପତ୍ତି ବିରୋଧରେ ଆପିଲେଟ୍ ଟ୍ରିବ୍ୟୁନାଲରେ ମାମଲା ଦାଏର କରିବାରୁ ଟ୍ରିବ୍ୟୁନାଲ୍ ପୁନଃସମୀକ୍ଷାର କାରଣ ସମ୍ପର୍କରେ ଆୟୋଗଙ୍କୁ କୈଫିୟତ ତଲବ କରିଥିଲେ। ଏହାର କାରଣ ଖୋଜିବାକୁ ଯାଇ ଆୟୋଗ ୨୦୨୧ ଅକ୍ଟୋବର ୫ ରାୟରେ ଥିବା ତ୍ରୁଟି-ବିଚ୍ୟୁତିର ପୂର୍ବାପର ତର୍ଜମା କରି ଉପଯୁକ୍ତ କାରଣ ସହ ସେହି ରାୟକୁ ଆୟୋଗ ରଦ୍ଦ କରିଦେଇଛନ୍ତି।

ସମ୍ବନ୍ଧିତ ଖବର