ଝାରସୁଗୁଡ଼ା : ‘ନବ ଦାସ ହତ୍ୟା ମାମଲାରେ ଚାର୍ଜସିଟ୍ରେ ଗୁଲିଗପ କରିଛି କ୍ରାଇମ୍ବ୍ରାଞ୍ଚ। ଗୋପାଳର ପାଗଳାମୀରେ ଆରମ୍ଭ କରି ପାଗଳାମୀରେ ଶେଷ କରିଛି। ଷଡ୍ଯନ୍ତ୍ର ଦିଗରେ ତଦନ୍ତ ହୋଇନାହିଁ। ନବ ଦାସ ଓ ଗୋପାଳ ମଧ୍ୟରେ ତିକ୍ତତା କଥାକୁ ଗ୍ରହଣ କରାଯାଇନପାରେ। କାରଣ ନବ ଦାସ ଚାହିଥିଲେ ୫ ମିନିଟ୍ରେ ଗୋପାଳକୁ ତଡ଼ିପାର୍ କରିପାରିଥାନ୍ତେ। ସେ ୧୨ ବର୍ଷ ଧରି ଜିଲ୍ଲାରେ କାର୍ଯ୍ୟ କରିବାର ସୁଯୋଗ ପାଇନଥାନ୍ତା। ଆଜି ଝାରସୁଗୁଡ଼ା ସର୍କିଟ୍ ହାଉସରେ ସାମ୍ବାଦିକ ସମ୍ମିଳନୀ କରି ବରଗଡ଼ ସାଂସଦ ସୁରେଶ ପୂଜାରୀ ରାଜ୍ୟ ସରକାର ଓ କ୍ରାଇମ୍ବ୍ରାଞ୍ଚକୁ ଏଭଳି କିଛି ଟାର୍ଗେଟ୍ କରିଛନ୍ତି। ଏବେ ବି ସମୟ ଅଛି, ରାଜ୍ୟ ସରକାର ଏହି ମାମଲାର ପୁଙ୍ଖାନୁପୁଙ୍ଖ ତଦନ୍ତ କରାନ୍ତୁ ,ସିବିଆଇକୁ ତଦନ୍ତ ଭାର ଦିଅନ୍ତୁ, ନଚେତ୍ ଓଡ଼ିଶାବାସୀ ରାଜ୍ୟ ସରକାରଙ୍କୁ କେବେ କ୍ଷମା କରିବେନି ବୋଲି ସାଂସଦ ଶ୍ରୀ ପୂଜାରୀ କହିଛନ୍ତି।
ଚାର୍ଜସିଟ୍କୁ ନେଇ କ୍ରାଇମ୍ବ୍ରାଞ୍ଚ ଓ ରାଜ୍ୟ ସରକାରଙ୍କୁ ଘେରିଲେ ସାଂସଦ
ନବ ଦାସ ଚାହିଥିଲେ ୫ ମିନିଟ୍ରେ ତଡ଼ିପାର ହୋଇଥାନ୍ତା ଗୋପାଳ
ସାଂସଦ କ୍ରାଇମ୍ବ୍ରାଞ୍ଚ ଦାଖଲ କରିଥିବା ଚାର୍ଜସିଟ୍ ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିବା ସହ ଏହା ଏକ ଗୁଲି ଗପରୁ ବି ଅଧିକ ମିଛ ବୋଲି କହିଛନ୍ତି। ରାଜ୍ୟ ସରକାର ବିରୋଧୀଙ୍କୁ ହଇରାଣ କରିବାକୁ ହେଲେ ଯେଭଳି ଭିଜିଲାନ୍ସର ଖଣ୍ଡା ବୁଲାନ୍ତି, ନିଜେ ଅଡ଼ୁଆରେ ପଡ଼ିଲେ ସେମିତି କ୍ରାଇମ୍ବ୍ରାଞ୍ଚକୁ ଢାଲ ଭାବେ ବ୍ୟବହାର କରନ୍ତି। ଏହି ମାମଲାରେ କ୍ରାଇମ୍ବ୍ରାଞ୍ଚକୁ ସଫଳତାର ସହ ବ୍ୟବହାର ବି କରାଯାଇଛି ବୋଲି ଦୃଢୋକ୍ତି ବାଢ଼ିଛନ୍ତି ସାଂସଦ ଶ୍ରୀ ପୂଜାରୀ। ଚାର୍ଜସିଟ୍ରେ ଗୋପାଳ ବିରୋଧରେ ଭାରତୀୟ ଦଣ୍ଡବିଧି ଧାରା ୧୨୦(ଖ), ୩୪ ଆଦି ଲଗାଯାଇନଥିବାରୁ ଷଡ୍ଯନ୍ତ୍ର ଦିଗରେ ତଦନ୍ତ ହୋଇନଥିବା ଶ୍ରୀ ପୂଜାରୀ କହିଛନ୍ତି। ଏଭଳି ଚାର୍ଜସିଟ୍ରେ ଗୋପାଳ ବିରୋଧରେ କୋର୍ଟରେ ୩୦୨ ଦଫା ଗ୍ରହଣୀୟ ହେବ ନା ନାହିଁ ତାହା ସନ୍ଦେହ ବୋଲି ଜଣେ ଆଇନ୍ଜୀବୀ ଭାବେ ପ୍ରଶ୍ନ ଉଠାଇବା ସହ ଏହି ତମାମ୍ ତଦନ୍ତ କେବଳ ଗୋପାଳକୁ ଖସାଇବା ପାଇଁ ବୋଲି ଶ୍ରୀ ପୂଜାରୀ କହିଛନ୍ତି।
ସେପଟେ, ଯେଉଁ ଗୁଳିରେ ନବ ଦାସଙ୍କ ହତ୍ୟା ହୋଇଥିଲା, ଉକ୍ତ ଗୁଳି ଆଜିଯାଏ କ୍ରାଇମ୍ବ୍ରାଞ୍ଚ ପାଇଲାନାହିଁ। କାର୍କୁ ଭେଦ କରି ଗୁଳି ଯାଇନାହିଁ। ତେବେ ଗୁଳି ଗଲା କୁଆଡ଼େ? ଘଟଣାସ୍ଥଳରେ ଗୋପାଳ ବନ୍ଧୁକରୁ ଗୁଳି ଫୁଟିଥିଲା ନା ଆଉ କାହା ବନ୍ଧୁକରୁ ତାହା ବି ତଦନ୍ତ ହେବାର ଥିଲା ବୋଲି କହିଛନ୍ତି ଶ୍ରୀ ପୂଜାରୀ। ଜଣେ ମନ୍ତ୍ରୀ ଓ ଏଏସ୍ଆଇ ଭିତରେ ତିକ୍ତତା ଏତେ ସହଜରେ ଗ୍ରହଣ କରିହେଉନି। ଗୋପାଳ ଯଦି ଭୟ ଅନୁଭବ କରୁଥିଲା ଜୀବନ ପ୍ରତି ବିପଦ ପ୍ରସଙ୍ଗରେ କେବେ ଲିଖିତ କି ମୌଖିକ ଭାବେ ଉପରିସ୍ଥ ଅଧିକାରୀଙ୍କୁ ଅଭିଯୋଗ କରିନାହିଁ ବୋଲି ଶ୍ରୀ ପୂଜାରୀ କହିଛନ୍ତି। ସମ୍ପର୍କରେ ତିକ୍ତତା କଥାରେ କୌଣସି ସତ୍ୟତା ନଥିବା ଅନୁଭବ ହେଉଛି, ଉଭୟେ ଉଭୟଙ୍କୁ ଜାଣିନଥିବେ। ପ୍ରଥମରୁ ଗୋପାଳ ପାଗଳ ଥିଲେ ବୋଲି ଅବଧାରଣା ସୃଷ୍ଟି କରାଗଲା, ପାଗଳାମୀ ମୁଖ୍ୟ କାରଣ ବୋଲି ଓଡ଼ିଶା ପୁଲିସ୍ ପକ୍ଷରୁ କହାଗଲା। ମାତ୍ର ଡାକ୍ତରୀ ଟିମ୍ଠାରୁ ପ୍ରତିକୂଳ ରିପୋର୍ଟ ପାଇବା ପରେ ରାଜ୍ୟ ସରକାର ଅଡ଼ୁଆରେ ପଡ଼ିଯାଇଥିଲେ ବୋଲି ଶ୍ରୀ ପୂଜାରୀ ଅଭଯୋଗ କରିଛନ୍ତି। ସେପଟେ, ଏଫ୍ବିଆଇ ତଦନ୍ତ ଦିଗରେ ରାଜ୍ୟ ସରକାର ଆଜି ଯାଏ କେନ୍ଦ୍ର ସରକାରଙ୍କ ନିକଟରେ ଆବେଦନ କରିନଥିବା ଶ୍ରୀ ପୂଜାରୀ କହିଛନ୍ତି।