ସମ୍ବଲପୁର : ‘ସୁଶାନ୍ତ ସିଂହ ସନ୍ୟାସ କଣ ନେବେ, ସରକାର ପରିବର୍ତ୍ତନ ହେଲେ ଜେଲ୍ ଯିବେ’। ବରଗଡ଼ ସାଂସଦ ସୁରେଶ ପୂଜାରୀଙ୍କ ଏଭଳି ବକ୍ତବ୍ୟର ଜବାବରେ ବରଗଡ଼ ଜିଲ୍ଲା ଭଟଲି ବିଧାୟକ ସୁଶାନ୍ତ କହିଛନ୍ତି ‘ସୁରେଶ ପୂଜାରୀ, ଯଦି ଦମ୍‌ ଅ‌ଛି ତା’ହେଲେ କୁନା ପୁରୋହିତ ହାରିଲେ ଆପଣ ଇସ୍ତଫା ଦେବେ କି? ଆପଣଙ୍କୁ ମୁଁ ଖୋଲା ଚାଲେଞ୍ଜ କରୁଛି, କୁନା ପୁରୋହିତ ହାରିଲେ ଇସ୍ତଫା ଦେବେ‌ କି?’ ବର୍ତ୍ତମାନ ପଦ୍ମପୁର ଉପନିର୍ବାଚନକୁ ନେଇ ରାଜ୍ୟ ରାଜନୀତି ଗରମ ରହିଥିବା ବେଳେ ବରଗଡ଼ ଜିଲ୍ଲାର ସାଂସଦ ଓ ଜଣେ ପୂର୍ବତନ ମନ୍ତ୍ରୀ ତଥା ଟାଣୁଆ ବିଧାୟକଙ୍କ ମଧ୍ୟରେ ଏଭଳି ବାକ୍‌ଯୁଦ୍ଧ ସାଧାରଣ ଲୋକଙ୍କୁ ଆମୋଦିତ କରୁଛି।

Advertisment

ବିଜେଡି ବିଧାୟକ ସୁଶାନ୍ତ ପଦ୍ମପୁରରେ ଦଳୀୟ ପ୍ରଚାରର ମଙ୍ଗ ଧରିଥିଲା ବେଳେ ବିଜେପି ସାଂସଦ ସୁରେଶ ମଧ୍ୟ ନିଜ ପ୍ରାର୍ଥୀଙ୍କ ପ୍ରଦୀପ ପୁରୋହିତ (କୁନା)ଙ୍କ ଅଭିଯାନରେ ଏକ ପ୍ରମୁଖ ଭୂମିକାରେ ରହିଛନ୍ତି। ଉଭୟଙ୍କ ମଧ୍ୟରେ ଏହି ବାକ୍‌ବିତଣ୍ଡା ସେତେବେଳେ ଆରମ୍ଭ ହୋଇଥିଲା ଯେବେ ବିଜେଡି ପ୍ରାର୍ଥୀ ହାରିଲେ ସେ ରାଜନୀତିରୁ ସନ୍ୟାସ ନେ‌ଇଯିବେ ‌ବୋଲି ସୁଶାନ୍ତଙ୍କ ମନ୍ତବ୍ୟ ଉପରେ ସାଂସଦ ଶ୍ରୀ ପୂଜାରୀ କଟାକ୍ଷ କରିଥିଲେ। ସୁଶାନ୍ତଙ୍କ ସନ୍ୟାସ ମନ୍ତବ୍ୟକୁ ଶ୍ରୀ ପୂଜାରୀ ଏକ ସାଧାରଣ ସଭାରେ ଉଠାଇ ତାଚ୍ଛଲ୍ୟ କରି କହିଲେ, ସୁଶାନ୍ତ ସିଂହ କହୁଛନ୍ତି ବିଜେଡି ପ୍ରାର୍ଥୀ ହାରିଗଲେ ସେ ସନ୍ୟାସ ନେଇଯିବେ। କିନ୍ତୁ ସେ ସନ୍ୟାସ କଣ ନେବେ, ଯେଭଳି କର୍ମ ସବୁ କରିଛନ୍ତି କେତେବେଳେ ସରକାର ବଦଳି ଗଲେ ତାଙ୍କୁ ଜେଲ ଯିବାକୁ ପଡ଼ିବ। ସାଧାରଣ ସଭାରେ ସାଂସଦଙ୍କ ଏହି ମନ୍ତବ୍ୟ ବିଧାୟକ ଶ୍ରୀ ସିଂହଙ୍କୁ ଉତ୍‌କ୍ଷିପ୍ତ କରିଛି। ଏକ ଭିଡିଓ ବାର୍ତ୍ତା ଜାରି କରି ସେ ସୁରେଶ ପୂଜାରୀଙ୍କୁ ବିଜେପି ପ୍ରାର୍ଥୀ ହାରିଲେ ଇସ୍ତଫା ଦେବେ କି ବୋଲି ପ୍ରଶ୍ନ କରିଛନ୍ତି।