ଏସ୍‌ସିବିରେ ଅଟକି ଯାଉଛି ଅସ୍ତ୍ରୋପଚାର, କାର୍ଡିଓଥୋରାସିସ୍‌ ବିଭାଗରେ ଅଧିକ ସମସ୍ୟା

ଉପକରଣ, ମାନବସମ୍ବଳ ଓ ଅସ୍ତ୍ରୋପଚାର କକ୍ଷ ଅଭାବ, ଏମ୍‌ସିଏଚ୍‌ ପାଠ୍ୟକ୍ରମ ୩ ବର୍ଷ ହେଲା ବନ୍ଦ

କଟକ : କଟକ ବଡ଼ ମେଡିକାଲରେ ଓପନ୍‌ ହାର୍ଟ ସର୍ଜରି ପାଇଁ ସପ୍ତାହକୁ ହାରାହାରି ୨୦ ଜଣ ଅପେକ୍ଷାରେ ରହୁଛନ୍ତି। ଫୁସ୍‌ଫୁସ୍‌, ରକ୍ତନଳୀ, ଖାଦ୍ୟନଳୀ ଅସ୍ତ୍ରୋପଚାର ପାଇଁ ସପ୍ତାହକୁ ହାରାହାରି ୯ ଜଣ ରୋଗୀ ଅପେକ୍ଷାରେ ରହୁଛନ୍ତି। ଆବଶ୍ୟକତା ଅନୁଯାୟୀ ଉପକରଣ, ମାନବସମ୍ବଳ ଓ ଅସ୍ତ୍ରୋପଚାର କକ୍ଷ ଅଭାବରୁ ବର୍ତ୍ତମାନ କାର୍ଡିଓଥୋରାସିସ୍‌ ବିଭାଗ (ସିଟିଭିଏସ୍‌)ରେ ଏଭଳି ଅବସ୍ଥା ଧୀରେଧୀରେ ଗୁରୁତର ଆକାର ଧାରଣ କରିବାକୁ ଯାଉଛି।

ଏସ୍‌ସିବିରେ ୧୯୮୪ ମସିହାରୁ ସ୍ବତନ୍ତ୍ର ବିଭାଗ ଭାବେ ସିଟିଭିଏସ୍‌ ବିଭାଗ ଖୋଲାଯାଇଥିଲା। ଏହାର ଦୁଇତିନି ବର୍ଷ ପରେ ଅର୍ଥାତ୍‌ ୧୯୮୬/୮୭ରୁ ଓପନ୍‌ ହାର୍ଟ ସର୍ଜରି କରାଯାଉଛି। ଯଦି ଗଲା ୫ବର୍ଷ (୨୦୧୬ମସିହାରୁ ଏପର୍ଯ୍ୟନ୍ତ)ର ତଥ୍ୟ ଦେଖାଯାଏ, ତା’ହେଲେ ଏସ୍‌ସିବିରେ ୮ଶହରୁ ଅଧିକ ଓପନ୍‌ ହାର୍ଟ ସର୍ଜରି କରାଯାଇଛି। ଏବେ ପୂର୍ବଭଳି ସମାନ ସଂଖ୍ୟାରେ କିମ୍ବା ଅଧିକ ରୋଗୀ ପ୍ରତୀକ୍ଷାରେ ରହୁଥିଲେ ବି ବିଭିନ୍ନ କାରଣରୁ ଅସ୍ତ୍ରୋପଚାରକୁ ତ୍ବରାନ୍ବିତ କରାଯାଇ ପାରୁନାହିଁ। ଏଥିପାଇଁ କେତେକ ନିର୍ଦ୍ଦିଷ୍ଟ କାରଣ ଥିବା କୁହାଯାଉଛି।

verywellhealth.com

ବିଭାଗରେ ୨ଜଣ ପ୍ରଫେସରଙ୍କ ରହିବା କଥା। ମାତ୍ର, ଦୀର୍ଘବର୍ଷ ହେବ ଜଣେ ପ୍ରଫେସରରେ କାମ ଚାଲିଛି। ସେହିପରି, ୨ଟି ଆସୋସିଏଟ୍‌ ପ୍ରଫେସରଙ୍କ ସ୍ଥାନରେ ଏବେ ଜଣେ ବି ନାହାନ୍ତି। ୫ଜଣ ଆସିଷ୍ଟାଣ୍ଟ ପ୍ରଫେସରଙ୍କ ସ୍ଥାନରେ ୨ ଜଣ ଅଛନ୍ତି। ସିନିୟର ରେସିଡେଣ୍ଟ୍‌ ପଦ ଖାଲିପଡ଼ିଛି। ସେହିଭଳି, ବିଭାଗରେ ୩୪ଟି ଶଯ୍ୟା ରହିଥିବାବେଳେ ସେଥିମଧ୍ୟରୁ ୧୦ଟି ଫୁସ୍‌ଫୁସ୍‌, ରକ୍ତନଳୀ, ଖାଦ୍ୟନଳୀ ଅସ୍ତ୍ରୋପଚାର ରୋଗୀଙ୍କ ପାଇଁ ସଂରକ୍ଷିତ ରହିଛି ଏବଂ ୨୪ଟି ‌ଶଯ୍ୟା ହୃଦ୍‌ରୋଗୀଙ୍କ ପାଇଁ ରହିଛି। ବିଭାଗରେ ଓପନ୍‌ ହାର୍ଟ ପାଇଁ ଗୋଟିଏ ଅସ୍ତ୍ରୋପଚାର କକ୍ଷ (ଓଟି) ରହିଥିବାବେ‌ଳେ ଅନ୍ୟଟି ଫୁସ୍‌ଫୁସ୍‌ ଓ ଅନ୍ୟ ତଥା ଜରୁରୀ ଅସ୍ତ୍ରୋପଚାର ପାଇଁ ରହିଛି। ଓପନ୍‌ ହାର୍ଟ ପାଇଁ ଯେତିକି ଉପକରଣ ଅଛି, ସେଥିରେ ଦିନକୁ ଗୋଟିଏ ଓପନ୍‌ ହାର୍ଟ ସର୍ଜରି ହୋଇପାରିବ। ସପ୍ତାହକୁ ମାତ୍ର ୪ଟି ଓପନ୍‌ ହାର୍ଟ ସର୍ଜରି କରାଯାଇପାରୁଛି। ଯେଉଁଥିପାଇଁ ବହୁସଂଖ୍ୟାରେ ରୋଗୀ ପ୍ରତୀକ୍ଷାରେ ରହୁଥିବା କୁହାଯାଉଛି। ସରକାରୀସ୍ତରରେ କେବଳ ଏସ୍‌ସିବି ମେଡିକାଲରେ ଓପନ୍‌ ହାର୍ଟ ସର୍ଜରି ହେଉଥିବାରୁ ରୋଗୀମାନେ ଏହାର ସୁବିଧା ନେବାକୁ ଚାହୁଁଛନ୍ତି। ଫଳରେ, ରୋଗୀମାନେ ଲମ୍ବାଧାଡ଼ି‌ରେ ଥିବା ଦେଖିବାକୁ ମିଳୁଛି।

ଅନ୍ୟପକ୍ଷରେ , ଏହାର ଭିତ୍ତିଭୂମି ପାଇଁ ସରକାର ଯେତିକି ଗୁରୁତ୍ବ ଦେବାକଥା ସେତିକି ଦେଉନାହାନ୍ତି। ଏହାର ଏକ ଜ୍ବଳନ୍ତ ଉଦାହରଣ ହେଉଛି, ମାନବସମ୍ବଳ ଅଭାବରୁ ଏନ୍‌ଏମ୍‌ସି ଅନୁମୋଦନ ପ୍ରତ୍ୟାହାର କରିବାପରେ ୩ବର୍ଷ ହେବ ଏମ୍‌ସିଏଚ୍‌ ପାଠ୍ୟକ୍ରମ ବନ୍ଦ ରହିଛି। ଏମ୍‌ସିଏଚ୍‌ ପାଠ୍ୟକ୍ରମ ଖୋଲାଯିବା ପରେ ଏସ୍‌ସିବିରୁ ୩ଜଣ ଡାକ୍ତର ବାହାରିଥିଲେ। କିନ୍ତୁ, ୨୦୧୯ରୁ ପାଠ୍ୟକ୍ରମ ବନ୍ଦ ହୋଇଥିଲେ ସୁଦ୍ଧା ସ୍ବାସ୍ଥ୍ୟ ବିଭାଗ ଏନ୍‌ଏମ୍‌ସିର ଗାଇଡ୍‌ଲାଇନ୍‌ ବା ସର୍ତ୍ତ ପୂରଣ କରୁ ନଥିବାରୁ ଏହି ପାଠ୍ୟକ୍ରମ ସେଭଳି ବନ୍ଦ ହୋଇପଡ଼ିଛି।

ସମ୍ବନ୍ଧିତ ଖବର