ସମ୍ବଲପୁର: ପ୍ରତିଭାବାନ ଓଡ଼ିଆ କଣ୍ଠଶିଳ୍ପୀ ଅଭିଲିପ୍‌ସା ପଣ୍ଡା ସମ୍ମାନଜନକ ସୁର ଜ୍ୟୋତ୍ସ୍ନା ଜାତୀୟ ସଂଗୀତ ପୁରସ୍କାର ଲାଭ କରିଛନ୍ତି। ଲୋକମତ ତରଫରୁ ଦିଆ ଯାଉଥିବା ଏହି ମର୍ଯ୍ୟାଦାଜନକ ପୁରସ୍କାରର ୧୦ମ ସଂସ୍କରଣରେ ଅଭିଲିପ୍‌ସାଙ୍କୁ ଶ୍ରେଷ୍ଠ ଉଦୀୟମାନ ପ୍ରତିଭା ଭାବେ ପୁରସ୍କୃତ କରାଯାଇଛି। ପୁରସ୍କାର ବାବଦରେ ତାଙ୍କୁ ମାନପତ୍ର, ଉପଢୌକନ ସହ ୧ ଲକ୍ଷ ଟଙ୍କାର ଚେକ୍ ପ୍ରଦାନ କରା ଯାଇଥିଲା। ମହାରାଷ୍ଟ୍ର ଉପମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ୍‌ନାଭିସ୍, ପଣ୍ଡିତ ହରିପ୍ରସାଦ ଚୌରାସିଆ, ଗାୟକ ଶଂକର ମହାଦେବନ, ପ୍ରେରଣାଦାୟୀ ପ୍ରବଚକ ଗୌରଗୋପାଳ ଦାସଙ୍କ ସମେତ ବହୁ ବିଶିଷ୍ଟ ଅତିଥିଙ୍କ ଉପସ୍ଥିତିରେ ମଙ୍ଗଳବାର ମହାରାଷ୍ଟ୍ରରେ ଅନୁଷ୍ଠିତ ଏକ ଭବ୍ୟ କାର୍ଯ୍ୟକ୍ରମରେ ଅଭିଲିପ୍‌ସା ଏହି ପୁରସ୍କାର ଗ୍ରହଣ କରିଥିଲେ।

Advertisment

ଏହି ଅବସରରେ ଅଭିଲିପ୍‌ସା ବନ୍ଦେ ଉତ୍କଳ ଜନନୀ, ହରହର ଶମ୍ଭୁ, ରଂଗବତୀ ସମେତ ଏକାଧିକ ହିଟ୍‌ ସଂଗୀତ ପରିବେଷଣ କରି ଉପସ୍ଥିତ ଶ୍ରୋତାଙ୍କୁ ବିମୋହିତ କରିଥିଲେ। ସୂଚନାଯୋଗ୍ୟ, ଦେବଗଡ଼ ଜିଲ୍ଲାର ଝିଅ ଅଭିଲିପ୍‌ସା କେନ୍ଦୁଝର ବଡ଼ବିଲ୍‌ରେ ପିଲାବେଳୁ ରହି ଆସିଛନ୍ତି। +୨ ବିଜ୍ଞାନ ପାସ୍‌ କରିବା ପରେ ଚଳିତ ବର୍ଷ ସେ ଚଣ୍ଡିଗଡ଼ ବିଶ୍ବବିଦ୍ୟାଳୟରେ ଉଚ୍ଚଶିକ୍ଷା ପାଇଁ ନାମ ଲେଖାଇଛନ୍ତି। ଅଭିଲିପ୍‌ସା ନିଜ ହରହର ଶମ୍ଭୁ ଗୀତ ପାଇଁ ରାତାରାତି ପ୍ରସିଦ୍ଧି ଲାଭ କରିବା ସହ ଦେଶର ଜଣେ ଉଦୀୟମାନ କଣ୍ଠଶିଳ୍ପୀଭାବେ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରି ପାରିଛନ୍ତି। ବର୍ତ୍ତମାନ ସେ ୟୁଟ୍ୟୁବ୍‌ର ନୂଆ ସେନ୍‌ସେସନ୍ ପାଲଟିଛନ୍ତି।