ସୁରମା ପାଢ଼ୀ ନୂଆ ବାଚସ୍ପତି: ମୁଁ ଗୃହର ପଦ ମର୍ଯ୍ୟାଦା, ଗରିମା ରକ୍ଷା କରିବି: ସୁରମା

ଭୁବନେଶ୍ବର: ରଣପୁର ବିଧାୟିକା ସୁରମା ପାଢ଼ୀ ଆଜି ସପ୍ତଦଶ ବିଧାନସଭାର ବାଚସ୍ପତି ଭାବେ ସର୍ବସମ୍ମତିକ୍ରମେ ମନୋନୀତ ହୋଇଛନ୍ତି। ସେ ଓଡ଼ିଶା ବିଧାନସଭାର ଦ୍ବିତୀୟ ମହିଳା ବାଚସ୍ପତି ହେବାର ସୌଭାଗ୍ୟ ହାସଲ କରିଛନ୍ତି। ଆଜି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗୃହରେ ପ୍ରସ୍ତାବ ରଖିଥିଲେ ଯେ ଗୃହର ସଦସ୍ୟ ସୁରମା ପାଢ଼ୀ ଏହି ଗୃହର ବାଚସ୍ପତି ଭାବେ ମନୋନୀତ ହୋଇଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ପ୍ରସ୍ତାବକୁ ସଂସଦୀୟ ବ୍ୟାପାର ମନ୍ତ୍ରୀ ମୁ‌କେଶ ମହାଲିଙ୍ଗ ସମର୍ଥନ କରିଥିଲେ। ସବୁ ଦଳର ବିଧାୟକମାନେ ତାଙ୍କୁ ସମର୍ଥନ କରିଥିଲେ। ଏହାପରେ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ, ଉପମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂହଦେଓ, ପ୍ରଭାତୀ ପରିଡ଼ା, ସଂସଦୀୟ ବ୍ୟାପାର ମନ୍ତ୍ରୀ ମୁକେଶ ମହାଲିଙ୍ଗ, ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ, କଂଗ୍ରେସ ବିଧାୟକ ତାରା ବାହିନୀପତି, ସିପିଆଇଏମ୍ ବିଧାୟକ ଲକ୍ଷ୍ମଣ ମୁଣ୍ଡା ପ୍ରମୁଖ ନୂଆ ବାଚସ୍ପତିଙ୍କୁ ତାଙ୍କ ଆସନ ପର୍ଯ୍ୟନ୍ତ ପାଛୋଟି ନେଇଥିଲେ।

ଅସ୍ଥାୟୀ ବାଚସ୍ପତି ରଣେନ୍ଦ୍ର ପ୍ରତାପ ସ୍ବାଇଁ ଶ୍ରୀମତୀ ପାଢ଼ୀଙ୍କୁ ଦାୟିତ୍ବ ହସ୍ତାନ୍ତର କରିବା ପରେ ସେ ଦାୟିତ୍ବ ଗ୍ରହଣ କରିଥିଲେ। ଏହାପରେ ନୂଆ ବାଚସ୍ପତି କହିଥିଲେ ଯେ ମୁଁ ଏକ ସାଧାରଣ ପରିବାରରୁ ଆସିଛି। ଏହି ପଦରେ ବସିବି ବୋଲି କେବେ କଳ୍ପନା କରି ନ ଥିଲି। ମୁଁ ଗୃହର ପଦ ମର୍ଯ୍ୟାଦା, ଗରିମା ରକ୍ଷା କରିବି। ମୁଁ ନିଶ୍ଚିତ ଭାବେ ନିରପେକ୍ଷତା ଅବଲମ୍ବନ କରିବି। ଗୃହ ପରିଚାଳନା ପାଇଁ ସମସ୍ତ ସଦସ୍ୟଙ୍କ ସହଯୋଗ କାମନା କରୁଛି। ଏହାପରେ ବାଚସ୍ପତିଙ୍କୁ ଶୁଭେଚ୍ଛା ଜଣାଇ ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଆପଣ ଚଳିତ ସପ୍ତଦଶ ବିଧାନସଭାର ବାଚସ୍ପତି ଭାବେ ସର୍ବସମ୍ମତି କ୍ରମେ ମନୋନୀତ ହୋଇଥିବାରୁ ମୁଁ ଆପଣଙ୍କୁ ଅଭିନନ୍ଦନ ଜଣାଉଛି। ଆପଣ ଆଜି ଏହି ଦାୟିତ୍ବ ଗ୍ରହଣ କରିବା ପରେ ମୁଁ ନିଶ୍ଚିତ ଭାବରେ ଆଶା କରୁଛି ଯେ ଆପଣ ଏ ପବିତ୍ର ଗୃହର ଗର୍ବ, ଗରିମା ଓ ପଦମର୍ଯ୍ୟାଦା ରକ୍ଷା କରିବା ସହିତ ନିରପେକ୍ଷତା ଅବଲମ୍ବନ କରି ଏ ଗୃହକୁ ଠିକ୍ ଭାବରେ ପରିଚାଳନା କରିପାରିବେ। ଆମ୍ଭେମାନେ ସମସ୍ତେ ଓଡ଼ିଶାବାସୀଙ୍କ ପାଇଁ ନିଷ୍ଠାପର ଭାବେ ସେବା କରିବା ନିମନ୍ତେ ଦୃଢ ସଂକଳ୍ପବଦ୍ଧ। ମୋର ଆଶା, ଆମ୍ଭେମାନେ ସମସ୍ତେ ଏ ଗୃହ କାର୍ଯ୍ୟରେ ବାଚସ୍ପତି ମହୋଦୟାଙ୍କୁ ସାହାଯ୍ୟ ଓ ସହଯୋଗ କରିବା ଏବଂ ଗୃହର ପରମ୍ପରା ଓ ପଦମର୍ଯ୍ୟାଦା ବଜାୟ ରଖିବା।

ଉପମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂହଦେଓ ଓ ପ୍ରଭାତୀ ପରିଡ଼ା ବି ଶୁଭେଚ୍ଛା ଜଣାଇଥିଲେ। ବିଜେଡି ବିଧାୟକ ଦଳ ନେତା ନବୀନ ପଟ୍ଟନାୟକ, କଂଗ୍ରେସରର ବରିଷ୍ଠ ବିଧାୟକ ତାରାପ୍ରସାଦ ବାହିନୀପତି, ସିପିଆଇ(ଏମ୍) ବିଧାୟକ ଲକ୍ଷ୍ମଣ ମୁଣ୍ଡା ବାଚସ୍ପତିଙ୍କୁ ଶୁଭେଚ୍ଛା ଜଣାଇବା ସହ ଗୃହ କାର୍ଯ୍ୟ ପରିଚାଳନାରେ ସହଯୋଗ କରିବେ ବୋଲି କହିଥିଲେ। ଏହା ସହ ବାଚସ୍ପତି ଗୃହର ପଦ ମର୍ଯ୍ୟାଦା, ଗରିମା ରକ୍ଷା କରିବା ସହ ନିରପେକ୍ଷତା ଅବଲମ୍ବନ କରି‌ବେ ବୋଲି ଆଶାପ୍ରକଟ କରିଥିଲେ। ଆଜି ବିଧାନସଭା କାର୍ଯ୍ୟ ୨୩ ମିନିଟ ଚାଲିବା ପରେ ଶେଷ ହୋଇଥିଲା। ଗୃହ କାର୍ଯ୍ୟ ଶେଷ ହେବା ପରେ ବିଭିନ୍ନ ଦଳର ବିଧାୟକମାନେ ଦୀର୍ଘ ଦିନ ପରେ ଏକାଠି ହୋଇଥିବାରୁ ପରସ୍ପରକୁ ଭେଟି, ହାତ ମିଳାଇ ଶୁଭେଚ୍ଛା ଜଣାଇଥିଲେ।

ସମ୍ବନ୍ଧିତ ଖବର