ଭୁବନେଶ୍ବର: ପୂର୍ବତନ ମନ୍ତ୍ରୀ ତଥା ବିଜେପିର ରଣପୁର ବିଧାୟିକା ସୁରମା ପାଢ଼ୀ ସପ୍ତଦଶ ବିଧାନସଭାର ବାଚସ୍ପତି ହେବେ। ବାଚସ୍ପତି ପଦ ପାଇଁ ଆଜି ସେ ନାମାଙ୍କନ ଦାଖଲ କରିଛନ୍ତି। ବିଧାନସଭାର ଅନ୍ୟ କୌଣସି ସଦସ୍ୟ ବାଚସ୍ପତି ପଦ ପାଇଁ ନାମାଙ୍କନ ଦାଖଲ କରି ନ ଥିବାରୁ ଶ୍ରୀମତୀ ପାଢ଼ୀ ନିର୍ଦ୍ବନ୍ଦ୍ବରେ ନିର୍ବାଚିତ ହେବା ନିଶ୍ଚିତ ହୋଇଛି। ଆସନ୍ତାକାଲି ଏନେଇ ବିଧାନସଭା ସଚିବାଳୟ ପକ୍ଷରୁ ଘୋଷଣା ହେବ। ଆଜି ପୂର୍ବାହ୍ନରେ ବିଜେପି ବିଧାୟକ ଦଳ ବୈଠକ ପରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ଦୁଇ ଉପମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂହଦେଓ ଓ ପ୍ରଭାତୀ ପରିଡ଼ାଙ୍କ ସମେତ ବିଜେପିର ବିଧାୟକଙ୍କ ଉପସ୍ଥିତିରେ ଶ୍ରୀମତୀ ପାଢ଼ୀ ବିଧାନସଭା ସଚିବ ଦାଶରଥୀ ଶତପଥୀଙ୍କ ନିକଟରେ ନାମାଙ୍କନ ଦାଖଲ କରିଛନ୍ତି। ଆସନ୍ତାକାଲି ବାଚସ୍ପତି ନିର୍ବାଚନ ପ୍ରକ୍ରିୟା ଶେଷ ହେବାକୁ ଥିବାରୁ ଏହାପରେ ନୂଆ ବାଚସ୍ପତିଙ୍କ ନାମ ବିଧିବଦ୍ଧ ଭାବେ ଘୋଷଣା ହେବ ବୋଲି ବିଧାନସଭା ସଚିବାଳୟ ପକ୍ଷରୁ କୁହାଯାଇଛି। ସୂଚନାଯୋଗ୍ୟ ଯେ ସୁରମା ପାଢ଼ୀ ରଣପୁରରୁ ୨୦୦୪ରେ ବିଧାୟିକା ଭାବେ ନିର୍ବାଚିତ ହୋଇଥିବା ବେଳେ ବିଜେଡି-ବିଜେପି ମେଣ୍ଟ ସରକାରରେ ସେ ମନ୍ତ୍ରୀ ଥିଲେ। ଏହାପୂର୍ବରୁ ‌େସ ୧୯୯୮ରେ ବିଜେପିର ରାଜ୍ୟ ମହିଳା ମୋର୍ଚ୍ଚାର ସଭାନେତ୍ରୀ ଭାବେ କାର୍ଯ୍ୟ କରିଥିଲେ। ୨୦୦୦ ମସିହାରେ ଦୁଇ ବର୍ଷ ପାଇଁ ବିଜେପିର ଜାତୀୟ ମହିଳା ମୋର୍ଚ୍ଚାର ସଭାନେତ୍ରୀ ଥିଲେ।