ମାଓ କମାଣ୍ଡର ବାଲକ୍ରିଷ୍ଣାର ଆତ୍ମସମର୍ପଣ

ମାଲକାନଗିରି: ମାଓ ସଂଗଠନକୁ ଲାଗିଛି ଶକ୍ତ ଧକ୍କା। ଆଜି ଆନ୍ଧ୍ରପ୍ରଦେଶର ବିଶାଖାପାଟଣମ୍‌ ଜିଲ୍ଲା ପୋଲିସ କାର୍ଯ୍ୟାଳୟରେ ଆୟୋଜିତ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଏସପି ରାହୁଲ ଦେବ ଶର୍ମାଙ୍କ ସମ୍ମୁଖରେ ମାଓ କମାଣ୍ଡର ଭି.ବାଲାକ୍ରିଷ୍ଣ ନାଇଡୁ ଓରଫ ବିବେକ କରିଥିଲା। ବାଲକ୍ରିଷ୍ଣ ଆନ୍ଧ୍ର ଓଡିଶା ବୋଡର ଜୋନାଲ କମିଟିର କମାଣ୍ଡର ରହିଥିଲା। ସରକାର ବାଲକ୍ରିଷ୍ଣା ନାମରେ ୪ ଲକ୍ଷ ଟଂକା ପୁରସ୍କାର ରାଶି ଘୋଷଣା କରିଥିଲେ। ସେ ଆନ୍ଧ୍ର ଏବଂ ଓଡିଶାର ବହୁ ନକ୍ସଲ ହିଂସାରେ ଜଡିତ ଥିବା ପୋଲିସ କହିଛି। ନକ୍ସଲ ସଂଗଠନରେ ଭେଦଭାବ , ଅନ୍ତର୍ଦ୍ୱନ୍ଦ୍ୱ ସହ ସ୍ୱାସ୍ଥ୍ୟଗତ କାରଣରୁ ସେ ଆତ୍ମସମର୍ପଣ କରିଥିବା ପ୍ରକାଶ। ପ୍ରାପ୍ତ ସୂଚନା ଅନୁସାରେ ୨୦୧୬ ଅକ୍ଟୋବର ୨୪ ତାରିଖରେ ଚିତ୍ରକୋଣ୍ଡା ବିଚ୍ଛିନ୍ନାଞ୍ଚଳର ରାମାଗୁଡ଼ା ଏନ୍‌କାଉଣ୍ଟର ପରେ ବାଲକ୍ରିଷ୍ଣା ମାଓ ସଂଗଠନରେ ସାମିଲ ହୋଇଥିଲା। ଏହି ଏନ୍‌କାଉଣ୍ଟରରେ ୩୧ଜଣ ମାଓବାଦୀଙ୍କ ମୃତ୍ୟୁ ଘଟିଥିଲା। ବାଲକ୍ରିଷ୍ଣାର ଘର ଆନ୍ଧ୍ରପ୍ରଦେଶର ବିଶାଖପାଟଣାମ୍‌ ଜିଲ୍ଲା ଜି. ମାଡୁଗୁଲା ବ୍ଲକ ବୟତିଲି ପଞ୍ଚାୟତ ଅନ୍ତର୍ଗତ ଏଗୁରପାଲ୍ଲୀ ଗ୍ରାମରେ। ସେ ସ୍କୁଲ ଶିକ୍ଷା ସମାପ୍ତ କରିବା ପରେ ହାଇଦ୍ରାବାଦ ଯାଇ ଇଞ୍ଜିନିୟରିଂ ଶିକ୍ଷା ଲାଭ କରିଥିଲେ। ପେଦାବାୟାଲୁ ଏରିଆ କମିଟିର କମାଣ୍ଡର ସୁଧୀର ହେଉଛନ୍ତି ବାଲକ୍ରିଷ୍ଣାଙ୍କ ପିଲାଦିନର ସାଙ୍ଗ। ତେଣୁ ସୁଧୀରଙ୍କ ସଂସ୍ପର୍ଶରେ ଆସି ସେ ମାଓ ସଂଗଠନରେ ସାମିଲ ହୋଇଥିଲା।

ସମ୍ବନ୍ଧିତ ଖବର