ନାକଟିଦେଉଳ: ବେଶ କିଛି ବର୍ଷ ଧରି ନାକଟିଦେଉଳ ବ୍ଲକ୍ରେ ମାଓବାଦୀଙ୍କ ପ୍ରାଦୁର୍ଭାବ ଥିଲା। ମାଓବାଦୀଙ୍କ ଭୟରେ ସେ ସମୟରେ ଗାଁଗାଁରେ ସଂଧ୍ୟାରୁ ତାଟି କବାଟ ପଡ଼ି ଯାଉଥିଲା। ବ୍ଲକ୍ର ସାଧାରଣ ଜୀବନଯାତ୍ରାକୁ ସଂପୂର୍ଣ୍ଣଭାବେ ପ୍ରଭାବିତ କରି ରଖିଥିଲେ ମାଓବାଦୀ। ହେଲେ ତାହା ଏବେ ଇତିହାସ ହୋଇ ଯାଇଛି। କାରଣ ସରକାରଙ୍କ ବ୍ୟାପକ ଅଭିଯାନ ପରେ ସେ ସମୟରେ ଅଧିକାଂଶ ମାଓବାଦୀ ଆତ୍ମସମର୍ପଣ କରି ମୁଖ୍ୟ ସ୍ରୋତକୁ ଫେରି ଆସିବାକୁ ନିଷ୍ପତ୍ତି ନେଇଥିଲେ। ବଣଜଙ୍ଗଲ ଘେରା ନାକଟିଦେଉଳ ବ୍ଲକ୍ ଏବେ ମାଓମୁକ୍ତ। ସରକାର ଆତ୍ମସମର୍ପଣ କରିଥିବା ମାଓବାଦୀଙ୍କ ବିଭିନ୍ନ ଯୋଜନା କାର୍ଯ୍ୟକାରୀ କରିଥିଲେ। ଅନେକ ପ୍ରତିଶ୍ରୁତି ମଧ୍ୟ ଦେଇଥିଲେ। କିନ୍ତୁ ସେ ଗୁଡ଼ିକ ପାଳନ କରି ନାହାନ୍ତି। ନାକଟିଦେଉଳ ବ୍ଲକରେ ଆତ୍ମସମର୍ପଣ କରିଥିବା ହାର୍ଡକୋର ପୁରୁଷ ଓ ମହିଳା ମାଓବାଦୀମାନେ ଅବହେଳିତ, ଲାଂଛିତ ଜୀବନ ଜିଉଁଛନ୍ତି।
ସେତେବେଳେ ପଶ୍ଚିମ ଓଡ଼ିଶାରେ ଧନୁ ଦେହୁରୀ ନାଁରେ ପରିଚିତ ଦୁର୍ଦଶ ମାଓ ନେତା ଧନୁ ଝାଙ୍କର ଏବେ ଦୁର୍ଦିନରେ ଦିନ କାଟୁଛନ୍ତି। ବରଗଡ଼ ଜିଲ୍ଲାର ଏରିଆ କମାଣ୍ଡର ଭାବେ କାମ କରୁଥିବା ଧନୁଙ୍କ ନାଁ ଶୁଣିଲେ ଲୋକଙ୍କ ମନରେ ଛନକା ପଶୁଥିଲା। ଧନୁଙ୍କ ନାମରେ ୨୫ଟି ମାମଲା ଥିଲା ଓ ତାଙ୍କ ମୁଣ୍ଡରେ ୨ ଲକ୍ଷ ଟଙ୍କା ପୁରସ୍କାର ଘୋଷଣା କରା ଯାଇଥିଲା। କିନ୍ତୁ ସରକାରଙ୍କ ଅପିଲ ଓ ପ୍ରତିଶ୍ରୁତି ପରେ ଧନୁ ବିନା ବନ୍ଧୁକରେ ନିଜେ ଆତ୍ମସମର୍ପଣ କରିଥିଲେ। ତାଙ୍କୁ ଗିରଫ କରି ଜେଲ ପଠାଗଲା। ୪ ମାର୍ଚ୍ଚ ୨୦୦୮ରେ କୋର୍ଟ ଚାଲାଣ ହୋଇଥିବା ଧନୁ ୬ ବର୍ଷରୁ ଅଧିକ ଚାରି କାନ୍ଥ ଭିତରେ ରହିବା ପରେ ୨୦୧୪ ଜୁଲାଇ ମାସରେ ବାହାରିଲେ। ଜୀବନଧାରଣ ପାଇଁ ତାଙ୍କୁ ଏସ୍ଆଇଡବ୍ଲୁ ବର୍ଷକୁ ୩୬ ହଜାର ଟଙ୍କା ଲେଖାଏଁ ଦୁଇ ବର୍ଷ ପାଇଁ ଦେଇଥିଲା। ହେଲେ ପରବର୍ତ୍ତୀ ସମୟରେ ଆଉ କିଛି ବି ସହାୟତା ମିଳିନି ବୋଲି ପୂର୍ବତନ ମାଓ ନେତା ଧନୁ ପ୍ରକାଶ କରିଛନ୍ତି। ତାଙ୍କର ଜମିବାଡ଼ି ବିଶେଷ ନ ଥିବାରୁ ସେ ଏବେ ଭାଗ ଚାଷ କରି ଜୀବିକା ନିର୍ବାହ କରୁଛନ୍ତି। ସେ କହନ୍ତି ସରକାର ସହ ଦୁସ୍ମନି (ଶତ୍ରୁତା) ଥିଲା ହେଲେ ଏବେ ଦୋସ୍ତି (ବନ୍ଧୁତା) ହୋଇଛି। କିନ୍ତୁ ସରକାର ଦୋସ୍ତି ନିଭାଉ ନାହାନ୍ତି। ଯଦି ସରକାର ପ୍ରତିଶ୍ରୁତି ପାଳନ ନ କଲେ, ଭବିଷ୍ୟତରେ ପୁଣି ମାଓ ସଂଗଠନରେ ମିଶିବାକୁ ବାଧ୍ୟ ହେବି ବୋଲି ଗଣମାଧ୍ୟମ ପ୍ରତିନିଧିଙ୍କ ଠାରେ ପ୍ରକାଶ କରିଛନ୍ତି ଏହି ପୂର୍ବତନ ମାଓ ନେତା।
ସେମିତି ଆଉ ଜଣେ ପୂର୍ବତନ ମାଓ ଏରିଆ କମାଣ୍ତର ହେଲେ ଅମର ମିର୍ଦ୍ଧା ଏବଂ ତାଙ୍କ ପତ୍ନୀ ପୂର୍ବତନ ମାଓନେତ୍ରୀ ଆରତୀ ମିର୍ଦ୍ଧା। ଏମାନେ ୨୦୦୧ରେ ମାଓ ସଂଗଠନରେ ମିଶିଥିଲେ। ଏବେ ଟାମ୍ପରସିଂହାରେ ହୋଟେଲ୍ କରି ପରିବାର ପୋଷୁଛନ୍ତି। ଅମର ମିର୍ଦ୍ଧା ଦେବଗଡ ଅଂଚଳରେ ଏରିଆା କମାଣ୍ତର ଥିବା ବେଳେ ତାଙ୍କ ପତ୍ନୀ ଫୌଜି ଥିଲେ। ଏମାନଙ୍କର ୨ ପୁଅ ବର୍ତମାନ ପାଠ ପଢୁଛନ୍ତି। ଜଣେ ନବମ, ଆଉ ଜଣେ ସପ୍ତମ ଶ୍ରେଣୀରେ। ଅମର ମିର୍ଦ୍ଧା ୨୦୧୨ରେ ଦେବଗଡ଼ରେ ଆତ୍ମସମର୍ପଣ କରିଥିଲେ। ସେହି ସମୟରେ ପ୍ରଶାସନ ତାଙ୍କୁ ୩ ଲକ୍ଷ ଟଙ୍କା, ୫ ଏକର ଜମି, ବାସଗୃହ ପାଇଁ ୪ ଡିସିମିଲ ଜାଗା ଦେବାକୁ ଦୃଢ ପ୍ରତିଶୃତି ଦେଇଥିଲେ। ମାତ୍ର ୪ ଡିସିମିଲ୍ ଜାଗା ଦେଇ ଚୁପ୍ ରହିଗଲେ। ହୋମଗାର୍ଡ ଚାକିରି ପାଇଁ ବି ପ୍ରତିଶ୍ରୁତି ଦେଇଥିଲେ। ହେଲେ ତାହା ବି ପୂରଣ କଲେ ନାହିଁ। ଅମରଙ୍କ ଜମି ବାଡ଼ି କିଛି ବି ନାହିଁ। ମୁଖ୍ୟ ସ୍ରୋତରେ ମିଶାଇ ସରକାର ଆମ ସହ ପ୍ରତାରଣା କଲେ ବୋଲି ଅମର ଆମ ପ୍ରତିନିଧିଙ୍କ ଠାରେ ପ୍ରକାଶ କରିଛନ୍ତି। ଋଣ ପାଇଁ ଯୁଯୁମୁରା ୟୁନିୟନ ବ୍ୟାଙ୍କକୁ ଦୌଡ଼ିଦୌଡ଼ି ନୟାନ୍ତ ହେଇଗଲେ ପଛେ ମିଳିଲା ନାହିଁ। ଆଉ ଜଣେ ମାଓ ନେତ୍ରୀ ହେଲେ ଦୀପ୍ତି ନାଏକ। ସେ ୨୦୦୫ରେ ମାଓ ସଂଗଠନରେ ସାମିଲ୍ ହୋଇଥିଲେ।
୨୦୦୮ରେ ସେ ସମ୍ବଲପୁର ଏସ୍ପିଙ୍କ ଠାରେ ଆତ୍ମସମର୍ପଣ କରିଥିଲେ। ତାଙ୍କୁ ଇନ୍ଦିରା ଆବାସ ଯୋଜନାରେ ସାମିଲ୍ କରାଯାଇଥିଲା। ହେଲେ ୪୮ ହଜାର ଟଙ୍କାରୁ ୧୩ ହଜାର ଟଙ୍କା ବ୍ଲକରୁ ମିଳିପାରିଲା ନାହିଁ। ସେ ବ୍ଲକ୍ ଅଫିସକୁ ଦୌଡ଼ିଦୌଡ଼ି ନୟାନ୍ତ ହେଲେ। କିନ୍ତୁ ସେ ସମୟର ବିଡିଓ, ଜେଇ ଦିପ୍ତୀଙ୍କ ଅବଶିଷ୍ଟ ରାଶି ଦେଲେ ନାହିଁ। ତାଙ୍କ ନାମରେ ଗୋଟିଏ କେସ୍ ଥିଲା। ୧୨ ବର୍ଷ ପରେ ଦେବଗଡରେ କେସ୍ ହେଲା ଏବଂ ୨୦୧୬ରେ ୧ ବର୍ଷ ପାଇଁ ଜେଲ୍ ହେଲା। ସରକାର ୧୦ ହଜାର ଟଙ୍କା ମାତ୍ର ସହଯୋଗ ଦେଇଥିବା ବେଳେ ୨ ଲକ୍ଷ ଟଙ୍କା ଦେବାକୁ ପ୍ରତିଶୃତି ଦେଇଥିଲେ। ତାଙ୍କୁ ମଧ୍ୟ ହୋମଗାର୍ଡ ଚାକିରି ପାଇଁ ପ୍ରତିଶ୍ରୁତି ମିଳିଥିଲା ବୋଲି ଦିପ୍ତୀ ପ୍ରକାଶ କରିଛନ୍ତି। ବର୍ତମାନ ସେ ନାକଟିଦେଉଳ ବ୍ଲକ୍ ପେଣ୍ଠବାହାଳ ଗ୍ରାମ ନିକଟରେ ରହୁଛନ୍ତି। ହେଲେ ତାଙ୍କ ଘରକୁ ବିଜୁଳି ନାହିଁ। ଅନ୍ଧାର ଭିତରେ ଦିନ କାଟୁଛନ୍ତି। ଠିକ୍ ସେହିପରି ଆଉ ଜଣେ ମାଓନେତ୍ରୀ ହେଲେ ରେବତୀ ନାଏକ। ସେ ମଧ୍ୟ ମାଓ ସଂଠନରେ ଫୌଜି ଥିଲେ।
୨୦୦୫ ରେ ସେ ମାଓ ସଂଗଠନରେ ମିଶିଥିଲେ। ୨୦୧୨ ରେ ଆତ୍ମସମର୍ପଣ କରିଥିଲେ ମଧ୍ୟ ପୁଲିସ ତାଙ୍କୁ ଗିରଫ କରିଥିଲା। ସେ ୫ ବର୍ଷ କାଳ ଜେଲର ଚାରି କାନ୍ଥ ଭିତରେ ନିଜର ଛୋଟ ଛୁଆକୁ ଧରି ରହିଥିଲେ। ତାଙ୍କୁ ଏଯାଏଁ ଘର ଖଣ୍ତିଏ ମିଳିପାରିନି। ତାଙ୍କ ନାମରେ ସମ୍ବଲପୁରରେ ୧୪ଟି ଓ ଦେବଗଡରେ ୨ଟି ମାମଲା ରୁଜୁ ହୋଇଥିଲା। ସରକାର ପ୍ରତିଶ୍ରୁତି ଦେଇ ଏହି ସମସ୍ତ ମାଓବାଦୀଙ୍କୁ ପ୍ରତାରଣା କରିଛନ୍ତି ବୋଲି ମାଓ ନେତା ଧନୁ ପ୍ରକାଶ କରିଛନ୍ତି। ଗରିବ ଖଟିଖିଆଙ୍କୁ ସରକାରୀ ବାବୁ ତଥା ପୁଞ୍ଜିପତିମାନେ ଶୋଷଣ କରୁଥିବାରୁ ବାଧ୍ୟ ହୋଇ ଆମେ ସଂଗଠନରେ ସାମିଲ ହୋଇଥିଲୁ। ସମାଜରେ କିଛି ପରିବର୍ତନ ଆଶାରେ ତଥା ସାଧାରଣ ଲୋକଙ୍କ ଜୀବନଶୈଳୀରେ ସୁଧାର ଉଦ୍ଦେଶ୍ୟରେ ହିଁ ମାଓ ସଂଗଠନରେ ମିଶିଥିଲୁ। କିନ୍ତୁ ମାଓ ସଂଗଠନରେ ମିଶିଲୁ ବୋଲି ଆମେ କେବେ ଗରିବ ଖଟିଖିଆ ମାନଙ୍କ ଉପରେ ଅତ୍ୟାଚାର କରି ନାହୁଁ। କୋରାପୁଟ, ଛତିଶଗଡ, ଫୁଲବାଣୀ, ବରଗଡ, ସମ୍ବଲପୁର ତଥା ବହୁ ସ୍ଥାନରେ ଥିବା ମାଓ ସଂଗଠନ ସହ ଯୋଗସୂତ୍ର ଥିଲା। ଭବିଷ୍ୟତରେ ସରକାର ଦେଇଥିବା ପ୍ରତିଶ୍ରୁତି ରକ୍ଷା ନକଲେ ବାଧ୍ୟ ହୋଇ ପୁଣି ସଙ୍ଗଠନକୁ ଦୃଢ କରିବୁ ଓ ସଂଗ୍ରାମ ଜାରି ରଖିବୁ ବୋଲି ଗଣମାଧ୍ୟମ ଆଗରେ ଏହି ପୂର୍ବତନ ମାଓବାଦୀ ମାନେ ପ୍ରକାଶ କରିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/07/75f845c8-7329-4e34-a82a-36b379be7739.jpg)