କଥା ରଖିଲାନି ପୁଲିସ୍‌: ବାସନ ମାଜି ଚଳୁଛନ୍ତି ମହିଳା ମାଓବାଦୀ

ଆତ୍ମସମର୍ପଣକୁ ୮ ବର୍ଷ ବିତିଲା, ଟଙ୍କାଟିଏ ସହାୟତା ମିଳିନି

କାଳିଆପାଣି : ମାଓବାଦୀମାନେ ସମାଜର ମୁଖ୍ୟସ୍ରୋତରେ ସାମିଲ ହେବାକୁ ସରକାର ଓ ପୋଲିସ ଆହ୍ବାନ ଦେଉଛନ୍ତି। ସେମାନଙ୍କୁ ଆର୍ଥିକ ସହାୟତା ଓ ଥଇଥାନର ପ୍ରଲୋଭନ ଦେଖାଉଛନ୍ତି। କିନ୍ତୁ ବାସ୍ତବରେ ଏହା କାର୍ଯ୍ୟକାରୀ ହେଉନି। ସିପିଆଇ (ମାଓବାଦୀ) ସଂଗଠନର ସକ୍ରିୟ କ୍ୟାଡର ତଥା ମାଓ ଦମ୍ପତି ଝୁମୁରା ହେମ୍ବ୍ରମ୍‌ ଓ ଜମାଦାର ହେମ୍ବ୍ରମ ୮ ବର୍ଷ ତଳେ ପୁଲିସ ନିକଟରେ ଆତ୍ମସମର୍ପଣ କରିଥିଲେ। ‌କେବଳ ଜମାଦାରଙ୍କୁ ଆର୍ଥିକ ସହାୟତା ମିଳିଲା। କିନ୍ତୁ ଝୁମୁରାଙ୍କୁ ଆଜି ସୁଦ୍ଧା ଟଙ୍କାଟିଏ ଆର୍ଥିକ ସହାୟତା ମିଳିନାହିଁ କିମ୍ବା ସରକାରଙ୍କ କୌଣସି ଯୋଜନାରେ ସାମିଲ ମଧ୍ୟ କରାଯାଇ ନାହିଁ। ଏହି ଦମ୍ପତି ଏବେ ଦୟନୀୟ ଭାବେ ବଞ୍ଚୁଛନ୍ତି। ଝୁମୁରା ପର ଘରେ କାମଧନ୍ଦା କରି ଏପରିକି ବାସନ ମାଜି ଅତି ଦୁଃଖ କଷ୍ଟରେ ଚଳୁଛନ୍ତି।

ତତ୍କାଳୀନ ଏସ୍‌ପି ଡିଏସ୍ କୁଟ୍ଟେଙ୍କ ନିକଟରେ ଏମାନେ ଆତ୍ମସମର୍ପଣ କଲାବେଳେ ପୁଲିସ୍‌ ଏମାନଙ୍କୁ ସରକାରୀ ପ୍ୟାକେଜ୍ ଲୋଭ ଦେଖାଇଥିଲା। ଝୁମୁରାଙ୍କ କ୍ଷୋଭ ହେଲା, ପୁଲିସ୍ ଆହ୍ବାନରେ ଅନୁପ୍ରାଣିତ ହୋଇ ସେ ମାଓ ଶିବିର ଛାଡ଼ିଥିଲେ ମଧ୍ୟ ତାଙ୍କୁ ଏଯାବତ୍‌ କୌଣସି ସହାୟତା ମିଳିନି। ପୁଲିସ୍ ସହାୟତାରେ ବ୍ୟାଙ୍କ ଜମାଖାତା ଖୋଲା ଯାଇଥିଲେ ମଧ୍ୟ ଏଥିରେ ଟଙ୍କାଟିଏ ବି ଜମା ହୋଇ ନାହିଁ। ତାଙ୍କୁ ଇନ୍ଦିରା ଆବାସ, ମୋ କୁଡ଼ିଆ, ଖଣି ପ୍ରଭାବିତ ବିଜୁ ପକ୍କାଘର କିମ୍ବା ପ୍ରଧାନମନ୍ତ୍ରୀ ଆବାସରେ ସାମିଲ କରାଯାଇ ନାହିଁ। ମନରେଗା ଯୋଜନାରେ ଉଭୟଙ୍କ ପାଖରେ ଜବ୍ କାର୍ଡ ମଧ୍ୟ ନାହିଁ। ଗାଁ ପାଖ ରଗଦା ଡ୍ୟାମ୍‌ରୁ ସାମୟିକ ମାଛ ମାରିବା ଏବଂ ପର ଘରେ କାମଧନ୍ଦା କରି ଅଭାବ ଓ ଅନଟନ ମଧ୍ୟରେ ଦୁଇଟି ସନ୍ତାନକୁ ନେଇ ଏମାନେ ବହୁ କଷ୍ଟରେ ଚଳୁଥିବା କହିଛନ୍ତି ଝୁମୁରା।

ଜମାଦାର ଓ ଝୁମୁରାଙ୍କ ସୂଚନା ହେଲା, ଏମାନେ ସିପିଆଇ(ମାଓବାଦୀ) କଳିଙ୍ଗନଗର ଡିଭିଜନାଲ କମିଟିର ସଦସ୍ୟ ଥିଲେ। ମାଓନେତା ସୁଶୀଲ୍‌ଙ୍କ ଆହ୍ବାନରେ ଏମାନେ ମାଓ ସଂଗଠନରେ ଯୋଗଦେଇଥିଲେ। କେନ୍ଦୁଝର ଜିଲ୍ଲା ଦୈତାରି ଥାନା ରାସୋଳ ପଞ୍ଚାୟତ ଅନ୍ତର୍ଗତ ଖସାପଦା ଗାଁର ଝୁମୁରା ଓ ଯାଜପୁର ଜିଲ୍ଲା କାଳିଆପାଣି ଥାନା ଚିଙ୍ଗୁଡିପାଳ ପଞ୍ଚାୟତ ରଗଦା ପୁରୁଣାଡିହ ଗ୍ରାମର ଜମାଦାର ଉପରୋକ୍ତ ନକ୍ସଲ ସଂଗଠନରେ କାମ କରିବା ବେଳେ ପରସ୍ପରକୁ ମୟୂରଭଞ୍ଜ ଜିଲ୍ଲା ଶିମିଳିପାଳ ଅଭୟାରଣ୍ୟ ପାଖ ଝଜଗଡ଼ା ମାଓ ଶିବିରରେ ଭେଟିଥିଲେ।

ଏମାନେ ଶିବିରରେ ଉଭୟ ସୁରେଶ ଓ ଲତା ନାଁରେ ପରିଚିତ ଥିଲେ। ଶିମିଳିପାଳ ଅଭୟାରଣ୍ୟ ବନ କାର୍ଯ୍ୟାଳୟ ହମଲା, ପାଲଲହଡ଼ା ଚା ବଗିଚା ହମ୍‌ଲା, ରେବଣା ପଳାସପାଳ ଜମିଦାର ସୁନାରାମ ଟୁଡ଼ୁଙ୍କ ଘର ଉପରେ ଆକ୍ରମଣ ଓ ବାଂଶପାଳ ଫାଣ୍ଡି ପୋଡ଼ି ଘଟଣାରେ ଜମାଦାର ସଂପୃକ୍ତ ଥିବାବେଳେ ଝୁମୁରା ଗାଁ ଗାଁ ବୁଲି ସଂଗଠନ ସପକ୍ଷରେ ପ୍ରଚାର କରୁଥିଲେ।

ଏହି ସମୟରେ ଜମାଦାର ଓ ଝୁମୁରା ପରସ୍ପରକୁ ଭଲ ପାଇ ବସିଥିଲେ। ମୁଖ୍ୟସ୍ରୋତରେ ସାମିଲ ପାଇଁ ରାଜ୍ୟ ସରକାରଙ୍କ ଆହ୍ବାନ ଏବଂ ପୁଲିସର ପ୍ରଲୋଭନ ପରେ ଏମାନେ ସଂଗଠନ ଛାଡିଥିଲେ ଓ ତତ୍କାଳୀନ ଯାଜପୁର ଏସ୍‌ପି ଶ୍ରୀ କୁଟ୍ଟେଙ୍କ ନିକଟରେ ଆତ୍ମ ସମର୍ପଣ କରିଥିଲେ। ସମାଜର ମୁଖ୍ୟ ସ୍ରୋତରେ ଏମାନେ ମିଶିଥିଲେ ମଧ୍ୟ ସବୁ ସରକାରୀ ଯୋଜନାରୁ ଏମାନେ ବଂଚିତ ହୋଇଥିବା କହିଛନ୍ତି। ତତ୍କାଳୀନ ଏସ୍‌ପି ଓ କାଳିଆପାଣି ଆଇଆଇସିଙ୍କ ବଦଳି ହୋଇସାରିଛି। ଏ ସମ୍ପର୍କରେ କାଳିଆପାଣି ଆଇଆଇସି ଯୁବରାଜ ସ୍ବାଇଁଙ୍କୁ ପଚରାଯିବାରୁ କହିଲେ, ଆତ୍ମସମର୍ପଣ ବେଳେ ସହାୟତା ଦେବା ପାଇଁ କୁହାଯାଇ ଥିଲା, ସେ ସମ୍ପର୍କରେ ତାଙ୍କ ନିକଟରେ ତଥ୍ୟ ନାହିଁ।

ସମ୍ବନ୍ଧିତ ଖବର