ମାଲକାନଗିରି: ସୀମାନ୍ତ ଆନ୍ଧ୍ରର ଭଦ୍ରାଦୀ କୋତାଗୁଡ଼େମ ଜିଲ୍ଲା ପୁଲିସ ନିକଟରେ ଦୁର୍ଦ୍ଦାନ୍ତ ମାଓ ଦଂପତି ଆତ୍ମସମର୍ପଣ କରିଛନ୍ତି। ସେମାନେ ହେଲେ ମାଡ଼ାକମ୍ ଲିଙ୍ଗା ଓରଫ ରାକେଶ (୩୯) ଓ ମାଡ଼ିଭି ଗାଙ୍ଗି ଓରଫ ସୁନୀତା (୩୦)। ମାଓ ଦମ୍ପତି ଛତିଶଗଡ଼ ସୁକମା ଜିଲ୍ଲା କିଷ୍ଟରାମ ଥାନା ଅଞ୍ଚଳର ମୂଳବାସିନ୍ଦା ବୋଲି ସୂଚନା ମିଳିଛି। ଲିଙ୍ଗା ୨୦୦୯ ମସିହାରେ ସଂଗଠନରେ ଯୋଗ ଦେଇଥିଲେ। ୨୦୧୦ ପର୍ଯ୍ୟନ୍ତ ମିଲିସିଆ ସଦସ୍ୟ ଭାବେ କାର୍ଯ୍ୟ କରିଥିଲେ। ପରେ ତାଙ୍କୁ ୨୦୧୪ ପର୍ଯ୍ୟନ୍ତ ହରିଭୂଷଣଙ୍କ ସୁରକ୍ଷା ଦଳକୁ ସ୍ଥାନାନ୍ତର କରାଯାଇଥିଲା। ୨୦୧୪ରେ ଏରିଆ କମିଟି ସଦସ୍ୟ ଭାବେ ପଦୋନ୍ନତି ପାଇଥିଲେ। ଆତ୍ମସମର୍ପଣ କରିବା ପୂର୍ବରୁ ମନୁଗୁରୁ ଏରିଆ କମାଣ୍ଡର ଥିଲେ। ସେହିପରି ମାଡାଭି ଗାଙ୍ଗି ୨୦୧୧ରେ ଚାର୍ଲା ମିଲିସିଆ କମାଣ୍ଡର ପୋଡ଼ିୟମ ଜୟରାମଙ୍କ ଉପସ୍ଥିତିରେ ସଂଗଠନରେ ସାମିଲ ହୋଇଥିଲେ। ୨୦୧୩ ପର୍ଯ୍ୟନ୍ତ ସିଏନଏମ୍ ନାଟ୍ୟମ ମାଣ୍ଡାଳୀ ସଦସ୍ୟ ଥିଲେ।
୨୦୧୩ରୁ ୨୦୧୪ ପର୍ଯ୍ୟନ୍ତ ଚାର୍ଲା ଏରିଆ ମିଲିସିଆ ସଦସ୍ୟ ରହିଥିଲେ। ୨୦୧୪ ମସିହାରେ ହରିଭୂଷଣଙ୍କ ସୁରକ୍ଷା ଦଳରେ ଯୋଗ ଦେଇଥିଲେ। ୨୦୧୮ରେ ଲିଙ୍ଗାଙ୍କୁ ବିବାହ କରିଥିଲେ। ପରେ ତାଙ୍କୁ ଏକ କ୍ଷେତ୍ର କମିଟି ସଦସ୍ୟ ଭାବେ ପଦୋନ୍ନତି ଦିଆଯାଇଥିଲା। ସଂଗଠନରେ ମହିଳାଙ୍କ ପ୍ରତି ହେଉଥିବା ଅତ୍ୟାଚାରକୁ ବରଦାସ୍ତ କରିପାରି ନଥିଲେ। ଏଣୁ ସମାଜର ମୁଖ୍ୟସ୍ରୋତରେ ସାମିଲ ହେବାକୁ ଦମ୍ପତି ସ୍ଥିର କରିଥିଲେ। ଦମ୍ପତିଙ୍କୁ ଆତ୍ମନିର୍ଭରଶୀଳ କରାଯିବା ସହ ଖୁସିରେ କିପରି ରହିବେ ସେଥିପାଇଁ ବ୍ୟବସ୍ଥା କରାଯିବ ବୋଲି ପୁଲିସ କହିଛି। ଦଳର ବରିଷ୍ଠ ନେତା ନିର୍ଯାତନା ଦିଆଯାଉଥିବା ଦୁହେଁ ପୁଲିସକୁ କହିଛନ୍ତି।