ଜଳେଶ୍ବର : ଓଡ଼ିଶା ପୁଲିସ ଓ କ୍ରାଇମବ୍ରାଞ୍ଚ ଏସ୍ଟିଏଫର ମୋଷ୍ଟ ଵାଣ୍ଟେଡ୍ ପଳାତକ ବ୍ରାଉନସୁଗାର ବେପାରୀ ସେଖ୍ ସମିରୁଦ୍ଦିନ୍ ଓରଫ୍ ଟାକୁଲୁ ଓରଫ୍ ରାଜା(୩୮) ଓଡ଼ିଶା ହାଇକୋର୍ଟଙ୍କ ନିର୍ଦ୍ଦେଶ କ୍ରମେ ଗତକାଲି ବାଲେଶ୍ବର ଜିଲ୍ଲା ଦୌରାଜଜଙ୍କ କୋର୍ଟରେ ଆତ୍ମସମର୍ପଣ କରି ଜାମିନ୍ ଆବେଦନ କରିଥିଲା। ତେବେ ଜାମିନ୍ ନାମଞ୍ଜୁର ହେବାରୁ ତାକୁ ବିଚାର ବିଭାଗୀୟ ହାଜତକୁ ୧୪ଦିନ ପାଇଁ ପଠାଇ ଦିଆଯାଇଛି।
ସୂଚନା ମୁତାବକ, ବର୍ଷେ ପୂର୍ବେ ସିଂଲା ଥାନା ଅଞ୍ଚଳରୁ ୫୧ଗ୍ରାମ ବ୍ରାଉନସୁଗାର ଜବତ କରିବା ସହ ଜଣେ ବେପାରୀକୁ ଗିରଫ କରିଥିଲା ପୁଲିସ। ପଚରାଉଚୁରା ବେଳେ ଉକ୍ତ ବେପାରୀ ଜବତ ବ୍ରାଉନସୁଗାର ଟାକୁଲୁ ରାଜା ପାଖରୁ କିଣିଥିବା ପ୍ରକାଶ କରିଥିଲା। ଏ ନେଇ ସିଂଲା ଥାନାରେ ୯/୨୦ରେ ଏକ ମାମଲା ରୁଜୁ ହୋଇଥିଲା। ସେବେଠାରୁ ଟାକୁଲୁ ରାଜା ଫେରାର ଥିଲା। ବାଂଲାଦେଶ ସୀମାବର୍ତ୍ତୀ ପଶ୍ଚିମବଙ୍ଗର ଲାଲଗୋଲାରୁ ବ୍ରାଉନସୁଗାର ଆଣି ରାଜ୍ୟ ଓ ପଡ଼ୋଶୀ ରାଜ୍ୟ ଝାଡ଼ଖଣ୍ତ, ପଶ୍ଚିମବଙ୍ଗ, ଛତିଶଗଡ଼, ଆନ୍ଧ୍ରପ୍ରଦେଶ,ତେଲେଙ୍ଗାନା, ମୁମ୍ବାଇ ସମେତ ବିଭିନ୍ନ ସ୍ଥାନକୁ ଚାଲାଣକରି କୋଟି କୋଟି ଟଙ୍କାର କଳାସାମ୍ରାଜ୍ୟ ବିସ୍ତାର କରିଥିଲା ଟାକୁଲୁ ରାଜା। ବାରମ୍ବାର ତା’ ଘରେ ପୁଲିସ ଓ କ୍ରାଇମବ୍ରାଞ୍ଚ ଏସ୍ଟିଏଫ୍ ଚଢ଼ଉ କରିଥିଲେ ସୁଦ୍ଧା ତାକୁ ଧରି ପାରିନଥିଲେ। ଆଇନ୍ ଅନୁଯାୟୀ ତାର ସମ୍ପତ୍ତି ବାଜ୍ୟାପ୍ତ କରିବା ପାଇଁ ପୁଲିସ ବ୍ଲୁପ୍ରିଣ୍ଟ ପ୍ରସ୍ତୁତ କରିଥିବା ଜାଣି ଭୟରେ ଟାକୁଲୁ ରାଜା ଆଗୁଆ ଜାମିନ୍ ପାଇଁ ହାଇକୋର୍ଟରେ ଗତବର୍ଷ ଫେବ୍ରୁଆରି ୨୫ତାରିଖରେ ଏବିପିଏଲ ନଂ ୨୮୯୬/୨୦ରେ ଆବେଦନ କରିଥିଲା। ଚଳିତ ମାସ ୧୭ ତାରିଖରେ ଉକ୍ତ ଆବେଦନର ଶୁଣାଣି କରି ହାଇକୋର୍ଟ ଆସନ୍ତା ୨ ସପ୍ତାହ ମଧ୍ୟରେ ବାଲେଶ୍ବର ଜିଲ୍ଲା ଦୌରା ଜଜଙ୍କ କୋର୍ଟରେ ଆତ୍ମସମର୍ପଣ କରି ଜାମିନ୍ ଆବେଦନ ପାଇଁ ଅର୍ଡର କରିଥିଲେ। ତେଣୁ ଟାକୁଲୁ ରାଜା ଆଉ କୌଣସି ଉପାୟ ନପାଇ ବାଧ୍ୟ ହୋଇ ଗତକାଲି ଜିଲ୍ଲା ଦୌରା ଜଜଙ୍କ କୋର୍ଟରେ ଆତ୍ମସମର୍ପଣ କରିଥିଲା।
ଟାକୁଲୁ ରାଜା ଜେଲ୍ ଯିବା ପରେ ଅନ୍ୟ ବ୍ରାଉନସୁଗାର ବେପାରୀ ଆତଙ୍କିତ ହୋଇପଡ଼ିଥିବା ବେଳେ ତା ଲିଙ୍କରେ ଥିବା ଲୋକଙ୍କ ମଧ୍ୟରେ ଛନକା ପଶିଯାଇଛି। ସେପଟେ ପୁଲିସର ଏକ ସ୍ବତନ୍ତ୍ର ଟିମ୍ ଟାକୁଲୁ ରାଜାକୁ ରିମାଣ୍ତରେ ନେଇ ତାର କଳାସାମ୍ରାଜ୍ୟ ସମ୍ପର୍କରେ ଟିକିନିଖି ତଥ୍ୟ ସଂଗ୍ରହ କରିବ ବୋଲି ଜଣାପଡ଼ିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/04/balasore.jpg)