ଭବାନୀପାଟଣା: କଳାହାଣ୍ଡି ଓ ବୌଦ୍ଧ ସୀମାନ୍ତ ଅଞ୍ଚଳରେ ସକ୍ରିୟ ଥିବା ମହିଳା କ୍ୟାଡର୍ ମାଓବାଦୀ ଦେବେ ସୋରି ବୁଧବାର ଦକ୍ଷିଣ ପଶ୍ଚିମାଞ୍ଚଳ ଡିଆଇଜି ନିତିନ ଶେଖରଙ୍କ ଉପସ୍ଥିତିରେ ଆତ୍ମସମର୍ପଣ କରିଛନ୍ତି। କଳାହାଣ୍ଡି ଜିଲ୍ଲା ଭବାନୀପାଟଣାସ୍ଥିତ ପୁଲିସ ଏସ୍ପିଙ୍କ କାର୍ଯ୍ୟାଳୟଠାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଏ ସଂପର୍କରେ ସୂଚନା ଦେଇଛନ୍ତି ଡିଆଇଜି। ଛତିଶଗଡ଼ ସୁକମା ଜିଲ୍ଲା ପାମେଡ଼ ଥାନା ଅନ୍ତର୍ଗତ ବୋଟେମ ଗ୍ରାମରେ ଜନ୍ମିତା ଦେବେ ସୋରି ଓରଫ୍ ଗୀତା (୨୨) ମାଓବାଦୀ କମାଣ୍ଡର ହିଡ଼ମା ଦ୍ୱାରା ଅନୁପ୍ରାଣିତ ହୋଇ ୨୦୧୮ରେ ମାଓବାଦୀ ସଂଗଠନରେ ଯୋଗ ଦେଇଥିଲେ। ଛତିଶଗଡ଼ରେ ତିନି ବର୍ଷ ମାଓବାଦୀ ସଦସ୍ୟା ଭାବେ କାର୍ଯ୍ୟ କରିବା ପରେ ୨୦୨୨ ମସିହା ଜୁଲାଇ ମାସରେ ଓଡ଼ିଶା ମାଓ ସଂଗଠନ କେକେବିଏନ୍କୁ ସ୍ଥାନାନ୍ତରିତ ହୋଇଥିଲେ। ସଂଗଠନରେ ସେ କେବଳ ଫାଷ୍ଟଏଡ୍ ନର୍ସ ଭାବେ କାର୍ଯ୍ୟ କରୁଥିଲେ। ମାଓ ଅପରେସନ୍ରେ ଆହତ ମାଓବାଦୀମାନଙ୍କୁ ପ୍ରାଥମିକ ଚିକିତ୍ସା ଓ ସେମାନଙ୍କ ଯତ୍ନ ନେବା ତାଙ୍କର ପ୍ରମୁଖ କାର୍ଯ୍ୟ ରହିଥିଲା।
ମାଓବାଦୀ ଓ ପୁଲିସ ମଧ୍ୟରେ ପାଞ୍ଚଥର ଗୁଳି ବିନିମୟ ଘଟଣାରେ ସେ ସାକ୍ଷୀ ରହିଛନ୍ତି। ନୂଆପଡ଼ା ଜିଲ୍ଲାର ଦଣ୍ଡରିପାଣି ଓ ତାରାଝରଠାରେ ୨ଟି, ବୌଦ୍ଧ ଜିଲ୍ଲା ନୀଲିକୁମ୍ପା, ମନମୁଣ୍ଡା ଗାଦରମାରେ ୩ଟି ଗୁଳିବିନିମୟ ଘଟଣାରେ ସାମିଲ ରହିଥିଲେ। ଲାଲବାହିନୀ ମୂଳ ଉଦ୍ଦେଶ୍ୟରୁ ବିଚ୍ୟୁତ ହେବା ଓ ସଙ୍ଗଠନରେ ବିଭିନ୍ନପ୍ରକାର ବିଶୃଙ୍ଖଳା ଦେଖାଯିବା ଯୋଗୁଁ ଦେବେ ସୋରି ମାଓବାଦୀ ସଂଗଠନ ଛାଡ଼ି କଳାହାଣ୍ଡି ପୁଲିସଠାରେ ଆତ୍ମସମର୍ପଣ କରିଛନ୍ତି। ଓଡ଼ିଶା ସରକାରଙ୍କ ମାଓବାଦୀ ଅପରେସନ୍ ଓ ଥଇଥାନ ଅଧିନିୟମ ଅନୁଯାୟୀ ସମସ୍ତ ପ୍ରକାର ସରକାରୀ ସହାୟତା ପ୍ରଦାନ କରାଯିବ ବୋଲି ଦକ୍ଷିଣ ପଶ୍ଚିମାଞ୍ଚଳ ପୁଲିସ ଡିଆଇଜି ଶ୍ରୀ ଶେଖର ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି। ସାମ୍ବାଦିକ ସମ୍ମିଳନୀରେ ପୁଲିସ ଏସ୍ପି ଅଭିଳାଷ ଜି. ମଧ୍ୟ ଉପସ୍ଥିତ ଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/12/26/2025-12-26t132446534z-whatsapp-image-2025-12-26-at-65430-pm-2025-12-26-18-54-47.jpeg)
/sambad/media/media_files/2024/10/24/U6cjdqnma4bgVpKVCerj.jpg)