ମାଲକାନଗିରି: ନକ୍ସଲ ସଂଗଠନର ଥିଲେ ପ୍ରମୁଖ ଯୋଦ୍ଧା। ତେଣୁ ସଂଗଠନର ଅଧିକାଂଶ ବଡ଼ ମିସନ୍‌ରେ ଦିଆଯାଉଥିଲା ନେତୃତ୍ବ। ସ୍ବାଭିମାନ ଅଞ୍ଚଳରେ ୫ବର୍ଷ ଧରି ନକ୍ସଲରାଜ ଚଲାଇବା ସତ୍ତ୍ବେ କ୍ଷମତା ସଂକୁଚିତ କରିବାକୁ ଷଡ଼ଯନ୍ତ୍ର ହେଲା। ଯାହାକୁ ବରଦାସ୍ତ କରିନପାରି ୨୦୧୯ ମସିହା ଫେବ୍ରୁଆରି ୨୪ତାରିଖରେ ଆତ୍ମସମର୍ପଣ କରିଥିଲେ କୁଡ଼ୁମୁଲୁଗୁମ୍ମା ଦଲମର କମାଣ୍ଡର ସୁଧୀର। ମୁଖ୍ୟସ୍ରୋତକୁ ଫେରି ପୂର୍ବରୁ କରିଥିବା ହିଂସା ପାଇଁ ପଶ୍ଚାତାପ କରୁଥିଲା ବେଳେ ସରକାରୀ ସହାୟତାରୁ ବଞ୍ଚିତ ହୋଇ କ୍ଷୋଭରେ ଛଟପଟ ହେଉଛନ୍ତି।

Advertisment

ସୁଧୀର, ପ୍ରକୃତ ନାଁ ଧନଞ୍ଜୟ ଗୋପ। ଘର କାଲିମେଳା ବ୍ଲକ୍‌ ଏମ୍‌ପିଭି-୩୧ ଗାଁ। ଦାଦାଙ୍କ ଘରେ ପିଲାଦିନ କଟିଥିଲା। ଦାଦା ବିବାହ କରିବା ପରେ ଆଉ ଧ୍ୟାନ ଦେଇନଥିଲେ। ତେଣୁ ୨୦୦୬ ମସିହାରେ ମାତ୍ର ୧୫ବର୍ଷ ବୟସରେ ନକ୍ସଲ ହେବାକୁ ନିଷ୍ପତ୍ତି ନେଇଥିଲେ। ମାଟ୍ରିକ୍‌ ପରୀକ୍ଷା ସରିବାର ୩ଦିନ ପରେ କାଲିମେଳା ଦଲମ କମାଣ୍ଡର ଦାମୋଦରଙ୍କୁ ଭେଟି ମାଓ ସଂଗଠନରେ ସାମିଲ ହେଲେ। ସାଧାରଣ ସଦସ୍ୟରୁ ଡିସିଏମ୍‌ ଓ ପରବର୍ତ୍ତୀ ସମୟରେ କୁଡ଼ୁମୁଲୁଗୁମ୍ମା ଦଲମ କମାଣ୍ଡର ହୋଇଥିଲେ। ପିଏଲ୍‌ଜିଏ ପ୍ଲାଟୁନ୍‌ ସଦସ୍ୟ ହୋଇ ପ୍ରାୟ ୧୫ରୁ ୨୦ଥର ପୁଲିସ ଉପରେ ଆକ୍ରମଣ କରିଥିବା ସୁଧୀର କହିଛନ୍ତି। ତେବେ ସଂଗଠନରେ ସାମିଲ ହେବା ଜୀବନର ବଡ଼ ଭୁଲ ଥିଲା। କିନ୍ତୁ ସେହି ସମୟର ପରିସ୍ଥିତି ତାଙ୍କୁ ସଂଗଠନରେ ସାମିଲ ହେବାକୁ ବାଧ୍ୟ କରିଥିଲା।

ସୁଧୀର କହିଛନ୍ତି, ସଂଗଠନର କୌଣସି ଲକ୍ଷ୍ୟ କିମ୍ବା ଉଦ୍ଦେଶ୍ୟ ନାହିଁ। ୧୩ବର୍ଷର ସଂପର୍କ ଛିନ୍ନ କରି ଆତ୍ମସମର୍ପଣ କରିବାକୁ ନିଷ୍ପତ୍ତି ନେଲେ। ସରକାର ମୁଣ୍ଡ ପାଇଁ ୫ଲକ୍ଷ ଟଙ୍କାର ପୁରସ୍କାର ଘୋଷଣା କରିଥିଲେ। ତେଣୁ ଆତ୍ମସମର୍ପଣ ପରେ ସରକାରୀ ସହାୟତାରେ ଅନେକ କିଛି ମିଳିବ ବୋଲି ଆଶା ରହିଥିଲା। କିନ୍ତୁ ଆତ୍ମସମର୍ପଣର ପ୍ରାୟ ୫ବର୍ଷ ପରେ ସେମିତି କିଛି ମିଳିନି। ମୁଖ୍ୟସ୍ରୋତକୁ ଫେରି ମାଓନେତ୍ରୀ ସଂଗୀତାଙ୍କୁ ବିବାହ କରିଥିଲେ। ରୋଜଗାର ପାଇଁ ଏବେ ଠିକାସଂସ୍ଥା ଅଧୀନରେ ରକ୍ତଭଣ୍ଡାର ସୁରକ୍ଷା କର୍ମୀ ଭାବେ କାମ କରୁଛନ୍ତି। ପୂର୍ବରୁ ମାତ୍ର ୮ହଜାର ଟଙ୍କା ଦରମା ମିଳୁଥିବା, ଦୁଇ ମାସ ହେଲା ୧୧ହଜାର ଟଙ୍କା ମିଳୁଛି। ଅର୍ଥାଭାବ ହେବାରୁ ପତ୍ନୀ ମଧ୍ୟ ହଷ୍ଟେଲ୍‌ରେ ରୋଷେୟା ଭାବେ କାମ କରିବାକୁ ବାଧ୍ୟ ହୋଇଛନ୍ତି। ଯେଉଁ ଘର ରହିବାକୁ ପ୍ରଶାସନ ‌ଦେଇଥିଲା ସେଥିରୁ ପାଣି ଗଳୁଛି। ଘର ସହ ହୋମଗାର୍ଡ ଭାବେ ଚାକିରି ନିମନ୍ତେ ବାରମ୍ବାର ଅନୁରୋଧ ସତ୍ତ୍ବେ କେହି ଗୁରୁତ୍ବ ଦେଉନାହାନ୍ତି। ସଂଗଠନ ଛାଡ଼ିବା ପରେ ପୁଲିସ ଚାକିରି ମିଳିଲେ ନକ୍ସଲ ବିରୋଧୀ ଅଭିଯାନରେ ସାମିଲ ହେବି ବୋଲି ଆଶା କରିଥିଲି। କିନ୍ତୁ ସେହି ଆଶା ଆଉ ପୂରଣ ହେବା ଅସମ୍ଭବ।