ଭେଡ଼େନ ନଦୀରେ ୩ ପ୍ରକଳ୍ପ ପାଇଁ ଚାଲିଛି ସର୍ଭେ

ସମ୍ବଲପୁର: ଶିଳ୍ପବିହୀନ, ମରୁଡ଼ି ପ୍ରପୀଡ଼ିତ କୁଚିଣ୍ଡା ଉପଖଣ୍ଡରେ ବହୁ ପ୍ରତୀକ୍ଷିତ ୩ଟି ପ୍ରକଳ୍ପ ନିର୍ମାଣ କାର୍ଯ୍ୟ ପାଇଁ ପଥ ପରିଷ୍କାର ହୋଇଛି। ଭେଡ଼େନ ନଦୀ ଉପରେ ହେବାକୁ ଥିବା ଏହି ପ୍ରକଳ୍ପ ପାଇଁ ଏବେ ସର୍ଭେ କାମ ଚାଲିଥିବା ବ‌େଳେ ଆସନ୍ତା ୨୦୨୪-୨୫ ସୁଦ୍ଧା ନିର୍ମାଣ କାର୍ଯ୍ୟ ସାରିବା ନିମନ୍ତେ ତାରିଖ ଧାର୍ଯ୍ୟ ‌ହୋଇଛି। ଏହି ୩ ପ୍ରକଳ୍ପକୁ ନେଇ ଅଂଚଳର ଚାଷୀମାନଙ୍କ ମଧ୍ୟରେ ବେଶ୍‌ ଉତ୍ସାହ ଦେଖିବାକୁ ମିଳିଛି।

ପ୍ରସିଦ୍ଧ ହୀରାକୁଦ ଜଳଭଣ୍ଡାର ଥିବା ସମ୍ବଲପୁର ଜିଲ୍ଲାରେ ମଧ୍ୟ ଅନେକ ସମୟରେ ଲାଗି ରହିଛି ମରୁଡ଼ି। ଜିଲ୍ଲାର ଅନେକ ବ୍ଲକ୍ ଅଂଚଳର ଚାଷୀଙ୍କୁ ମରୁଡ଼ିର ସମ୍ମୁଖୀନ ହେବାକୁ ପଡ଼ୁଛି। ସମ୍ବଲପୁର ଜିଲ୍ଲାର ୯ଟି ବ୍ଲକ୍ ମଧ୍ୟରୁ ହୀରାକୁଦ ଜଳଭଣ୍ଡାରର ପାଣିରେ କେବଳ ପୂରା ଧନକଉଡ଼ା ଓ ମାନେଶ୍ବର ବ୍ଲକ୍‌ ଜଳସ‌ସେଚିତ ହେଉଛି। ଶିଳ୍ପବିହୀନ ଓ ଆଦିବାସୀ ବହୁଳ କୁଚିଣ୍ଡା ଉପଖଣ୍ଡ ଅଂଚଳର ଜଳସେଚନ ସୁବିଧା ଯୋଗାଇବା ପାଇଁ ସରକାର ପଦକ୍ଷେପ ନେଇଥିଲେ ହେଁ ତାହା ବିଭିନ୍ନ କାରଣରୁ ବିଳମ୍ବ ହେବାରେ ଲାଗିଛି। କୁଚିଣ୍ଡା, ବାମରା, ଜମନକିରା ବ୍ଲକକୁ ନେଇ ଗଠିତ କୁଚିଣ୍ଡା ଉପଖଣ୍ଡର ଚାଷୀମାନେ ଖରିଫ ଫସଲ ପାଇଁ ମୁଖ୍ୟତଃ ମୌସୁମୀ ବର୍ଷା ଉପରେ ନିର୍ଭର କରିଥାନ୍ତି। ହୀରାକୁଦ ନଦୀବନ୍ଧ ନିର୍ମାଣ ସମୟରୁ କୁଚିଣ୍ଡା ପାଖ ଚଇତ୍ରାଠାରେ ଭେଡ଼େନ ନଦୀ ଉପରେ ଏକ ଡ୍ୟାମ ନିର୍ମାଣ ପ୍ରସ୍ତାବ ରହିଥିଲେ ହେଁ ତାହା କାର୍ଯ୍ୟକାରୀ ହୋଇପାରିନାହିଁ। ୨୦୦୯ ମସିହା ସାଧାରଣ ନିର୍ବାଚନ ପୂର୍ବରୁ ମୁଖ୍ୟମନ୍ତ୍ରୀ ଭେଡ଼େନ ଓ ଖର୍ଲା ନଦୀ ଉପରେ ଅନେକ ବ୍ୟାରେଜ ନିର୍ମାଣ ପାଇଁ ବୁଦୁଲାପାଲିଠାରେ ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ।

ସେଥିରୁ ବୁଦୁଲାପାଲି ଠାରେ ପ୍ରସ୍ତାବିତ ବ୍ୟାରେଜ ପାଇଁ ଟେଣ୍ଡର ହୋଇଥିଲେ ବି ପରବର୍ତ୍ତୀ ସମୟରେ ବାତିଲ କରାଯାଇଥିଲା। ଗତ ୨୦୨୧ ମସିହାରେ ପୁଣି ଗୋଛରା, ବୁଢାରଜା, କିରାଶାସନ ଠାରେ ଜଳ ପ୍ରକଳ୍ପ ନିର୍ମାଣ ପାଇଁ ଟେଣ୍ଡର ଆହ୍ବାନ ହୋଇଥିଲା। ଇତିମଧ୍ୟରେ ଗତ ୨୦ ଜୁନ୍ ୨୦୨୨ରେ ଗୋଛରା ଓ କିରାଶାସନ ପ୍ରକଳ୍ପ କାମ ଆରମ୍ଭ କରିବା ଏବଂ ୧୯ ଡିସେମ୍ବର ୨୦୨୪ରେ ସଂପୂର୍ଣ୍ଣ କରିବା ପାଇଁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି। ସେହିପରି ୨୦ ଜୁଲାଇ ୨୦୨୨ରୁ ଆରମ୍ଭ ହୋଇ ୧୯ ଜାନୁଆରି ୨୦୨୫ ମସିହାରେ ସଂପୂର୍ଣ୍ଣ କରିବା ପାଇଁ ଠିକା ସଂସ୍ଥା ଚୁକ୍ତି ହୋଇଥିବା ଜଣାପଡ଼ିଛି। ଗୋଛରା ପ୍ରକଳ୍ପ ପାଇଁ ୪୧.୧୨ କୋଟି ଟଙ୍କା, ବୁଢ଼ାରଜା ପ୍ରକଳ୍ପ ପାଇଁ ୬୮.୩୨ କୋଟି ଟଙ୍କା ଏବଂ କିରାଶାସନ ପ୍ରକଳ୍ପ ପାଇଁ ୫୫.୨୮ କୋଟି ଟଙ୍କା ବ୍ୟୟ ଅଟକଳ ପ୍ରସ୍ତୁତ କରାଯାଇଛି।

ତେବେ, ଏହି ୩ଟି ଯାକ ପ୍ରକଳ୍ପ କାର୍ଯ୍ୟ ପାଇଁ ଏବେ ସର୍ଭେ କାର୍ଯ୍ୟ ଜାରି  ରହିଛି। ସର୍ଭେ କାର୍ଯ୍ୟ ସରିବା ପରେ ବିଧିବଦ୍ଧ ନିର୍ମାଣ କାମ ଶୀଘ୍ର ଆରମ୍ଭ ହେବ ବୋଲି କହାଯାଉଛି। ଏହି ୩ ପ୍ରକଳ୍ପ ନିର୍ମାଣ କାର୍ଯ୍ୟ ଶେଷ ହେଲେ ମେଗା ଉଠାଜଳସେଚନ ପ୍ରକଳ୍ପ ଜରିଆରେ ଚାଷ କାର୍ଯ୍ୟ କରାଯାଇପାରିବ। କେତେକ ଜାଗାରେ ଦୁଇ ଫସଲି ଚାଷ ହୋଇପାରିବ। କିଛି ନହେଲେ ବି ଖରିଫ ଋତୁରେ ଆଉ ମରୁଡ଼ିର ସମ୍ମୁଖୀନ ହେବାକୁ ପଡ଼ିବ ନାହିଁ। ଏଥି ସହିତ ପାନୀୟ ଜଳ ଯୋଗାଣ ନିମନ୍ତେ ବି ଏଠାକାର ପାଣିକୁ ବି ବ୍ୟବହାର କରାଯାଇପାରିବ। ଏଥି ସହିତ କୁଚିଣ୍ଡା ଉପଖଣ୍ଡବାସୀଙ୍କ ଦୀର୍ଘ ଦିନର ସ୍ବପ୍ନ ବି ସକାର ହୋଇପାରିବ।

ସମ୍ବନ୍ଧିତ ଖବର