ପ୍ରାଚୀ ନଦୀ ପୁନରୁଦ୍ଧାର ପ୍ରକ୍ରିୟା : ଆରମ୍ଭ ହେଲା ଅବବାହିକା ସର୍ବେକ୍ଷଣ

କାକଟପୁର : କାକଟପୁର ନିକଟ ଦେଇ ପ୍ରବାହିତ ପୂଣ୍ୟତୋୟା ପ୍ରାଚୀ ନଦୀକୁ ପୁନରୁଦ୍ଧାର କରିବା ପାଇଁ ଆଜି ଓଡ଼ିଶା ସରକାରଙ୍କ ଡ୍ରେନେଜ୍‌ ବିଭାଗ ପକ୍ଷରୁ ପ୍ରକ୍ରିୟା ଆରମ୍ଭ ହୋଇଛି। ଅଧୀକ୍ଷଣ ଯନ୍ତ୍ରୀ ଅଶୋକ ସାମଲଙ୍କ ନେତୃତ୍ଵରେ ଏକ ଉଚ୍ଚସ୍ତରୀୟ ଇଂଜିନିୟର ଦଳ ପ୍ରାଚୀ ନଦୀ ଅବବାହିକା ବୁଲି ଦେଖିଛନ୍ତି। ସେମାନେ ଅବବାହିକାରେ ପ୍ରାରମ୍ଭିକ ସର୍ବେକ୍ଷଣ କରିଛନ୍ତି। ସ୍ଥିତି ହରାଇ ବସିଥିବା ଏହି ସର୍ବପୁରାତନ ପ୍ରାଚୀ ନଦୀକୁ ପୁନରୁଦ୍ଧାର କରିବା ପାଇଁ କାକଟପୁରସ୍ଥିତ ପ୍ରାଚୀ ନଦୀ ସୁରକ୍ଷା କମିଟି ପକ୍ଷରୁ ଡ୍ରେନେଜ୍‌ ବିଭାଗର ଉଚ୍ଚ ଅଧିକାରୀଙ୍କ ସହିତ ଆଲୋଚନା ପରେ ଏହି ସର୍ବେକ୍ଷଣ ଆରମ୍ଭ ହୋଇଛି।

ଆଜି ଏହି ଅଧିକାରୀମାନେ ପ୍ରଥମେ କଟକ ଜିଲ୍ଲାର ନିଆଳି ବ୍ଲକ୍‌ ଅନ୍ତର୍ଗତ ଦେବୀ ନଦୀର ଉପନଦୀ ତଁଳା ନଦୀ ଅଂଚଳ ଗସ୍ତ କରିଥିଲେ। ତଁଳା ନଦୀ ମଧ୍ୟଦେଇ ଦେବୀ ନଦୀର ଉଦ୍‌ବୃତ ଜଳରାଶି ପ୍ରାଚୀ ନଦୀ ମଧ୍ୟକୁ ପ୍ରବେଶ କରିବା ପାଇଁ ଆବ୍ୟଶ୍ୟକ ଭିତ୍ତିଭୂମି ସଂପର୍କରେ ତନଖି କରିବାପରେ ଯନ୍ତ୍ରୀମାନେ ପୁରୀ ଜିଲ୍ଲା ମଧ୍ୟଦେଇ ପ୍ରବାହିତ ପୁରାତନ ପ୍ରାଚୀ ନଦୀର ବିଭିନ୍ନ ସ୍ଥାନ ପରିଦର୍ଶନ କରିଥିଲେ। ଅଧିକ୍ଷଣ ଯନ୍ତ୍ରୀ ଶ୍ରୀ ସାମଲଙ୍କ ସହିତ କଟକ ଡ୍ରେନେଜ୍‌ ଡିଭିଜନ୍‌ର ନିର୍ବାହୀ ଯନ୍ତ୍ରୀ ବିଜ୍ଞାନ ବେହେରା, ସହନିର୍ବାହୀ ଯନ୍ତ୍ରୀ ମାନସ ରାଉତ ପ୍ରମୁଖ ବରିଷ୍ଠ ଯନ୍ତ୍ରୀମାନେ ଏହି ସର୍ବେକ୍ଷଣରେ ସାମିଲ୍‌ ଥିଲେ। ପ୍ରାଚୀ ସୁରକ୍ଷା କମିଟିର ସଭାପତି ଶିକ୍ଷାବିତ୍‌ ସ୍ୱପ୍ନେଶ୍ୱର ସାହୁଙ୍କ ନେତୃତ୍ଵରେ କାର୍ଯ୍ୟକାରୀ ସଭାପତି ରମେଶ ଚନ୍ଦ୍ର ବିଶ୍ୱାଳ, ଉପସଭାପତି ଅକ୍ଷୟ କୁମାର ରାଉତ, ଦେଶବନ୍ଧୁ ସ୍ୱାଇଁ, ସଂପାଦକ ସମରେନ୍ଦ୍ର ଦିକ୍ଷୀତ୍‌, ଯୁଗ୍ମସଂପାଦକ ହିମାଂଶୁ ଭୂଷଣ ଦିକ୍ଷୀତ୍‌, କୋଷାଧ୍ୟକ୍ଷ ଜ୍ଞାନରଂଜନ ସାହୁ, କାର୍ଯ୍ୟକାରୀ କମିଟି ସଦସ୍ୟ ଦୁର୍ଗା ମିଶ୍ର, କୈଳାସ ଚନ୍ଦ୍ର ଦାଶ, ତୁଷାର କାନ୍ତ ମହାନ୍ତି, ଅଶୋକ ଦିକ୍ଷୀତ, ଇଂଜିନିୟର କୁନାଲ ସ୍ୱାଇଁ, ପ୍ରଭାତ କୁମାର ଦିକ୍ଷୀତ୍‌ଙ୍କ ସମେତ୍‌ କଟକ ଜିଲ୍ଲାର ବହୁ ବିଶିଷ୍ଟ ବ୍ୟକ୍ତିମାନେ ଏହି ସର୍ବେକ୍ଷଣ ସମୟରେ ଉପସ୍ଥିତ ରହି ଉଚ୍ଚପଦସ୍ଥ ଅଧିକାରୀଙ୍କୁ ସହଯୋଗ କରିଥିଲେ।

ସମ୍ବନ୍ଧିତ ଖବର