କେନ୍ଦ୍ରୀୟ ମହିଳା କୃଷି ଗବେଷଣା ସଂସ୍ଥାର ସର୍ଭେ ରିପୋର୍ଟ: ସାଢ଼େ ୬ ଘଣ୍ଟାର ପରିଶ୍ରମ ପରେ ବି ରାଜ୍ୟର ୮୧.୦୩ % ମହିଳା ଅବୈତନିକ

୨୭% ପୁରୁଷଙ୍କୁ ମିଳୁନି ୨ ଘଣ୍ଟା କାର୍ଯ୍ୟର ମୂଲ୍ୟ

ଭୁବନେଶ୍ବର : କାର୍ଯ୍ୟ କରୁଛନ୍ତି କିନ୍ତୁ ପ୍ରାପ୍ୟ ମିଳୁନି। ରାଜ୍ୟରେ ୮୧.୦୩ ପ୍ରତିଶତ ମହିଳା ଅଛନ୍ତି; ଯେଉଁମାନେ ଦୈନିକ ଘରେ ରନ୍ଧାବଢ଼ା, ଶିଶୁଙ୍କ ଯତ୍ନ, ସଫେଇ ଭଳି ଯାବତୀୟ କାର୍ଯ୍ୟଠାରୁ ଆରମ୍ଭ କରି କୃଷି, ଜଙ୍ଗଲ, ମତ୍ସ୍ୟ ପାଳନ ସମେତ ବିଭିନ୍ନ ଜୀବିକାରେ ପ୍ରାୟ ସାଢେ ୬ ଘଣ୍ଟାରୁ ଊର୍ଧ୍ବ ସମୟ କଠିନ ପରିଶ୍ରମ କରୁଛନ୍ତି। କିନ୍ତୁ ଏହି କାର୍ଯ୍ୟର କୌଣସି ଆର୍ଥିକ ମୂଲ୍ୟ ସେମାନଙ୍କୁ ମିଳୁ ନାହିଁ। ଅନ୍ୟ ଦିଗରେ ୨୭.୦୯ ପ୍ରତିଶତ ପୁରୁଷଙ୍କୁ ମାତ୍ର ୨ ଘଣ୍ଟାର କାର୍ଯ୍ୟର ମୂଲ୍ୟ ମିଳୁନାହିଁ। ଦେଶରେ ପ୍ରଥମ ଥର ପାଇଁ କରାଯାଇଥିବା ‘ଅବୈତନିକ କାର୍ଯ୍ୟରେ ସମୟ ବ୍ୟବହାର’ ଶୀର୍ଷକ ସର୍ବଭାରତୀୟ ସର୍ଭେରେ ଏହି ତଥ୍ୟ ପ୍ରକାଶିତ ହୋଇଛି। କେନ୍ଦ୍ର ସରକାରଙ୍କ କେନ୍ଦ୍ରୀୟ ମହିଳା କୃଷି ଗବେଷଣା ସଂସ୍ଥା ପକ୍ଷରୁ ସବୁ ରାଜ୍ୟର ୨ ଲକ୍ଷ ୭୨ ହଜାର ବ୍ୟକ୍ତିଙ୍କୁ ନେଇ କରାଯାଇଥିବା ସର୍ଭେରେ ଏହି ରିପୋର୍ଟ ଆସିଛି। ଏହାକୁ କେନ୍ଦ୍ର ସରକାରଙ୍କୁ ପ୍ରଦାନ କରାଯାଇଥିବା ସଂସ୍ଥାର ମୁଖ୍ୟ ଡ.ଏସକେ ଶ୍ରୀବାସ୍ତବ କହିଛନ୍ତି।

୨୦୧୭ ମସିହାର ବିଶ୍ବସୁନ୍ଦରୀ ପ୍ରତିଯୋଗିତାର ବିଜୟିନୀ ମାନୁଷୀ ଚିଲ୍ଲରଙ୍କୁ ପଚରାଯାଇଥିବା ପ୍ରଶ୍ନର ଉତ୍ତରରେ ସେ କହିଥିଲେ ଯେ ଘର ସମ୍ଭାଳୁଥିବା ମା’ମାନଙ୍କୁ ସେମାନଙ୍କ କାର୍ଯ୍ୟ ଲାଗି ସର୍ବାଧିକ ବେତନ ଦିଆଯିବା ଉଚିତ। ଏଭଳି ଉତ୍ତର ଦେଇ ଏହା ଉଭୟ ବିଚାରକ ଏବଂ ସାଧାରଣ ଜନତାଙ୍କ ହୃଦୟ ଜିଣି ନେଇଥିଲେ। ଏଥିସହିତ ସେହି ବର୍ଷ ଦେଶରେ ଗୃହିଣୀଙ୍କ କାର୍ଯ୍ୟର ମୂଲ୍ୟାୟନ ନେଇ ବିତର୍କ ମଧ୍ୟ ଆରମ୍ଭ ହୋଇଥିଲା। ଅର୍ଥନୀତି ଅନୁଯାୟୀ, ଜଣେ ମହିଳା ନିଜ ଘରେ ଯେତିକି କାର୍ଯ୍ୟ କରନ୍ତି, ସେହି କାର୍ଯ୍ୟର କୌଣସି ଆର୍ଥିକ ମୂଲ୍ୟ ନାହିଁ। କିନ୍ତୁ ସେହି କାର୍ଯ୍ୟ ସେ ଅନ୍ୟ ଘରେ କଲେ ତାର ମୂଲ୍ୟାଙ୍କନ ହୁଏ। ଏଥିଯୋଗୁଁ ଘର ସମ୍ଭାଳୁଥିବା ଅନେକ ମହିଳା ସକାଳୁ ରାତି ପର୍ଯ୍ୟନ୍ତ ଦାୟିତ୍ବସମ୍ପନ୍ନ କାର୍ଯ୍ୟ କରୁଥିଲେ ମଧ୍ୟ ଉଭୟ ସେ ନିଜେ, ପରିବାର ଏବଂ ସମାଜ ତାଙ୍କୁ ବେକାର ଭାବରେ ଅଭିହିତ କରେ। ଏହି ପରିପ୍ରେକ୍ଷୀରେ ସରକାରଙ୍କ ପକ୍ଷରୁ ଅବୈତନିକ କାର୍ଯ୍ୟକୁ ଗୁରୁତ୍ବ ଦିଆଯାଇ ଏହି ସର୍ଭେ କରାଯାଇଛି। ଏହି ରିପୋର୍ଟ ଆଧାରରେ ଗବେଷଣା କେନ୍ଦ୍ରର ବୈଜ୍ଞାନିକ ସବିତା ମିଶ୍ର କହିଛନ୍ତି; ଅବୈତନିକ କାର୍ଯ୍ୟ ମଧ୍ୟରେ ଖାଦ୍ୟ ପ୍ରସ୍ତୁତିରେ ୭୫.୨୩ ପ୍ରତିଶତ ମହିଳା ୨୮୭ ମିନିଟ୍‌ ଏବଂ ୪.୪ ପ୍ରତିଶତ ପୁରୁଷ ୧୪୭ ମିନିଟ୍‌ ଖର୍ଚ କରନ୍ତି। ମହିଳାଙ୍କ ଏହି କାର୍ଯ୍ୟ ପୁରୁଷଙ୍କଠାରୁ ୧୮ ଗୁଣ ଅଧିକ। ସଫେଇରେ ୬୪.୧୪ ପ୍ରତିଶତ ମହିଳା, ୪.୮୬ ପ୍ରତିଶତ ପୁରୁଷ କାର୍ଯ୍ୟ କରନ୍ତି। ଶିଶୁ ଯତ୍ନରେ ମହିଳା ୧୩୭ ମିନିଟ୍‌, ପୁରୁଷ ୭୨ ମିନିଟ୍‌, ବୟସ୍କଙ୍କ ଯତ୍ନ କ୍ଷେତ୍ରରେ ମହିଳା ୧୩୭ ମିନିଟ୍‌ ଏବଂ ପୁରୁଷ କୌଣସି ସମୟ ଦିଅନ୍ତି ନାହିଁ। ଏଥିଯୋଗୁଁ ୭୪.୪୪ ପ୍ରତିଶତ ମହିଳାଙ୍କୁ ୧୬୭ ମିନିଟ୍‌ ଏବଂ ୮୨.୯୩ପ୍ରତିଶତ ପୁରୁଷଙ୍କୁ ୧୯୩ ମିନିଟ୍‌ ଅବସର ସମୟ (ଖାଲି ସମୟ) ମିଳିଥାଏ। ଅନ୍ୟଦିଗରେ ଦେଶରେ ୮୩.୬ ପ୍ରତିଶତ ମହିଳା, ୩୫.୯୬ ପ୍ରତିଶତ ପୁରୁଷ ଅବୈତନିକ ଅଟନ୍ତି ବୋଲି ରିପୋର୍ଟରେ ଦର୍ଶାଯାଇଛି।

ସମ୍ବନ୍ଧିତ ଖବର