ଏମିତି କାମ କରୁଛି ଶ୍ରୀମନ୍ଦିର ପ୍ରଶାସନ ! ନାଗାର୍ଜୁନ ବେଶରୁ ନେଇଗଲେ ସୂର୍ଯ୍ୟ, ଚନ୍ଦ୍ର

ପୁରୀ : ଗତକାଲି ନାଗାର୍ଜୁନ ବେଶ ବେଳେ ବିଭ୍ରାଟ ଦେଖାଦେଇଥିଲା। ଏହାର ଦିନକ ପରେ ପୁଣି ଏକ ବିଶୃଙ୍ଖଳା ଦେଖିବାକୁ ମିଳିଛି। ମହାପ୍ରଭୁଙ୍କ ନାଗାର୍ଜୁନ ବେଶରେ ଲାଗିଥିବା ଚନ୍ଦ୍ର, ସୂର୍ଯ୍ୟଙ୍କୁ ବି ନେବାକୁ ପଛାଇ ନାହାନ୍ତି। ଜୈନିକ ବରିଷ୍ଠ ସେବାୟତ ଏଭଳି ଦୁଃସାହସ କରିଛନ୍ତି। ଯେଉଁଠି ଚଳିତ ବର୍ଷର ନାଗାର୍ଜୁନ ବେଶ ଶ୍ରୀମନ୍ଦିର ପ୍ରଶାସନ ନିଜ ପାଖରେ ରଖିବ ବୋଲି କହିଥିଲା, ସେଠି ଜଣେ ସେବାୟତ ଏହି ବେଶରେ ଲାଗିଥିବା ଚନ୍ଦ୍ର, ସୂର୍ଯ୍ୟକୁ ନେଇଯିବା, ବେଶର ସୁରକ୍ଷା ନେଇ ପ୍ରଶ୍ନବାଚୀ ସୃଷ୍ଟି କରିଛି। ଶ୍ରୀମନ୍ଦିର ପାଇଁ ଶ୍ରୀମନ୍ଦିର ପ୍ରଶାସନ କେମିତି କାମ କରୁଛି ଗତକାଲି ଓ ଆଜିର ଘଟଣାରୁ ସ୍ପଷ୍ଟ ଜଣାପଡୁଛି।

ପୂର୍ବରୁ ପ୍ରଚଳିତ ପରମ୍ପରା ଅନୁସାରେ ଓଲାଗି ନାଗାର୍ଜୁନ ବେଶ ଯଜମାନ ନେଇଥାନ୍ତି। କିନ୍ତୁ ସର୍ବସମ୍ମତିକ୍ରମେ ଚଳିତ ବର୍ଷର ବେଶ ଶ୍ରୀମନ୍ଦିର ପ୍ରଶାସନ ରଖିବ ବୋଲି ସ୍ଥିର କରାଯାଇଥିଲା। ଯଜମାନଙ୍କୁ ଏ ବାବଦ କ୍ଷତିପୂରଣ ଶ୍ରୀମନ୍ଦିର ପ୍ରଶାସନ ଦେବ ବୋଲି ସ୍ଥିର କରାଯାଇଥିଲା। ଏହି ବେଶକୁ ଜଗନ୍ନାଥ ବଲ୍ଲଭ ପରିସରରେ ହେବାକୁ ଥିବା ସଂଗ୍ରହାଳୟରେ ରଖାଯିବ ବୋଲି ସ୍ଥିର କରାଯାଇଥିଲା। ସେହି ଅନୁଯାୟୀ ପ୍ରସ୍ତୁତି ଚାଲିଥିବା ବେଳେ ବେଶରୁ ଚନ୍ଦ୍ର, ସୂର୍ଯ୍ୟ ଆଦି ସେବାୟତ ନେଇଯିବା ଓ ଏ ସମ୍ପର୍କରେ ଶ୍ରୀମନ୍ଦିର ପ୍ରଶାସନ ଜାଣିନଥିବା କହିବା ହାସ୍ୟାସ୍ପଦ ମାନେହେଉଛି। ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କ୍ରିଷନ କୁମାର ଏହାର ତଦନ୍ତ ହେବ ବୋଲି କହିଛନ୍ତି।  ଯିଏ ଏହି ଘଟଣାରେ ଦାୟୀ ବୋଲି ଜଣାପଡ଼ିବ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବ। ଶ୍ରୀମନ୍ଦିରର କମାଣ୍ଡରଙ୍କୁ ଘଟଣାର ତଦନ୍ତ କରି ରିପୋର୍ଟ ଦେବାକୁ କୁହାଯାଇଛି ବୋଲି  ସେ କହିଛନ୍ତି।

ସମ୍ବନ୍ଧିତ ଖବର