ଓଡ଼ିଶା ବିଧାନସଭାର ୨୨ତମ ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର

ଭୁବନେଶ୍ୱର: ବିଜୁ ଜନତା ଦଳର ପୁରୁଖା ବିଧାୟକ ସୂର୍ଯ୍ୟ ନାରାୟଣ ପାତ୍ର ଆଜି ଓଡ଼ିଶା ବିଧାନସଭାର ବାଚସ୍ପତି ଭାବେ ସର୍ବସମ୍ମତି କ୍ରମେ ନିର୍ବାଚିତ ହୋଇଛନ୍ତି। ଏହି ପଦ ପାଇଁ ବିରୋଧୀ ଦଳ ପକ୍ଷରୁ କୌଣସି ପ୍ରାର୍ଥୀ ଦିଆଯାଇନଥିଲା। ଅଧିବେଶନ ପ୍ରାରମ୍ଭରେ ମୁଖ୍ୟମନ୍ତ୍ରୀ ତଥା ଗୃହର ନେତା ନବୀନ ପଟ୍ଟନାୟକ ଶ୍ରୀ ପାତ୍ରଙ୍କୁ ବାଚସ୍ପତି ଭାବେ ନିର୍ବାଚିତ କରିବାକୁ ଏକ ପ୍ରସ୍ତାବ ଆଗତ କରିଥିଲେ। ସଂସଦୀୟ ବ୍ୟାପାର ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ଏହି ପ୍ରସ୍ତାବକୁ ସମର୍ଥନ କରିବା ପରେ ଶ୍ରୀ ପାତ୍ର ସର୍ବସମ୍ମତି କ୍ରମେ ବାଚସ୍ପତି ହେଲେ ବୋଲି କାମଚଳା ବାଚସ୍ପତି  ଅମର ପ୍ରସାଦ ଶତପଥୀ ଘୋଷଣା କରିଥିଲେ।

ତା’ପରେ ଶ୍ରୀ ପାତ୍ରଙ୍କୁ ମୁଖ୍ୟମନ୍ତ୍ରୀ ଏବଂ ବିଭିନ୍ନ ଦଳର ବରିଷ୍ଠ ନେତାମାନେ ବାଚସ୍ପତି ଆସନକୁ ପାଛୋଟି ନେଇଥିଲେ। ଆସନ ଗ୍ରହଣ କରି ଶ୍ରୀ ପାତ୍ର ମୁଖ୍ୟମନ୍ତ୍ରୀ ଗୃହର ସମସ୍ତ ନିର୍ବାଚିତ ସଦସ୍ୟଙ୍କୁ ତାଙ୍କୁ ବାଚସ୍ପତିଭାବେ ନିର୍ବାଚିତ କରିଥିବାରୁ ଧନ୍ୟବାଦ ଦେଇଥିଲେ ଏବଂ ଏହି ଆସନର ମର୍ଯ୍ୟାଦା ରକ୍ଷା କରିବେ ବୋଲି ଗୃହକୁ ପ୍ରତିଶ୍ରୁତି ଦେଇଥିଲେ ଏବଂ ସମସ୍ତେ ଏକ ହୋଇ କାର୍ଯ୍ୟ କରିବାକୁ ଆହ୍ଵାନ ଦେଇଥିଲେ।

ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ, ପୂର୍ବତନ ବିରୋଧୀ ଦଳ ନେତା ଓ ବରିଷ୍ଠ କଂଗ୍ରେସ ନେତା ନରସିଂହ ମିଶ୍ର ନବନିର୍ବାଚିତ ଶ୍ରୀ ପାତ୍ରଙ୍କୁ ସ୍ୱାଗତ କରିବା ସଂଗେ ସଂଗେ ପ୍ରଶାସନିକ ଓ ସଂସଦୀୟ କାର୍ଯ୍ୟରେ ତାଙ୍କର ବ୍ୟାପକ ଅଭିଜ୍ଞତା ଥିବାର ପ୍ରକାଶ କରିଥିଲେ। ବି.ଏସ.ସି ଓ ଏଲ୍ଏଲ୍.ବି ପାସ କରିଥିବା ଏବଂ ଓକିଲାତି କରୁଥିବା ଶ୍ରୀ ପାତ୍ର ପ୍ରଥମେ ୧୯୯୦ ମସିହାରେ ମୋହନା ନିର୍ବାଚନ ମଣ୍ଡଳୀରୁ ଜନତାଦଳ ଟିକେଟରେ ନିର୍ବାଚିତ ହୋଇ ବିଧାନସଭାକୁ ପ୍ରବେଶ କରିଥିଲେ ଏବଂ ସେ ବିଜୁ ପଟ୍ଟନାୟକ ମନ୍ତ୍ରିମଣ୍ଡଳରେ ମନ୍ତ୍ରୀ ହୋଇଥିଲେ।

୧୯୯୫ ମସିହାରେ ମଧ୍ୟ ସେ ଏହି ଆସନରୁ ଜନତା ଦଳ ଟିକେଟରେ ପୁନଃ ନିର୍ବାଚିତ ହୋଇଥିଲେ। ପରେ ପରେ ସେ ୨୦୦୦ ଓ ୨୦୦୪ ମସିହାରେ ବିଜୁ ଜନତା ଦଳ ଟିକେଟରେ ଏହି ଆସନରୁ ନିର୍ବାଚିତ ହୋଇଥିଲେ। ସେ ୨୦୦୯ରେ ନିର୍ବାଚନ ମଣ୍ଡଳୀ ପରିବର୍ତ୍ତନ କରି ଦିଗପହଣ୍ଡି ବିଧାନସଭା ଆସନରୁ ତିନିଥର ନିର୍ବାଚିତ ହୋଇଛନ୍ତି। ସେ ନବୀନ ପଟ୍ଟନାୟକଙ୍କ ମନ୍ତ୍ରିମଣ୍ଡଳରେ ବହୁଥର ମନ୍ତ୍ରୀ ହୋଇଛନ୍ତି ଏବଂ ରାଜସ୍ୱ,ଶକ୍ତି,ଖାଦ୍ୟ ଯୋଗାଣ,ସମବାୟ ଭଳି ବହୁ ଗୁରୁତ୍ୱପୂର୍ଣ୍ଣ ବିଭାଗର ଦାୟିତ୍ୱ ତୁଲାଇଛନ୍ତି।

ସମ୍ବନ୍ଧିତ ଖବର