ଏଲ୍‌ପିଜି ନେଇ ସୂର୍ଯ୍ୟ-ଧର୍ମେନ୍ଦ୍ର ମୁହାଁମୁହିଁ

ଭୁବନେଶ୍ବର : ପ୍ରଧାନମନ୍ତ୍ରୀ ଉଜ୍ଜ୍ବଳା ଯୋଜନାରେ ଏଲ୍‌ପିଜି ରିଫିଲିଂ ସବ୍‌ସିଡି ବଢ଼ାଯାଉ। ଏହାସହ ପୂରା ସବ୍‌ସିଡି ଅର୍ଥ ତୁରନ୍ତ ହିତାଧିକାରୀଙ୍କୁ ପ୍ରଦାନ କରିବା ପାଇଁ ପଦକ୍ଷେପ ନେବାକୁ ରାଜ୍ୟ ଖାଦ୍ୟ ଯୋଗାଣ ମନ୍ତ୍ରୀ ସୂର୍ଯ୍ୟ ନାରାୟଣ ପାତ୍ର ଆଜି କେନ୍ଦ୍ର ପେ‌େଟ୍ରାଲିୟମ ଓ ପ୍ରାକୃତିକ ଗ୍ୟାସ୍ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଚିଠି ଲେଖିଛନ୍ତି।

ମନ୍ତ୍ରୀ ଶ୍ରୀ ପାତ୍ର ତାଙ୍କ ଚିଠିରେ ଲେଖିଛନ୍ତି ଯେ, ଏଲ୍‌ପିଜି ବ୍ୟବହାରରେ ମୁଖ୍ୟ ପ୍ରତିବନ୍ଧକ ନେଇ ‘କ୍ରିସିଲ୍‌’ ପକ୍ଷରୁ ଓଡ଼ିଶା ସମେତ ୧୩ଟି ରାଜ୍ୟକୁ ନେଇ ହୋଇଥିବା ସର୍ଭେରେ କୁହାଯାଇଥିଲା ଯେ, ୮୬.୩% ଲୋକ ଗ୍ୟାସ୍‌ ସଂଯୋଗ ସମୟରେ ଅଧିକ ଅର୍ଥ ଦେବାକୁ ପଡ଼ୁଥିବାରୁ ଆଗ୍ରହ ଦେଖାଉନାହାନ୍ତି ଏବଂ ୮୩.୪% ଲୋକ ଗ୍ୟାସ୍ ରିଫିଲିଂ ସମୟରେ ଅଧିକ ଅର୍ଥ ଦେବାକୁ ପଡ଼ୁଥିବାରୁ ଗ୍ୟାସ୍ ବ୍ୟବହାର କରୁନାହାନ୍ତି। ଏପରିକି ଓଡ଼ିଶାରେ ୯୦%ରୁ ଅଧିକ ଲୋକ ଏଲ୍‌ପିଜି ରିଫିଲିଂ ପାଇଁ ଅଧିକ ଅର୍ଥ ଦେବାକୁ ପଡ଼ୁଥିବାରୁ ଏଲ୍‌ପିଜି ବ୍ୟବହାର କରୁନାହାନ୍ତି। ଯଦି ଏଲ୍‌ପିଜି ରିଫିଲ୍‌ କରିବା ପାଇଁ ଥିବା ଉଚ୍ଚା ଦାମ୍‌କୁ କମାଇବା ଦିଗରେ କିଛି ପଦକ୍ଷେପ ନିଆନଯାଏ ତେବେ ଉଜ୍ଜ୍ବଳା ଯୋଜନା ସଫଳ ହେବନି ବୋଲି ଶ୍ରୀ ପାତ୍ର କହିଛନ୍ତି।

ପରିସଂଖ୍ୟାନ ଦେଇ ମନ୍ତ୍ରୀ ଦର୍ଶାଇଛନ୍ତି, ଯୋଜନା ଆରମ୍ଭ ହେବା ଦିନ ଠାରୁ ଯେତିକି ସଂଯୋଗ ନେଇଛନ୍ତି ସେ ତୁଳନାରେ ରିଫିଲିଂ ହାର ବହୁତ କମ୍‌। ଏହର ହାର ମୋଟ୍ ସଂଯୋଗର ୧୮.୩%। ଏହା ସୂଚାଉଛି ଯେ, ଲୋକ ପୁଣି କାଠ ଚୁଲିକୁ ଫେରି ଯାଇଛନ୍ତି।

ପ୍ରତି ଜବାବରେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଟ୍ବିଟ୍ କରି କହିଛନ୍ତି, ବିଜେଡି ଓ ରାଜ୍ୟ ସରକାର ଯେପରି ଭାବେ ମିଥ୍ୟା ରାଜନୈତିକ ପ୍ରଚାର କରୁଛନ୍ତି, ସେଥିରୁ ଜଣାପଡ଼ୁଛି ଉଜ୍ଜ୍ବଳାର ଲୋକପ୍ରିୟତାରେ ସେମାନେ ଭୟଭୀତ। ଓଡ଼ିଶାକୁ ଶତ ପ୍ରତିଶତ ଧୂଆଁ ମୁକ୍ତ ରାଜ୍ୟରେ ପରିଣତ କରିବା ପାଇଁ ସହଯୋଗ କରିବା ନିମନ୍ତେ ଶ୍ରୀ ପ୍ରଧାନ ଅନୁରୋଧ କରିବା ସହ ଯୋଜନାକୁ ନେଇ ରାଜନୀତି ନ କରିବାକୁ କହିଛନ୍ତି।

ସମ୍ବନ୍ଧିତ ଖବର