କଟକ/ବଲାଙ୍ଗୀର : ଭୁବନେଶ୍ୱର ଝାରପଡ଼ା ଜେଲରୁ ବଲାଙ୍ଗୀର ଜେଲକୁ ସ୍ଥାନାନ୍ତର କରାଯିବା ପ୍ରତିବାଦରେ ଅନଶନ କରିଛି ଗ୍ୟାଙ୍ଗଷ୍ଟର ସୁଶାନ୍ତ ଧଳସାମନ୍ତ। ସୁଶାନ୍ତ ଧଳସାମନ୍ତ ମାର୍ଚ୍ଚ ୩୦ ତାରିଖରୁ ବଲାଙ୍ଗୀର ଜେଲରେ ଅନଶନ ଆରମ୍ଭ କରିଥିବା ବେଳେ ଆଜି ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ିବାରୁ ତାକୁ ବଲାଙ୍ଗୀର ଜିଲ୍ଲା ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଅନ୍ୟପଟେ ଜେଲ୍ ସ୍ଥାନାନ୍ତରକୁ ବିରୋଧ କରି ସୁଶାନ୍ତ ଧଳସାମନ୍ତ ପକ୍ଷରୁ ଆଜି କଟକ ପ୍ରଥମ ଅତିରିକ୍ତ ଦୌରା ଜଜ୍ଙ୍କ ଅଦାଲତରେ ଆବେଦନ କରାଯାଇଛି। ଆଜି ଚଣ୍ଡିଆ, ଅଖନା ଓ ଅବନା ହତ୍ୟାକାଣ୍ଡ ମାମଲା ସହିତ ଜାଲ ନୋଟ୍ ଜବତକୁ ନେଇ ରୁଜୁ ମାମଲାର ଶୁଣାଣି ପାଇଁ ତାରିଖ ଧାର୍ଯ୍ୟ କରାଯାଇଥିଲା। କିନ୍ତୁ ଅଦାଲତରେ ସୁଶାନ୍ତଙ୍କୁ ହାଜର କରାଯାଇ ନଥିଲା। ଏପରି ପରିସ୍ଥିିତିରେ ସୁଶାନ୍ତଙ୍କ ପକ୍ଷରୁ ଓକିଲ ଏକ ପିଟିସନ୍ ଦାଖଲ କରିଥିଲେ।
ଏଥିରେ ଉଲ୍ଳେଖ କରାଯାଇଥିଲା ଯେ ପୂର୍ବରୁ କଟକ ସଦର ଏସଡିଜେଏମ୍ ଅଦାଲତଙ୍କ ନିର୍ଦ୍ଦେଶ ଅନୁସାରେ ଚୌଦ୍ୱାର ଜେଲରୁ ସୁଶାନ୍ତକୁ ଝାରପଡା ଜେଲକୁ ସ୍ଥାନାନ୍ତର କରାଯାଇଥିଲା। ଏହା ପରେ ତାକୁୁ ବିଭିନ୍ନ ମାମଲାରେ ଦୌରା ଜଜ୍ ଅଦାଲତ, ଅତିରିକ୍ତ ଦୌରା ଜଜ୍ ଅଦାଲତ ଓ ଅନ୍ୟ ଅଦାଲତରେ ମାମଲାର ଶୁଣାଣି ପାଇଁ ହାଜର କରା ଯାଉଥିଲା। ଏହି ପ୍ରସଂଗକୁ ନେଇ ମାମଲା ମଧ୍ୟ ହାଇକୋର୍ଟରେ ଏବେ ବିଚାରାଧୀନ ରହିଛି। ପୂର୍ବରୁ ଜେଲ ସ୍ଥାନାନ୍ତର ନିର୍ଦ୍ଦେଶ ଦେବା ସମୟରେ ଅଦାଲତରେ ମାମଲା ଶୁଣାଣି ସମୟରେ ସୁଶାନ୍ତଙ୍କ ହାଜିରା ସୁନିଶ୍ଚିତ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଥିଲା। କିନ୍ତୁ ପୂର୍ବ ନିର୍ଦ୍ଦେଶ ଉଲ୍ଲଂଘନ କରି ପୁଣି ସୁଶାନ୍ତକୁ ଝାରପଡା ଜେଲରୁ ଅନ୍ୟ ଜେଲକୁ ସ୍ଥାନାନ୍ତର ପାଇଁ ନିର୍ଦ୍ଦେଶ ଦିଆଯାଇଥିଲା। ବର୍ତ୍ତମାନ ସୁଶାନ୍ତକୁୁ ମାମଲାର ଶୁଣାଣି ସମୟରେ ହାଜର କରାଯାଉ ନାହିଁ। ତାକୁୁ ବିଭିନ୍ନ ମାମଲାରେ ହାଜର ପାଇଁ ଦୌରା ଜଜ୍, ଅତିରିକ୍ତ ଦୌରା ଜଜ୍, ଏସଡିଜେଏମ୍ ଅଦାଲତ ଓ କଟକ ଜେଏମ୍ଏଫସି ଅଦାଲତଙ୍କ ନିର୍ଦ୍ଦେଶ ରହିଛି। କିନ୍ତୁ ଏହି ନିର୍ଦ୍ଦେଶ କିପରି ପାଳନ ହେବ ତାହାକୁ ନେଇ ସନ୍ଦେହ ଦେଖା ଦେଇଛି। ସୁଶାନ୍ତକୁ ଅଦାଲତରେ ହାଜର କରାଯାଉ ନଥିବାରୁ ଜଣେ ଅଭିଯୁକ୍ତଙ୍କ ରହିଥିବା ଅଧିକାର କ୍ଷୁଣ୍ଣ ହେଉଛି ବୋଲି ଆବେଦନରେ ଦର୍ଶାଯାଇଛି। ଏପରି ପରିସ୍ଥିିତିରେ ଏହି ପ୍ରସଂଗରେ ଅଦାଲତ ଉପଯୁକ୍ତ ନିର୍ଦ୍ଦେଶ ପ୍ରଦାନ କରନ୍ତୁ ବୋଲି ସୁଶାନ୍ତଙ୍କ ପକ୍ଷରୁ ଦାଖଲ ଆବେଦନରେ ଦର୍ଶାଯାଇଛି।