ବୁମ୍ବୋ ଫସେଇ ଦେଲା: ରଂଜିତା

ପୁଲିସ ରିମାଣ୍ଡରେ ସୁଶାନ୍ତ-ରଂଜିତା

କିଛି ଖାଇଲାନି କି କହିଲାନି ସୁଶାନ୍ତ
ଆଜି ଶେଷ ଦିନ: ୩୦ ପ୍ରଶ୍ନର ଉତ୍ତର ଖୋଜୁଛି ପୁଲିସ୍‌

କଟକ/ଫୁଲନଖରା : ବୁମ୍ବୋ ମୋତେ ଫସେଇ ଦେଲା। ମୋ’ର କିଛି ଭୂମିକା ନାହିଁ। ମୁଁ କିଛି ଜାଣି ନାହିଁ। ଗୋଟିଏ ପଟେ କର୍ପୋରେଟର ରଂଜିତା ବିଶ୍ୱାଳ ମହିଳା ଥାନାରେ ପୁଲିସକୁ ଏଭଳି ଉତ୍ତର ଦେଇ ଚାଲିଥିବା ବେଳେ ଅନ୍ୟପଟେ ସଦର ଥାନାରେ ସୁଶାନ୍ତ ଧଳସାମନ୍ତ ପୁଲିସ୍‌କୁ ସଂପୂର୍ଣ୍ଣ ଅସହଯୋଗ କରି ନାକେଦମ କରିଛି। ସୁଶାନ୍ତ ଆଜି ଦିନ ସାରା କିଛି ବି ଖାଇନି। କେବଳ ଦୁଇ ତିନି ଥର ପାଣି ପିଇଛି। ପୁଲିସ୍‌ ବିଭିନ୍ନ ପ୍ରକାର ଫଳ ଆଣି ଖାଇବାକୁ ଦେଇଥିଲେ ବି ସୁଶାନ୍ତ ତାକୁ ଛୁଇଁନି। ପୁଲିସ ଯାହା ପଚାରିଛି, ସେଥିରେ ପଦେ ଦୁଇ ପଦ କହି ଢୁଳାଇଛି। ପୁଲିସ ରିମାଣ୍ଡରେ ଆଜି ଦୁଇ ଜଣଙ୍କର ଦୁଇ ଦିନ ସରି ଯାଇଥିବା ବେଳେ ଆସନ୍ତାକାଲି ହେଉଛି ଶେଷ ଦିନ। ତେଣୁ ପୁଲିସ ଚାହୁଁଥିବା ତଥ୍ୟ ହାସଲ କରିବାକୁ ଆସନ୍ତାକାଲି ଉଭୟଙ୍କୁ ମୁହାଁମୁହିଁ ଜେରା କରିବାର ଯୋଜନା ରଖିଛି।

ଆଜି ଡିସିପି ଅଖିଳେଶ୍ୱର ସିଂହ, ଏସିପି ପ୍ରମୋଦ ରଥ, ନିମାଇଁ ସେଠୀ, ଅନିଲ ମିଶ୍ର, ସେକ୍‌ ସରିଫୁଦ୍ଦିନ୍‌, ଦେବଦତ୍ତ କର ପ୍ରମୁଖ ଉଭୟଙ୍କୁ ଭିନ୍ନ ଭିନ୍ନ ସମୟରେ ଜେରା କରିଛନ୍ତି। ବିଜେନ୍‌ ପାଲ୍‌କୁ ଗୁଳି ମାଡ଼, ରଂଜିତାକୁ ବନ୍ଧୁକ ଯୋଗାଣ, ଧଳସାମନ୍ତଙ୍କ ଟାର୍ଗେଟ୍‌ରେ ଥିବା ବ୍ୟକ୍ତିଙ୍କ ସମ୍ପର୍କରେ ଉଭୟଙ୍କୁ ପଚାରିଛନ୍ତି। ମୋଟାମୋଟି ଭାବେ ପୁଲିସ ଉଭୟଙ୍କୁ ୩୦ଟି ପ୍ରଶ୍ନ ପଚାରିଥିଲା। ରଞ୍ଜିତାକୁ ମହିଳା ଥାନାରେ ସକାଳ ୧୧ଟାରୁ ଦିନ ପ୍ରାୟ ୨ଟା ୩୦ ପର୍ଯ୍ୟନ୍ତ ଜେରା କରାଯାଇଥିଲା । ସେହିପରି ଦ୍ୱିତୀୟ ପର୍ଯ୍ୟାୟରେ ଅପରାହ୍ନ ପ୍ରାୟ ୪ଟାରୁ ରାତି ୮ଟା ପର୍ଯ୍ୟନ୍ତ ସୁଶାନ୍ତକୁ ସଦର ଥାନାରେ ଜେରା କରାଯାଇଥିଲା । ମିକୁ ଓରଫ ମୃତ୍ୟୁଞ୍ଜୟ ନାୟକକୁ ସଦା ନାୟକ ଜରିଆରେ ରଞ୍ଜିତା ପିସ୍ତଲ ଓ ଗୁଳି ଦେଇଥିବା ସମ୍ପର୍କରେ ପୁଲିସ ପଚାରିଥିଲା। ତାଙ୍କ ସାହିର ବୁମ୍ବୋ ବୋଲି ଜଣେ ଯୁବକ ଫସାଇଥିବା ପୁଲିସକୁ ରଞ୍ଜିତା କହିିଥିଲେ। ଧଳସାମନ୍ତ ସହିତ କେବେଠୁ କି ପ୍ରକାର ଅପରାଧିକ ସମ୍ପର୍କ ରହିଛି, ସେ ସମ୍ପର୍କରେ ପୁଲିସ ପଚାରିବାରୁ, ରଞ୍ଜିତା କିଛି ତଥ୍ୟ ପୁଲିସକୁ ଦେଇଛନ୍ତି। କିନ୍ତୁ ରଂଜିତାଙ୍କ ବୟାନରେ ସତ୍ୟାତା ଅଛି ନା ନାହିଁ, ପୁଲିସ ତାହାର ଯାଞ୍ଚ କରୁଛି।

ସମ୍ବନ୍ଧିତ ଖବର