ଜେଲ୍‌ ଫେରିଲେ ସୁଶାନ୍ତ-ରଂଜିତା

ପୁଣି ଆସିବେ ରିମାଣ୍ଡରେ
ଏବେ ଟାର୍ଗେଟ୍‌ରେ ପିସ୍ତଲ ଚାଲାଣକାରୀ

କଟକ : ସୁଶାନ୍ତ-ରଞ୍ଜିତାଙ୍କ ତିନି ଦିନିଆ ରିମାଣ୍ଡ ଅବଧି ଆଜି ଶେଷ ହୋଇଛି। ସଦର ଥାନା ପୁଲିସ ସେମାନଙ୍କୁ କଡ଼ା ସୁରକ୍ଷା ବଳୟ ମଧ୍ୟରେ କଟକ ଜେଏମ୍‌ଏଫ୍‌ସି(ରୁରାଲ)ଙ୍କ କୋର୍ଟରେ ହାଜର କରିଥିଲା। ଉଭୟଙ୍କ ସ୍ୱାସ୍ଥ୍ୟ ପରୀକ୍ଷା ରିପୋର୍ଟ ପୁଲିସ କୋର୍ଟରେ ଦାଖଲ କରିବା ପରେ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି। ଏବେ ପୁଲିସ ଉଭୟଙ୍କ ବୟାନରୁ ସଂଗ୍ରହ କରିଥିବା ତଥ୍ୟ ଆଧାରରେ ଅନ୍ୟ ଅପରାଧୀଙ୍କୁ ଧରିବାକୁ ଉଦ୍ୟମ ଚଳାଇଛି।

ସଦର ଅଞ୍ଚଳର ବିଜେନ୍‌ ପାଲ୍‌ଙ୍କୁ ଗୁଳି ମାଡ଼ କରି ହତ୍ୟା ଉଦ୍ୟମ ଘଟଣାରେ ସୁଶାନ୍ତ ଏବଂ ରଂଜିତାକୁ ଗଲା ୧୩ ତାରିଖରେ ପୁଲିସ ତିନି ଦିନିଆ ରିମାଣ୍ଡରେ ଆଣିଥିଲା। ଏହି ରିମାଣ୍ଡ ଅବଧି ମଧ୍ୟରେ ଉଭୟଙ୍କୁ ଅଲଗା ଓ ମୁହାଁମୁହିଁ ଜେରା କରାଯାଇଥିଲା। ପୁଲିସ ମୁଖ୍ୟତଃ ରଞ୍ଜିତାକୁ ପିସ୍ତଲ ଓ ଗୁଳି ପାର୍ସଲ ଯୋଗାଇବା ଘଟଣା, ବିଜେନ୍‌କୁ ହତ୍ୟା ଉଦ୍ୟମ ପଛରେ ସମ୍ପୃକ୍ତ ଅପରାଧୀଙ୍କ ପରିଚୟ ଏବଂ ଜେଲ ବାହାରେ ଧଳସାମନ୍ତ କେଉଁ ଅପରାଧୀଙ୍କ ସହିତ ଯୋଗାଯୋଗ ରଖିଛି, ସେ ନେଇ ପୁଲିସ ଜେରାରେ ତଥ୍ୟ ହାସଲ କରିଛି। ବୟାନ ଆଧାରରେ ଏବେ ପୁଲିସ ଟାର୍ଗେଟ୍‌ରେ ଧଳସାମନ୍ତର ଅପରାଧୀକ ସାମ୍ରାଜ୍ୟ ବଢ଼ାଇବାକୁ କ୍ଷେତ୍ର ପ୍ରସ୍ତୁତ କରୁଥିବା ୪ ଅପରାଧୀ ରହିଛନ୍ତି।

ଅନ୍ୟପଟେ ମିକୁ ଓରଫ ମୃତ୍ୟୁଞ୍ଜୟ ନାୟକକୁ ପିସ୍ତଲ ଓ ଗୁଳି ପାର୍ସଲ୍‌ ରଞ୍ଜିତା ଦେଇଥିବା ପୁଲିସ ସାମ୍‌ନାରେ ସ୍ୱୀକାର କରିଥିବା ବେଳେ ତାକୁ କେଉଁ ଅପରାଧୀ ଏସବୁ ବେଆଇନ ସାମଗ୍ରୀ ଯୋଗାଇଥିଲା, ସମ୍ପୃକ୍ତ ଅପରାଧୀକୁ ପୁଲିସ ଚିହ୍ନଟ କରିଛି। କିନ୍ତୁ ସୁଶାନ୍ତ ପୂର୍ବରୁ ଉକ୍ତ ଅପରାଧୀ ସହିତ ଯୋଗାଯୋଗରେ ନଥିବା ପୁଲିସକୁ କହିଛି। ପ୍ରଥମ ଥର ପାଇଁ ତାକୁ ବନ୍ଧୁକ ଯୋଗାଇବା କରିବା କାମରେ ବ୍ୟବହାର କରିଥିବା ପୁଲିସକୁ ସୂଚନା ଦେଇଛି। ପୁଲିସ ଉକ୍ତ ଅପରାଧୀକୁ ମଧ୍ୟ ଚିହ୍ନଟ କରିଛି। ଏବେ ପୁଲିସ ତାକୁ ଗିରଫ କରିବାକୁ ଟାର୍ଗେଟ କରିଛି। ଏବେ ପୁଲିସ ଧଳସାମନ୍ତର ଅପରାଧୀକ କାର୍ଯ୍ୟକଳାପ ବଢ଼ାଇବା ଏବଂ ପିସ୍ତଲ ଚାଲାଣ ଭଳି ଦୁଇଟି ଦିଗ ଉପରେ ଏବେ ନଜର ରଖିଛି। ଅପରାଧୀମାନେ ଧରାପଡ଼ିଲେ ସୁଶାନ୍ତ-ରଞ୍ଜିତାଙ୍କୁ ପୁଣି ଥରେ ରିମାଣ୍ଡରେ ଆଣି ଅପରାଧୀଙ୍କ ସହିତ ମୁହାଁମୁହିଁ ଜେରା କରିବାର ସମ୍ଭାବନା ଥିବା କମିସନରେଟ୍‌ ପୁଲିସ ପକ୍ଷରୁ ସୂଚନା ମିଳିଛି।

ଆଜି ଦିନ ପ୍ରାୟ ୧୦ଟା ୩୦ ବେଳେ ଉଭୟଙ୍କୁ ଜେଏମ୍‌ଏଫ୍‌ସି(ରୁରାଲ)ଙ୍କ କୋର୍ଟରେ ହାଜର କରାଯିବା ପରେ ରଞ୍ଜିତାକୁ ଚୌଦ୍ୱାର ସର୍କଲ ଜେଲ୍‌ ଏବଂ ସୁଶାନ୍ତକୁ ଭୁବନେଶ୍ୱର ଝାରପଡ଼ା ଜେଲ୍‌ ହାଜତକୁ ପଠାଇ ଦେଇଥିବା ସଦର ଥାନା ପୁଲିସ ପକ୍ଷରୁ ସୂଚନା ମିଳିଛି।

ସମ୍ବନ୍ଧିତ ଖବର