କରୋନା ସଂକ୍ରମଣ କାଳରେ ୧୦,୦୭,୩୩୦ ଜଣ ପ୍ରବାସୀ ରାଜ୍ୟକୁ ଫେରିଛନ୍ତି : ଶ୍ରମ ମନ୍ତ୍ରୀ

ଭୁବନେଶ୍ବର: କରୋନା ସଂକ୍ରମଣ କାଳରେ ୨୦୨୦ ମସିହା ମାର୍ଚ୍ଚ ମାସରୁ ଅକ୍ଟୋବର ମାସ ମଧ୍ୟରେ ୧୦,୦୭,୩୩୦ ଜଣ ପ୍ରବାସୀ ରାଜ୍ୟକୁ ଫେରିଥିବା ଶ୍ରମ ମନ୍ତ୍ରୀ ସୁଶାନ୍ତ ସିଂ ଆଜି ବିଧାନସଭାରେ ପ୍ରକାଶ କରିଛନ୍ତି। ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକଙ୍କ ପ୍ରଶ୍ନର ଉତ୍ତରରେ .ସେ ଏହି ତଥ୍ୟ ବିଧାନସଭାରେ ଉପସ୍ଥାପନ କରିଛନ୍ତି। ଶ୍ରୀ ପଟ୍ଟନାୟକ କରୋନା ସଂକ୍ରମଣ ସମୟରେ କେତେ ପ୍ରବାସୀ ରାଜ୍ୟକୁ ଫେରିଥିଲେ ଓ ସରକାର ତାଙ୍କ ଲାଗି କେତେ ଟଙ୍କା ବ୍ୟୟ କରିଛନ୍ତି ତାହା ପଚାରିଥିଲେ।

ଏଥିସହିତ ଶ୍ରମ ମନ୍ତ୍ରୀ କହିଛନ୍ତି, ଫେରନ୍ତା ପ୍ରବାସୀ ଶ୍ରମିକମାନଙ୍କୁ ସଙ୍ଗରୋଧ କେନ୍ଦ୍ରର ନିର୍ଦ୍ଦିଷ୍ଟ ରହଣି ଅବଧି ପରେ ତତକାଳ ସହାୟତା ବାବଦକୁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିରୁ ଜଣଙ୍କ ପିଛା ୨୦୦୦ଟଙ୍କାର ସହାୟତା ଦିଆଯାଇଛି ଏବଂ ଅଗଷ୍ଟ ୨୦୨୦ ସୁଦ୍ଧା ୬,୭୩,୦୭୯ ଜଣ ପ୍ରବାସୀ ଶ୍ରମିକଙ୍କୁ ୧୩୪.୬୨ କୋଟି ଟଙ୍କା ବଣ୍ଟନ କରାଯାଇଅଛି ।

ସେହିପରି ଶ୍ରମିକମାନଙ୍କ ଜୀବିକା ନିରାପତ୍ତା ନିମନ୍ତେ ମନରେଗା ଓ ମିସନ ଶକ୍ତି ଏବଂ ରାଜ୍ୟ ସରକାରଙ୍କ ବିଭିନ୍ନ ବିଭାଗ ଯଥା ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ, ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି, ସଂଖ୍ୟାଲଘୁ ଓ ଅନ୍ୟାନ୍ୟ ପଛୁଆ ବର୍ଗ ଉନ୍ନୟନ ବିଭାଗ, ମହିଳା ଓ ଶିଶୁ ବିକାଶ ଏବଂ ମିଶନ ଶକ୍ତି ବିଭାଗ ଇତ୍ୟାଦି ଅଧୀନରେ କାର୍ଯ୍ୟକାରୀ କରାଯାଉଥିବା ବିଭିନ୍ନ ଯୋଜନା ମାଧ୍ୟମରେ କୋଭିଡ-୧୯ ସ୍ଵତନ୍ତ୍ର ଆର୍ଥିକ ପ୍ୟାକେଜକୁ କାର୍ଯ୍ୟକାରୀ କରାଯାଉଛି ବୋଲି ମନ୍ତ୍ରୀ ସୁଶାନ୍ତ ସିଂ କହିଛନ୍ତି।

ଏଥିସହିତ ସରକାର କୃଷି ଓ କୃଷକ ସଶକ୍ତିକରଣ ବିଭାଗ, ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ, ଶିଳ୍ପ, ଗୃହ ନିର୍ମାଣ ଓ ନଗର ଉନ୍ନୟନ, ମତ୍ସ୍ୟ ଓ ପ୍ରାଣୀ ସମ୍ପଦ, ନିର୍ମାଣ, ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ଇତ୍ୟାଦି ବିଭାଗରେ ପ୍ରଚଳିତ ଯୋଜନା ଓ କାର୍ଯ୍ୟକ୍ରମ ଅଧୀନରେ ଶ୍ରମିକମାନଙ୍କ ଜୀବିକା ନିରାପତ୍ତା ନିମନ୍ତେ ରୋଜଗାର ସୁଯୋଗ ସୃଷ୍ଟି କରୁଥିବା ଜଣାପଡ଼ିଛି।

ଏତଦ୍ ବ୍ୟତୀତ, ରାଜ୍ୟ ସରକାରଙ୍କ ଅନୁମୋଦନ କ୍ରମେ ଓଡ଼ିଶା କୋଠାବାଡି ଓ ଅନ୍ୟାନ୍ୟ ଶ୍ରମିକ କଲ୍ୟାଣ ବୋର୍ଡ ତରଫରୁ ସକ୍ରିୟ ପଞ୍ଜିକୃତ ନିର୍ମାଣ ଶ୍ରମିକମାନଙ୍କୁ ଟ.୧୫୦୦ (ପନ୍ଦର ଶହ ଟଙ୍କା ଲେଖାଏଁ ସ୍ଵତନ୍ତ୍ର ଆର୍ଥିକ ସହାୟତା) ପ୍ରଦାନ କରାଯାଇଥିବା ସ୍ଥଳେ ଅଗଷ୍ଟ ୨୦୨୦ ସୁଦ୍ଧା ୪,୬୮୯ ଜଣ ଫେରନ୍ତା ପ୍ରବାସୀ ଶ୍ରମିକମାନଙ୍କୁ ଏହି ସହାୟତା ପ୍ରଦାନ କରାଯାଇଅଛି । ଯେଉଁ ପ୍ରବାସୀ ପଞ୍ଜିକୃତ ନିର୍ମାଣ ଶ୍ରମିକମାନେ ସହାୟତା ବଣ୍ଟନ ସମୟରେ ରାଜ୍ୟ ବାହାରେ ଥିବେ ଅଥବା ଘରେ ଅନୁପସ୍ଥିତ ଥିବେ, ସେମାନଙ୍କର ସହାୟତା ରାଶିକୁ ନିର୍ଦ୍ଧାରିତ ମାର୍ଗଦର୍ଶିକା ଅନୁଯାୟୀ ଉକ୍ତ ବ୍ୟକ୍ତିବିଶେଷଙ୍କର ବ୍ୟାଙ୍କ ଖାତାକୁ ଡି.ବି.ଟି. ମାଧ୍ୟମରେ ପଠାଇବାର ବ୍ୟବସ୍ଥା ମଧ୍ୟ ରହିଛି ।

ତେବେ କଟକଣା କୋହଳ ପରେ ଶ୍ରମିକ ଭିଟାମାଟି ଛାଡି ଅନ୍ୟ ରାଜ୍ୟକୁ ପଳାଇଥିବା ସମ୍ବନ୍ଧୀୟ ତଥ୍ୟ ଶ୍ରମ ବିଭାଗର ହସ୍ତଗତ ହୋଇନାହିଁ ବୋଲି ଶ୍ରମ ମନ୍ତ୍ରୀ ସୁଶାନ୍ତ ସିଂ କହିଛନ୍ତି।

ସମ୍ବନ୍ଧିତ ଖବର