ଅମିତାଭ ଠାକୁରଙ୍କ ବାହାଘରରେ ନାଚିଥିଲେ ସୁଶାନ୍ତ ସିଂହ ରାଜପୁତ

ଅମିତାଭଙ୍କ ପତ୍ନୀ ସୁଶାନ୍ତଙ୍କ ହାତରେ ରାକ୍ଷୀ ବାନ୍ଧୁଥିଲେ

ଭୁବନେଶ୍ବର : ଓଡ଼ିଶାରେ ଅବସ୍ଥାପିତ ପୁଲିସ ଆଇଜି (ଅପରେସନ୍‌) ଅମିତାଭ ଠାକୁରଙ୍କ ସହ ସମ୍ପର୍କରେ ଥିଲେ ଅଭିନେତା ସୁଶାନ୍ତ ସିଂହ ରାଜପୁତ। ଦୁହେଁ ବିହାର, ପାଟନାର ବାସିନ୍ଦା। ଯେବେ ଅମିତାଭଙ୍କର ୨୦୦୦ ମସିହାରେ ବାହାଘର ହେଲା, ସେତେବେଳେ ସୁଶାନ୍ତ ତାଙ୍କ ବାହାଘରରେ ଖୁବ୍‌ ନାଚିଥିଲେ। ଏହାଛଡ଼‌େ ଅମିତାଭ ତାଙ୍କ ସହ ନିୟମିତ ସମ୍ପର୍କରେ ମଧ୍ୟ ଥିଲେ। ପ୍ରାୟ ମାସେ ତଳେ ଶେଷଥର ପାଇଁ ଫୋନ୍‌ରେ ତାଙ୍କ ସହ କଥା ହୋଇଥିଲେ।

ଶ୍ରୀ ଠାକୁରଙ୍କ କହିବା ମୁତାବକ, ତାଙ୍କ ପତ୍ନୀ ରିଚା ହେଉଛନ୍ତି ସୁଶାନ୍ତଙ୍କ ତୃତୀୟ ଭଉଣୀ ମିଟୁଙ୍କ ଘନିଷ୍ଠ ବାନ୍ଧବୀ। ସେଇ ଦୃଷ୍ଟିରୁ ସୁଶାନ୍ତ ମଧ୍ୟ ଏହି ବାହାଘରରେ ନିଜ ଭଉଣୀ ସହ ସାମିଲ୍‌ ହୋଇଥିଲେ। ସୁଶାନ୍ତଙ୍କୁ ସେତେବେଳେ ୧୪ ବର୍ଷ। ପିଲା ମନ। ତେଣୁ ଅମିତାଭ ଠାକୁର ବରଯାତ୍ରୀ ଦଳ ଧରି ପହଞ୍ଚିବା ପରେ ସୁଶାନ୍ତ ବରଯାତ୍ରୀଙ୍କ ମେଳକୁ ଯାଇ ନାଚିଥିଲେ। ଏ ନେଇ ଆଜି ଟ୍ବିଟ୍‌ ଯୋଗେ ଅମିତାଭ ଲେଖିଛନ୍ତି, ମୋ ବାହାଘରରେ ସୁଶାନ୍ତ ସବୁଠୁ ଅଧିକ ନାଚିଥିଲେ। ଶ୍ରୀ ଠାକୁରଙ୍କ ଅପେକ୍ଷା ତାଙ୍କ ପତ୍ନୀଙ୍କ ସହ ସୁଶାନ୍ତଙ୍କର ଅଧିକ ଘନିଷ୍ଠତା ଥିଲା। ସୁଶାନ୍ତଙ୍କ ହାତରେ ରିଚା ପ୍ରତିବର୍ଷ ରାକ୍ଷୀ ବାନ୍ଧି ଆସୁଥିଲେ। ତେଣୁ ଉଭୟ ପରିବାର ମଧ୍ୟରେ ସମ୍ପର୍କ ନିବିଡ଼ ଥିଲା। ମାସେ ତଳେ ସୁଶାନ୍ତଙ୍କ ‘ଛିଛୋରେ’ ଚଳଚ୍ଚିତ୍ର ଦେଖିବା ପରେ ଅମିତାଭ ସୁଶାନ୍ତଙ୍କୁ ଫୋନ୍‌ କରିଥିଲେ। ଯୁବ ବୟସରେ ଜଣେ ବୟସ୍କ ଚରିତ୍ରରେ ଅଭିନୟ କରିବା ନେଇ ସୁଶାନ୍ତଙ୍କୁ ଶ୍ରୀ ଠାକୁର ପ୍ରଶଂସା କରିଥିଲେ। ତାଙ୍କ ବାହାଘରରେ ସେ ପ୍ରଚୁର ନାଚିଥିବା କଥା ବି ସୁଶାନ୍ତଙ୍କୁ ଏହି ଅବସରରେ ସେ ମନେ ପକେଇ ଦେଇଥିଲେ।

ଶ୍ରୀଠାକୁର କହିଛନ୍ତି, ମୋ ପତ୍ନୀ ରିଚା ପ୍ରାୟ ସମୟ ସୁଶାନ୍ତଙ୍କ ସହ କଥା ହେଉଥିଲେ। ତାଙ୍କ ସହ କଥା ହେବା ବେଳେ ସୁଶାନ୍ତ ସେମିତି ଅବସାଦରେ ଥିଲା ଭଳି ଲାଗନ୍ତି ନାହିଁ। ମାତ୍ର ଏଇ ୬ ମାସ ହେଲା, ସେ ବିଷାଦଗ୍ରସ୍ତ ଥିବାରୁ ମେଡିସିନ୍‌ ଖାଉଥିବା କଥା ଜାଣିବାକୁ ପାଇଲୁ। ତାଙ୍କ ମୃତ୍ୟୁ ଖବର ଶୁଣି ଯେତିକି ଚକିତ, ସେତିକ ମର୍ମାହତ ବୋଲି ସେ କହିଛନ୍ତି। ଏଥିରେ ଶ୍ରୀ ଠାକୁରଙ୍କ ପତ୍ନୀ ରିଚା ମଧ୍ୟ ଭାଙ୍ଗି ପଡ଼ିଛନ୍ତି।

ସମ୍ବନ୍ଧିତ ଖବର