ରାଜ୍ୟପାଳଙ୍କ ପତ୍ନୀ ସୁଶୀଳା ଦେବୀଙ୍କ ପରଲୋକ, ସ୍ୱର୍ଗଦ୍ୱାରରେ ଶେଷକୃତ୍ୟ ସମ୍ପନ୍ନ

ଭୁବନେଶ୍ୱର/ପୁରୀ : ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲଙ୍କ ପତ୍ନୀ ତଥା ରାଜ୍ୟର ପ୍ରଥମ ମହିଳା ସୁଶୀଳା ଦେବୀଙ୍କର ରବିବାର ବିଳମ୍ବିତ ରାତିରେ ପରଲୋକ ହୋଇଯାଇଛି। କରୋନାରେ ଆକ୍ରାନ୍ତ ହୋଇ ଗତ ୧ ତାରିଖ ଠାରୁ ସେ ଏକ ଘରୋଇ ହସ୍ପିଟାଲ୍‌ରେ ଚିକିତ୍ସାଧୀନ ଥିଲେ। ପୂର୍ବରୁ ବିଭିନ୍ନ ସ୍ବାସ୍ଥ୍ୟ ସମସ୍ୟା ଥିବାରୁ କରୋନାରେ ଆକ୍ରାନ୍ତ ହେଲା ପରେ ସେ ଅଧିକ ଗୁରୁତର ହୋଇ ପଡ଼ିଥି‌େଲ। ଏକ ସ୍ବତନ୍ତ୍ର ଡାକ୍ତରୀ ଦଳ ତାଙ୍କୁ ଚିକିତ୍ସା କରୁଥିଲେ। ଡାକ୍ତରମାନଙ୍କ ସମସ୍ତ ଉଦ୍ୟମ ସତ୍ତ୍ବେ ତାଙ୍କ ସ୍ବାସ୍ଥ୍ୟାବସ୍ଥାରେ ସୁଧାର ଆସି ନ ଥିଲା।

ସୋମବାର ସକାଳୁ ହସ୍ପିଟାଲ୍‌ରୁ ରାଜଭବନକୁ ତାଙ୍କ ପାର୍ଥିବ ଶରୀରକୁ ଅଣାଯାଇଥିଲା। ରାଜ୍ୟ ମନ୍ତ୍ରିମଣ୍ଡଳର ବହୁ ସଦସ୍ୟ, ସାଂସଦ, ବିଧାୟକ, ବିଭିନ୍ନ ରାଜନୈତିକ ଦଳର କର୍ମକର୍ତ୍ତା ଓ ବିଶିଷ୍ଟ ବ୍ୟକ୍ତି ରାଜଭବନରେ ପହଞ୍ଚି ତାଙ୍କର ଶେଷ ଦର୍ଶନ କରିଥିଲେ। ଏହାପରେ ଏକ ସ୍ବତନ୍ତ୍ର କାର୍‌କେଡ୍‌ରେ ପାର୍ଥିବ ଶରୀରକୁ ପୁରୀ ସ୍ବର୍ଗଦ୍ବାର ନିଆଯାଇଥିଲା। ସେଠାରେ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଶେଷକୃତ୍ୟ ସମ୍ପନ୍ନ କରାଯାଇଥିଲା। ପୁଅ ମନିଷ ସିଙ୍ଗଲ୍‌ ମୁଖାଗ୍ନି ଦେଇଥିଲେ। ତାଙ୍କର ଅନ୍ୟତମ ପୁତ୍ର ଭରତ ସିଙ୍ଗଲ୍‌ଙ୍କ ସମେତ ପରିବାରର ଅନ୍ୟ ସଦସ୍ୟମାନେ ଉପସ୍ଥିତ ଥିଲେ। ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ଓ ସମୀର ଦାଶ, ଯୋଜନା ବୋର୍ଡ ଉପାଧ୍ୟକ୍ଷ ସଞ୍ଜୟ ଦାସବର୍ମା, ପୁରୀ ବିଧାୟକ ଜୟନ୍ତ କୁମାର ଷଡ଼ଙ୍ଗୀ, ଶଙ୍କର୍ଷଣ ପରିଡ଼ା ପ୍ରମୁଖ ସ୍ବର୍ଗଦ୍ବାରରେ ତାଙ୍କର ଶେଷ ଦର୍ଶନ କରି ଶ୍ରଦ୍ଧାଞ୍ଜଳି ଜଣାଇଥିଲେ। ପୁରୀ ଜିଲ୍ଲାପାଳ ବଲୱନ୍ତ ସିଂହ, ଅନ୍ୟ ପ୍ରଶାସନିକ ଅଧିକାରୀ, ବହୁ ଆଇନଜୀବୀ, ବିଭିନ୍ନ ସଂଗଠନର କର୍ମକର୍ତ୍ତା ମଧ୍ୟ ପୁଷ୍ପମାଲ୍ୟ ଅର୍ପଣ କରି ଶ୍ରଦ୍ଧାଞ୍ଜଳି ଜଣାଇଥିଲେ।

ହରିଆନାର ହିସ‌ାରରେ ୧୯୪୬ ମସିହା ଡିସେମ୍ବର ୬ ତାରିଖରେ ସୁଶୀଳା ଦେବୀ ଜନ୍ମ ଗ୍ରହଣ କରିଥିଲେ। ୧୯୬୪ ମସିହା ଜୁଲାଇ ୧ ତାରିଖରେ ପ୍ରଫେସର ଗଣେଶୀ ଲାଲଙ୍କ ସହ ତାଙ୍କର ବିବାହ ସମ୍ପନ୍ନ ହୋଇଥିଲା। ତାଙ୍କର ୪ ଝିଅ ଓ ୩ ପୁଅ ଅଛନ୍ତି। ରାଜ୍ୟପାଳ ପ୍ରଫେସର ଲାଲଙ୍କ ସହ ସୁଶୀଳା ଦେବୀ ବିଭିନ୍ନ କାର୍ଯ୍ୟକ୍ରମରେ ସାମିଲ ହେଉଥିଲେ। ଜଣେ ଧର୍ମପ୍ରାଣା ଓ ପରୋପକାରୀ ମହିଳା ଭାବେ ସେ ବନ୍ଧୁ, ଶୁଭେଚ୍ଛୁଙ୍କ ମହଲରେ ଜଣାଶୁଣା ଥିଲେ।

ସୁଶୀଳା ଦେବୀଙ୍କ ପରଲୋକ ବହୁ ବିଶିଷ୍ଟ ବ୍ୟକ୍ତି ଶୋକ ପ୍ରକାଶ କରିଛନ୍ତି। ଆନ୍ଧ୍ରପ୍ରଦେଶ ରାଜ୍ୟପାଳ ବିଶ୍ବଭୂଷଣ ହରିଚନ୍ଦନ ଶୋକ ପ୍ରକାଶ କରିବା ସହ ସୁଶୀଳା ଦେବୀ ଗରିବ ଓ ଅବହେଳିତ ଲୋକଙ୍କ କଲ୍ୟାଣ ପାଇଁ କାର୍ଯ୍ୟ କରୁଥିଲେ ବୋଲି କହିଛନ୍ତି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଭୀର ଶୋକ ପ୍ରକାଶ କରି ତାଙ୍କୁ ଜଣେ ପରୋପକାରୀ ଓ ଧର୍ମପ୍ରାଣା ମହିଳା ଭାବେ ବର୍ଣ୍ଣନା କରିଛନ୍ତି। ରାଜ୍ୟପାଳ ଓ ତାଙ୍କ ପରିବାର ସଦସ୍ୟମାନଙ୍କୁ ମୁଖ୍ୟମନ୍ତ୍ରୀ ଗଭୀର ସମବେଦନା ଜଣାଇବା ସହ ଅମର ଆତ୍ମାର ସଦ୍‌ଗତି କାମନା କରିଛନ୍ତି। କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ପ୍ରତାପ ଷଡ଼ଙ୍ଗୀ ଶୋକ ପ୍ରକାଶ କରିବା ସହ ଅମର ଆତ୍ମାର ସଦ୍‌ଗତି କାମନା କରିଛନ୍ତି। ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଓ ବିଜେପି ରାଜ୍ୟ ସଭାପତି ସମୀର ମହାନ୍ତି ମଧ୍ୟ ଶୋକ ପ୍ରକାଶ କରିଛନ୍ତି।

ରାଜ୍ୟର ପ୍ରଥମ ମହିଳା ସୁଶୀଳା ଦେବୀଙ୍କୁ ଓଡ଼ିଶା ବିଧାନସଭାରେ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଛି। ସୋବାର ବିଧାନସଭା କାର୍ଯ୍ୟ ଆରମ୍ଭ ହେଲା ମାତ୍ରେ ଗୃହର ନେତା ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୋକ ପ୍ରସ୍ତାବ ଆଗତ କରି ସୁଶୀଲା ଦେବୀଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ।। ବିରୋଧୀ ଦଳ ନେତା ପ୍ରଦୀପ୍ତ ନାଏକ, କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର, ସିପିଆଇ(ଏମ୍‌) ସଦସ୍ୟ ଲକ୍ଷ୍ମଣ ମୁଣ୍ଡା ପ୍ରସ୍ତାବକୁ ସମର୍ଥନ କରିଥିଲେ। ଜରୁରୀକାଳୀନ ପରିସ୍ଥିତିରେ ସ୍ବର୍ଗତ ସୁଶୀଳା ଦେବୀଙ୍କର ଅବଦାନ ଓ ତାଙ୍କର ଅସାଧାରଣ ବ୍ୟକ୍ତିତ୍ବ ସମ୍ପର୍କରେ ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର ଅବତାରଣା କରିଥିଲେ। ତାଙ୍କ ଅମର ଆତ୍ମରା ସଦ୍‌ଗତି ନିମନ୍ତେ ଏକ ମିନିଟ୍ ନିରବ ପ୍ରାର୍ଥନା କରାଯାଇଥିଲା। ଏହା ପରେ ଗୃହର ସମସ୍ତ କାର୍ଯ୍ୟକ୍ରମକୁ ବାତିଲ୍‌ କରି ଅପରାହ୍ନ ୩ଟା ପର୍ଯ୍ୟନ୍ତ ବାଚସ୍ପତି ଗୃହକୁ ମୁଲତବୀ ରଖିଥିଲେ।

ସମ୍ବନ୍ଧିତ ଖବର