ସୁଶୀଲଙ୍କ ସ୍ପଷ୍ଟୀକରଣ : ଜମି ଦେବାକୁ ଟଙ୍କା ନେଇ ଫେରାଉନାହାନ୍ତି ବଂଶୀଧର

ଅନୁଗୁଳ : ସୁଧ କାରବାର ଅଭିଯୋଗକୁ ନେଇ ଗତକାଲି ଗିରଫ ହୋଇ ଜାମିନରେ ଆସିଥିବା ସୁଶୀଲ ଅଗ୍ରୱାଲ ଆଜି ତାଙ୍କର ସ୍ପଷ୍ଟୀକରଣ ରଖିଛନ୍ତି। ସୋମବାର ଅପରାହ୍ଣରେ ସେ ଏକ ସାମ୍ବାଦିକ ସମ୍ମିଳନୀ ଡାକି ତାଙ୍କୁ ଫସାଇ ଦିଆଯାଇଥିବା ପାଲଟା ଅଭିଯୋଗ କରିଛନ୍ତି। ସୁଶୀଲ କହିଛନ୍ତି, ବାଗେଡ଼ିଆର ବଂଶୀଧର ଦେହୁରୀଙ୍କ ପାଖରୁ ଜମି କିଣିବା ପାଇଁ ସେ ୩ଟି କିସ୍ତିରେ ତାଙ୍କୁ ଅଗ୍ରୀମ ଆକାରରେ ୧୧ ଲକ୍ଷ ୭୦ ହଜାର ଟଙ୍କା ଦେଇଥିଲେ। କିନ୍ତୁ ଏହା ପରେ ବଂଶୀଧର ଜମି ଦେଇ ନ ଥିଲେ । ତାଙ୍କୁ ଟଙ୍କା ଫେରାଇବା ପାଇଁ କହିବାରୁ ସେ ୧ ଲକ୍ଷ ୭୦ ହଜାର ଟଙ୍କାର ଏକ ବ୍ୟାଙ୍କ ଚେକ୍‌(ନମ୍ବର-୦୦୦୦୧୮) ଦେଇଥିଲେ। କିନ୍ତୁ ଏକାଉଣ୍ଟରେ ଟଙ୍କା ନଥିବାରୁ ଚେକ୍‌ଟି ବାଉନ୍ସ ହୋଇ ଯାଇଥିଲା। ବଂଶୀଧରଙ୍କୁ ଏ ସଂପର୍କରେ ଜଣାଇବାରୁ ସେ ଜାନୁଆରି ୫ରେ ଏକ ଚୁକ୍ତି କରିବା ସହ ୧୦ ଲକ୍ଷ ଟଙ୍କାର ଆଉ ଏକ ଚେକ୍‌(ନମ୍ବର-୦୦୦୦୨୫) ଦେଇଛନ୍ତି। ଫେବ୍ରୁଆରି ୧୫ ତାରିଖ (ଆଜି)ର ଏହି ଚେକ୍‌ ବ୍ୟାଙ୍କରେ ଜମା ଦେବା ପୂର୍ବରୁ ବଂଶୀଧର ଏମିତି ମିଛ ଅଭିଯୋଗ ଆଣି ତାଙ୍କୁ ଫସାଇବାକୁ ଚେଷ୍ଟା କରିଥିବା ସୁଶୀଲ କହିଛନ୍ତି। ଏହା ବିରୋଧରେ ସେ ବଂଶୀଧରଙ୍କ ବିରୋଧରେ ଚେକ୍‌ ବାଉନ୍ସ ନେଇ ମାମଲା ଦାୟର କରିବେ‌ ବୋଲି କହିଛନ୍ତି। ଏଥିସହ ତାଙ୍କୁ ଗିରଫ କରିଥିବା ଅନୁଗୁଳ ପୁଲିସ ବିରୋଧରେ ମାନହାନି ମାମଲା କରିବେ ବୋଲି ସୂଚନା ଦେଇଛନ୍ତି।

ସୁଶୀଲଙ୍କ ବିରୋଧରେ ପୂର୍ବରୁ କଂଗ୍ରେସ ନେତା ପ୍ରଦୀପ ମାଝୀ କରିଥିବା ଅଭିଯୋଗକୁ ମଧ୍ୟ ସୁଶୀଲ ଏହି ଅବସରରେ ଖଣ୍ଡନ କରିଛନ୍ତି। ତାଙ୍କ ନାମରେ ୭୦୦ ଏକର ଜମି ଥିବା ଶ୍ରୀ ମାଝୀ ଅଭିଯୋଗ କରିଥିଲେ। କିନ୍ତୁ ତାଙ୍କର ୭୦ ଏକର ଜାଗା ଥିବାର ପ୍ରମାଣ ମିଳିଲେ ସେ ଏହାକୁ ସରକାରଙ୍କୁ ଦେଇଦେବେ ବୋଲି କହିଛନ୍ତି। ସେହିପରି ଆଇଏଏସ୍‌ ଅଧିକାରୀଙ୍କ ସହ ସଂପର୍କକୁ ନେଇ ମଧ୍ୟ ସେ ମୁହଁ ଖୋଲିଛନ୍ତି। ଜଣେ ଆଇଏଏସ୍‌ ଅଧିକାରୀ ତାଙ୍କର ଦୂର ସଂପର୍କୀୟ ଅଟନ୍ତି। ତେବେ ତାଙ୍କ ସହ କୌଣସି ସିଧାସଳଖ ସଂପର୍କ ନାହିଁ। ତେଣୁ ଆଇଏଏସ୍‌ ଅଧିକାରୀଙ୍କ ସହ ତାଙ୍କୁ ଯୋଡ଼ିବା ଠିକ୍‌ ନୁହେଁ ବୋଲି ସୁଶୀଲ କହିଛନ୍ତି।

ସୂଚନାଯୋଗ୍ୟ, ବାଗେଡିଆର ଶିକ୍ଷକ ବଂଶୀଧର ଦେହୁରୀ ଅନୁଗୁଳ ସଦର ଥାନାରେ କରିଥିବା ଅଭିଯୋଗ ଆଧାରରେ ପୁଲିସ ଗତକାଲି ସୁଶୀଲଙ୍କୁ ଗିରଫ କରିଥିଲା। ପରେ ସେ ଅଦାଲତରୁ ଜାମିନ୍‌ରେ ମୁକୁଳିଥିଲେ। ବଂଶୀଧର ଅଭିଯୋଗ କରିଥିଲେ ଯେ ସେ ସୁଶୀଲଙ୍କ ପାଖରୁ ୫ ଲକ୍ଷ ଟଙ୍କା ସୁଧରେ ଆଣିଥିଲେ। କିନ୍ତୁ ଏହା ଭିତରେ ପାଖାପାଖି ୨୫ ଲକ୍ଷ ଟଙ୍କା ସୁଝି ସାରିଲେଣି। ତଥାପି ସୁଶୀଲ ତାଙ୍କୁ ଟଙ୍କା ମାଗୁଛନ୍ତି।

ସମ୍ବନ୍ଧିତ ଖବର