ତାରକସି କଟକର ସର୍ବପୁରାତନ ତଥା ପାରମ୍ପରିକ ପରିଚୟ। ଏହି ବିଶ୍ବପ୍ରସିଦ୍ଧ ରୁପା କମକୁଟକରା ସୂକ୍ଷ୍ମ କାରୁକାର୍ଯ୍ୟ ଦଶହରାରେ ଦେବୀଙ୍କ ମୁକୁଟ, ଆଭୂଷଣଠାରୁ ଆରମ୍ଭ କରି ତୋରଣ, ପାର୍ଶ୍ବ ଦେବଦେବୀଙ୍କ ଅଳଙ୍କାର ନିର୍ମାଣରେ ସ୍ବତନ୍ତ୍ରତା ରଖିଥାଏ। ଏଥିସହ ବିଭିନ୍ନ ଗହଣା ଓ ସୌଖୀନ ଘରସଜ୍ଜା ସାମଗ୍ରୀ ପର୍ଯ୍ୟନ୍ତ ସବୁଜାଗା ଦଖଲ କରେ ତାରକସିରେ ପ୍ରସ୍ତୁତ ସୂକ୍ଷ୍ମ କଳାକୃତି। ବ୍ରିଟିସ ଲାଇବ୍ରେରିରେ ୨୦୦ ବର୍ଷ ପୂର୍ବରୁ ତାରକସି କାମର ଫଟୋ ରହିଥିବା ବେଳେ ଏହି ଉଚ୍ଚକୁଶଳୀ ହସ୍ତଶିଳ୍ପ ୧୫୦୦ ଶତାବ୍ଦୀରୁ ମୋଗଲମାନଙ୍କ କାଳରୁ ଆରମ୍ଭ ହୋଇଥିଲା। ପାରମ୍ପରିକ ଭାବରେ ଓଡ଼ିଶାର ପୂର୍ବ କୂଳରେ ସ୍ଥାନୀୟ କାରିଗରମାନେ ଏହି ହସ୍ତକଳାକୁ ସେମାନଙ୍କ ବଂଶ ପରମ୍ପରା ଭାବେ ମାନି ଆସିଛନ୍ତି। ହସ୍ତଶିଳ୍ପୀମାନେ ୯୦ ପ୍ରତିଶତ କିମ୍ବା ଅଧିକ ଶୁଦ୍ଧ ରୁପାର ମିଶ୍ରଣ ସହିତ କାମ କରନ୍ତି। ପ୍ରଥମେ ରୁପାକୁ ଏକ ଛୋଟ ମାଟିପାତ୍ରରେ ରଖି ତରଳା ଯାଏ ଏବଂ ପରେ ଦୁଇଟି ଗରମ କୋଇଲା ଭର୍ତ୍ତି ବାଲ୍ତିରେ ରଖାଯାଏ। ଏକ ବେଲ୍ ମାଧ୍ୟମରେ ଏହାର ତାପମାତ୍ରା ନିୟନ୍ତ୍ରିତ ହୋଇଥାଏ ଯାହା ଗୋଟେ କ୍ରାଙ୍କ୍ ଦ୍ୱାରା ପରିଚାଳିତ।
ରୁପା ତରଳିବାକୁ ପ୍ରାୟ ଦଶ ମିନିଟ୍ ନେଇଥାଏ ଏବଂ ତା’ପରେ ରୁପାକୁ ଏକ ଛୋଟ, ବାଡ଼ି ପରି ଛାଞ୍ଚରେ ଢାଳି ବାଡ଼ିକୁ ପାଣିରେ ବୁଡ଼ାଇ ଥଣ୍ଡା କରାଯାଏ। ଥଣ୍ଡା ହେବାପୂର୍ବରୁ ତାହାକୁ ଛୋଟ ତାରରେ ପରିଣତ କରାଯାଏ। ପରେ ତାରଗୁଡ଼ିକୁ ଏକତ୍ର ବାନ୍ଧି ଚିମୁଟା ଓ କତୁରୀ ସାହାଯ୍ୟରେ ମୋଡ଼ି-କାଟି କାରିଗର ଆଙ୍ଗୁଠି ଦ୍ୱାରା ଏକ ଡିଜାଇନ ପ୍ରସ୍ତୁତ କରେ। ଉକ୍ତ ଖଣ୍ଡକୁ ବୋରାକ୍ସ ପାଉଡର ଓ ଜଳର ମିଶ୍ରଣରେ ଝଳେଇ କରି ପାଉଡର୍ ସିଞ୍ଚି, ନିଆଁ ତଳେ ରଖି ଝଳେଇ କରାଯାଏ। ଏହାଦ୍ବାରା ଡିଜାଇନ୍ଟି ଅକ୍ଷୁଣ୍ଣ ରହେ। ଏହାପରେ ସେହି ଉଷ୍ମ ଖଣ୍ଡକୁ ନେଇ ବିଭିନ୍ନ ଅଳଙ୍କାର ତିଆରି ହୁଏ। ସ୍ଥାୟୀ ଉଜ୍ଜ୍ୱଳ ରୂପ ଦେବା ପାଇଁ ଅଳଙ୍କାରରେ ପ୍ଲାଟିନମ୍ ପଲିସିଂ କରାଯାଏ। କାରଣ ଏହା ରୁପା, ପିତ୍ତଳ କିମ୍ବା ଅନ୍ୟାନ୍ୟ ସାମଗ୍ରୀର ମିଶ୍ରଣ ଉପରେ ଆକର୍ଷଣୀୟ ପ୍ରଭାବ ପକାଇଥାଏ। ଏହି ପ୍ରକ୍ରିୟା ପାଇଁ ସେତେବେଳେ ବହୁ ଶାରୀରିକ ପରିଶ୍ରମ କରିବାକୁ ପଡ଼ୁଥିଲା। ଉକ୍ତ କ୍ରାଙ୍କକୁ ହାତରେ ବୁଲାଯାଉଥିଲା ଏବଂ ଏହାକୁ ବୁଲାଇବା ପାଇଁ ଦୁଇ ଜଣ ଲୋକଙ୍କ ସହାୟତା ଦରକାର ପଡୁଥିଲା। କିନ୍ତୁ ଏବେ ମେସିନର ବ୍ୟବହାର ସହିତ ପାରମ୍ପରିକ ଶୈଳୀ ମଧ୍ୟ ଆପଣାଯାଉଛି। ମହିଳାମାନେ ବି ଏହି କାରିଗରିରେ ଭାଗ ନିଅନ୍ତି। ତେବେ ବର୍ତ୍ତମାନ ଲୋକଙ୍କ ଚାହିଦା ଦୃଷ୍ଟିରୁ ଅଧିକ ପଲିସିଂ ଏବଂ ବିଶୋଧିତ କଳାକୃତି ପାଇଁ ନୂତନ ପଦ୍ଧତି ଓ ବିଭିନ୍ନ ପରୀକ୍ଷଣ କରାଯାଉଛି। ଏବେ ଅକ୍ସିଡାଇଜ୍ଡ୍ ସିଲ୍ଭରରେ ଅନେକ ଅଳଙ୍କାର ତିଆରି ହେଲାଣି। ବର୍ତ୍ତମାନର ଯୁବପିଢ଼ି ଏହି ଅଳଙ୍କାରକୁ ଖୁବ୍ ପସନ୍ଦ ମଧ୍ୟ କରୁଛନ୍ତି ବୋଲି କୁହନ୍ତି କଟକର ଜଣାଶୁଣା ତାରକସି କାରିଗର ତଥା ରାଷ୍ଟ୍ରପତି ପୁରସ୍କାରପ୍ରାପ୍ତ ହସ୍ତଶିଳ୍ପୀ ପଙ୍କଜ ସାହୁ।
ପ୍ରଜ୍ଞା ନିବେଦିତା ନାୟକ
ଓଡ଼ିଶୀ ଓ ତାରକସି
ଓଡ଼ିଶାରୁ ଉତ୍ପନ୍ନ ଭାରତର ଶାସ୍ତ୍ରୀୟ ନୃତ୍ୟ ହେଉଛି ଓଡ଼ିଶୀ। ଓଡ଼ିଶୀ ନୃତ୍ୟରେ ପିନ୍ଧାଯାଉଥିବା ଅଳଙ୍କାରଗୁଡ଼ିକ ତାରକସି ନିର୍ମିତ। ଏହି ଅଳଙ୍କାରଗୁଡ଼ିକୁ ନୃତ୍ୟଶିଳ୍ପୀମାନେ ମୁଣ୍ଡ, କାନ, ବେକ, ହାତ, ଆଙ୍ଗୁଠି, ଅଣ୍ଟା ଓ ପାଦରେ ପିନ୍ଧିଥାନ୍ତି। ଅଳଙ୍କାରରେ ଟିକା, ମଥାପଟ୍ଟି, ‘ମୁଣ୍ଡକଣ୍ଟା’(କେଶରେ ଲଗାଯାଉଥିବା ଅଳଙ୍କାର), ପୁଷ୍ପଚୂଡ଼ା, ଟାହିଆ, ଗଭା, ଚିକ, ‘ପାଦାକା-ତିଲାକା’(ଏକ ଲମ୍ବା ହାର), ‘ବାହିଚୁଡ଼ି’ କିମ୍ବା ‘ତାଇକା’(ବାଜୁବନ୍ଧ), ଚୁଡ଼ି, ‘କାପା’(କାନଫୁଲ), ‘ବେଙ୍ଗପାଟିଆ’(ବେଲ୍ଟ), ପାଉଁଜି, ଘୁଙ୍ଗୁର ଆଦି ଅନ୍ତର୍ଭୁକ୍ତ। ଏହି ଅଳଙ୍କାରଗୁଡ଼ିକ ଓଡ଼ିଶୀ ଓ ତାରକସିକୁ ଏକ ସ୍ବତନ୍ତ୍ର ମାନ୍ୟତା ଦେଇଛି।
କଟକ ଦୁର୍ଗାପୂଜା ଓ ତାରକସି
କଟକ ଦୁର୍ଗାପୂଜା ବିଶ୍ବପ୍ରସିଦ୍ଧ। ପ୍ରତିବର୍ଷ ତାରକସି ଅଳଙ୍କାର ଦେବୀଙ୍କ ମୂର୍ତ୍ତିକୁ ସଜାଇବା ପାଇଁ ବ୍ୟବହାର ହୁଏ ଏବଂ ଏଥିରେ ଦେବୀ ଅପରୂପା ଓ ଜୀବନ୍ତ ଲାଗନ୍ତି। ଚାନ୍ଦିନୀଚୌକ ଦୁର୍ଗାଙ୍କର ସମ୍ପୂର୍ଣ୍ଣ ମୁକୁଟ ସୁନାରେ ଏବଂ ବାକି ଅଳଙ୍କାର ତଥା ପାର୍ଶ୍ବ ଦେବଦେବୀଙ୍କ ଅଳଙ୍କାର, ମୁକୁଟ ସହ ପେଣ୍ଡାଲରେ ଲାଗିଥିବା ଅନ୍ୟାନ୍ୟ ସାମଗ୍ରୀ ସଂପୂର୍ଣ୍ଣ ରୁପାରେ ତିଆରି ହୋଇଥିବାରୁ ଏହା ଚାନ୍ଦିମେଢ଼ ନାମରେ ଜଣାଶୁଣା। ସେହିପରି ଖାନ୍ନଗର, ଚାଉଳିଆଗଞ୍ଜ, ଆଲାମଚାନ୍ଦବଜାର, ଶେଖ୍ବଜାର, ଶିଖରପୁର ଆଦି ମଣ୍ଡପରେ ମାଆଙ୍କର ଚାନ୍ଦିମେଢ଼ ଶୋଭାପାଏ। ବର୍ତ୍ତମାନ ଚାନ୍ଦି ସହ କେତେକ ମେଢ଼ରେ ସୁନା, କାଚ ଓ ପିତ୍ତଳର ବ୍ୟବହାର ହେଉଛି। ତାରକସି ବ୍ୟବହାର କରୁଥିବା ଅନ୍ୟ ମଣ୍ଡପଗୁଡ଼ିକ ହେଉଛି ରାଣୀହାଟ, ଚୌଧୁରୀବଜାର, ମଙ୍ଗଳାବାଗ, ବକ୍ସିବଜାର, ବାଙ୍କାବଜାର, ବାଲୁବଜାର, ବିଡ଼ାନାସୀ ଇତ୍ୟାଦି।
ନୂତନ-ପୁରାତନ ଅଳଙ୍କାର
ତାରକସି ଅଳଙ୍କାରଗୁଡ଼ିକ ଢାଞ୍ଚାଗତ ଭାବେ ବେଶି ସମୃଦ୍ଧ। ଭାରୀ ତଥା ସୁନ୍ଦର ଆକୃତିର ଗହଣାରେ ମୂଲ୍ୟବାନ ପଥରର ମିଶ୍ରଣକୁ ଓଡ଼ିଶାରେ ଅଧିକ ପସନ୍ଦ କରାଯାଏ। ବେଲା-କାଣ୍ଟା, ସିନ୍ଦୂର ଫରୁଆ, ଶଙ୍ଖା, ହାର, ଚାବିଗୁନ୍ଥା, ହାତମୁଦି, ଲକେଟ, କାନଫୁଲ, ମୁଣ୍ଡକଣ୍ଟା, ଗୋଡ଼ମୁଦିର ବହୁତ ଚାହିଦା ଅଛି। ତେବେ ଓଡ଼ିଆ ବାହାଘରରେ ରୁପା ସିନ୍ଦୂର ଫରୁଆ ଏକ ମୁଖ୍ୟ ଜିନିଷ। ଏହାକୁ ଶୁଭ ବୋଲି ମାନନ୍ତି। ଖାଲି ସେତିକି ନୁହେଁ ପାଉଁଜି, ଝୁଣ୍ଟିଆ ଓ ଗୋଡ଼ମୁଦି ବିନା ଓଡ଼ିଆ ବିବାହ ଅସମ୍ପୂର୍ଣ୍ଣ। ଆଗରୁ ତାରକସି ନିର୍ମିତ ଅଣ୍ଟାହାର ବା ଅଣ୍ଟାବିଛା ବିବାହରେ ପାରମ୍ପରିକ ଭାବରେ ବ୍ୟବହୃତ ହେଉଥିଲା। ହେଲେ ଓଡ଼ିଶୀ ନୃତ୍ୟ ଛଡ଼ା ଏବେ ଏହାର ବ୍ୟବହାର ପ୍ରାୟତଃ ହେଉନାହିଁ। ବର୍ତ୍ତମାନ ବଜାର ଚାହିଦା ଅନୁସାରେ ଅକ୍ସିଡାଇଜ୍ଡ୍ ଅଳଙ୍କାରରେ ମୁଦି, ଚୁଡ଼ି, କାନଫୁଲ, ହାତବଳା, ପାଉଁଜି, ହାର ଆଦି ତିଆରି ହେଉଛି। ହାଲୁକା ଓ ପକେଟକୁ ସୁହାଉଥିବାରୁ ଯୁବପିଢ଼ିଙ୍କୁ ଖୁବ୍ ପସନ୍ଦ ଆସୁଛି ଏହି ଗହଣା।