ରାଉରକେଲା/ସୁନ୍ଦରଗଡ଼: ବିଜେପି ମହିଳା ମୋର୍ଚ୍ଚା ଓ ଆଦିବାସୀ ମୋର୍ଚ୍ଚା ଦ୍ବାରା ଆହୂତ ୧୨ ଘଣ୍ଟିଆ ସୁନ୍ଦରଗଡ଼ ଜିଲ୍ଲା ବନ୍ଦ ପାଳନ ଆଜି ବେଶ୍ ପ୍ରଭାବି ରହିଥିଲା। ଆଜି ସକାଳ ୬ଟାରୁ ଦଳୀୟ କର୍ମକର୍ତ୍ତା ରାସ୍ତାକୁ ଓହ୍ଲାଇ ସହକାରୀ ଜିଲ୍ଲାପାଳ ସୁସ୍ମିତା ମିଞ୍ଜ ଓ ଏଏସ୍ଆଇ ଏଲିଶ ନାରମି ଲୁଗୁନଙ୍କ ରହସ୍ୟଜନକ ମୃତ୍ୟୁ ଉପରୁ ପର୍ଦ୍ଦାଫାସ ପାଇଁ ସିବିଆଇ ତଦନ୍ତ ଦାବି କରିଥିଲେ। ଦୋକାନବଜାର ସବୁ ବନ୍ଦ ରହିଥିବାବେଳେ ଗାଡ଼ି ଚଳାଚଳ ମଧ୍ୟ ଏକ ପ୍ରକାର ଠପ୍ ହୋଇଯାଇଥିଲା।
ଦଳୀୟ କର୍ମୀ ସହରର ପ୍ରମୁଖ ଅଞ୍ଚଳରେ ବାଇକ୍ରେ ବୁଲିବୁଲି ବନ୍ଦକୁ ତଦାରଖ କରିଥିଲେ। ବନ୍ଦବେଳେ ବିଭିନ୍ନ ସରକାରୀ ବେସରକାରୀ କାର୍ଯ୍ୟାଳୟ, ବ୍ୟାଙ୍କ, ବ୍ୟାବସାୟିକ ପ୍ରତିଷ୍ଠାନ, ସ୍କୁଲ, କଲେଜ ଓ ମାର୍କେଟ୍ କମ୍ପ୍ଲେକ୍ସ ବନ୍ଦ ରହିଥିଲା। ଯେଉଁଠି କିଛି ଦୋକାନ ଖୋଲା ରହିଥିଲା, ତାକୁ ନିବେଦନ କରି ବନ୍ଦ କରାଯାଇଥିଲା। ଏହାସହ ବାସନ୍ତୀକଲୋନି, ଏସ୍ଟିଆଇ ଛକ, ପାନପୋଷ ଛକରେ ଟାୟାର ଜାଳି ରାସ୍ତା ଅବରୋଧ କରାଯାଇଥିଲା। ସହରର ମୁଖ୍ୟ ରାସ୍ତାରେ ବିଶାଳ ଶୋଭାଯାତ୍ରା କରିଥିଲେ ଦଳୀୟ କର୍ମକର୍ତ୍ତା।
ରାଜ୍ୟ ସରକାର ଆଦିବାସୀ ବିରୋଧୀ। ଜଣେ ପରେ ଜଣେ ଆଦିବାସୀ ମହିଳା ଅଧିକାରୀଙ୍କୁ ହତ୍ୟା କରାଯାଉଥିବାବେଳେ ସେମାନଙ୍କୁ ନ୍ୟାୟ ଦେବାକୁ ପ୍ରଶାସନ ପଛଘୁଞ୍ଚା ଦେଉଛି। ଏମିତିକି ମୃତକଙ୍କ ପରିବାରଙ୍କ ଏତଲା ବି ରଖାଯାଉନି। ସମଗ୍ର ଘଟଣାରେ ପୁଲିସ କାର୍ଯ୍ୟାନୁଷ୍ଠାନ ସନ୍ଦେହ ଘେରରେ। ଏଣୁ ଯଥାଶୀଘ୍ର ଉଭୟ ମାମଲା ସିବିଆଇକୁ ହସ୍ତାନ୍ତର କରିବାକୁ ଦାବି କରିଥିଲେ। ସେହିଭଳି ସୁନ୍ଦରଗଡ଼ ସହରରେ ବିଜେପି ମହିଳା ମୋର୍ଚ୍ଚା ଓ ଦଳର କର୍ମକର୍ତ୍ତା ପିକେଟିଂ କରି ଛୋଟ ବଡ଼ ଦୋକାନଗୁଡ଼ିକୁ ବନ୍ଦ କରିଥିଲେ। ତେବେ ଜରୁରୀକାଳୀନ ସେବାକୁ ବନ୍ଦରୁ ବାଦ୍ ଦିଆଯାଇଥିଲା। ରାଉରକଲୋ, ସୁନ୍ଦରଗଡ଼ ସହର ସମେତ ସମସ୍ତ ୧୭ଟି ଯାକ ବ୍ଲକ ଅଞ୍ଚଳରେ ବନ୍ଦ ଶାନ୍ତିପୂର୍ଣ୍ଣ ରହିଥିଲା। ବନ୍ଦ ଯୋଗୁ ଜିଲ୍ଲା ଦେଇ ଯାଇଥିବା ଜାତୀୟ ରାଜପଥ, ବିଜୁ ଏକ୍ସପ୍ରେସ୍ ୱେର ଉଭୟ ପାର୍ଶ୍ବରେ ଶତାଧିକ ସଂଖ୍ୟକ ଭାରୀଯାନ ଅଟକି ରହିଥିଲା।