ଆସିକା: ଗଞ୍ଜାମ ଜିଲ୍ଲା ଆସିକା ସହରରେ ୨୦୦୮ ମସିହା ଜୁଲାଇ ୧୦ ତାରିଖ ସକାଳେ ବିଜେଡି ନେତା ସୁରେନ୍ଦ୍ର ମହାନ୍ତି ଓରଫ୍ ସୁରି ମହାନ୍ତିଙ୍କୁ ତାଙ୍କ ଘର ସମ୍ମୁଖରେ ଅତି ନିକଟରୁ ଗୁଳି କରି ହତ୍ୟା କରାଯାଇଥିଲା। ଖବରକାଗଜ ପଢ଼ୁଥିବା ବେଳେ ଦୁର୍ବୃତ୍ତମାନେ ପହଞ୍ଚି ତାଙ୍କୁ ହତ୍ୟା କରିଥିଲେ। ଏହି ଘଟଣା ସମଗ୍ର ଓଡ଼ିଶାରେ ଆଲୋଡ଼ନ ସୃଷ୍ଟି କରିଥିଲା। ଆଜି ଆସିକା ଅତିରିକ୍ତ ଜିଲ୍ଲା ଓ ଦୌରାଜଜ୍ଙ୍କ ଅଦାଲତରେ ମାମଲାର ଚୂଡ଼ାନ୍ତ ରାୟ ପ୍ରକାଶ ପାଇଛି। ବିଚାରପତି ଚୌଧୁରୀ ପ୍ରବୀର କୁମାର ସମସ୍ତ ସାକ୍ଷ୍ୟ ଓ ପ୍ରମାଣକୁ ଭିତ୍ତି କରି ୭ ଜଣଙ୍କ ମଧ୍ୟରୁ ୨ ଜଣ ମୁଖ୍ୟ ଅଭିଯୁକ୍ତ ବିକ୍ରମ ମଳିକ ଓ ସୁଶୀଲ ବେହେରାକୁ ଦୋଷୀ ସାବ୍ୟସ୍ତ କରିଛନ୍ତି। ଆଉ ଉଭୟଙ୍କୁ ଆଜୀବନ ଜେଲ୍ ଦଣ୍ଡାଦେଶ ଶୁଣାଇଛନ୍ତି। ବିକ୍ରମ ଓ ସୁଶୀଲକୁ ଭାରତୀୟ ପିଙ୍ଗଳ କୋଡ଼୍ର ଧାରା ୩୦୨ ଅନୁସାରେ ଆଜୀବନ ଦଣ୍ଡାଦେଶ ଦିଆଯାଇଛି। ଏହାସହ ଆର୍ମସ୍ ଆକ୍ଟ୍ର ଧାରା ୨୫ ପାଞ୍ଚବର୍ଷ ଓ ଧାରା ୨୭ରେ ସାତବର୍ଷ ଜେଲ୍ ଦଣ୍ଡ ଭୋଗିବାକୁ ହେବ ବୋଲି ଚୂଡ଼ାନ୍ତ ରାୟରେ ଦର୍ଶାଯାଇଛି।
ମାମଲାର ମୋଟ ୮ ଜଣ ଅଭିଯୁକ୍ତଙ୍କ ମଧ୍ୟରୁ ଅନ୍ୟତମ ବୁଢ଼ା ବିଷୋୟୀ ହତ୍ୟାର ଶିକାର ହୋଇସାରିଛି। ଅନ୍ୟ ୫ ଜଣ ତଥା ବସନ୍ତ ମହାନ୍ତି, ଲମ୍ବୁ ତାରିଣୀ, କୁତୁଲି ନାୟକ, ଭଗବାନ ସାହୁ ଓ ଶଙ୍କର ମହାନ୍ତିଙ୍କୁ ପ୍ରମାଣ ଅଭାବରୁ ନିର୍ଦ୍ଦୋଷରେ ଖଲାସ କରାଯାଇଛି। ଆଜି ଦୁଇ ମୁଖ୍ୟ ଅଭିଯୁକ୍ତ କୋର୍ଟରେ ହାଜର ହୋଇଥିଲେ। ଆସିକା ପୁଲିସ କେସ୍ ନମ୍ବର ୧୭୬/୦୮ରେ ଆଠଜଣଙ୍କ ନାମରେ ଚାର୍ଜସିଟ୍ ଦାଖଲ କରିଥିଲା। ଅତିରିକ୍ତ ଜିଲ୍ଲା ଓ ଦୌରାଜଜ୍ଙ୍କ କୋର୍ଟରେ (ଏସ୍ଟି ନମ୍ବର ୩୬/୧୩, ୪୧/୧୩) ମାମଲାର ବିଚାରଣା ଚାଲିଥିଲା। ତେବେ ଅଭିଯୁକ୍ତ ବୁଢ଼ା ବିଷୋୟୀକୁ କିଛି ବର୍ଷ ତଳେ ନିର୍ମମ ଭାବେ ହତ୍ୟା କରାଯାଇଥିବା ବେଳେ ବାକି ୭ ଜଣଙ୍କ ନାମରେ ମାମଲା ରହିଥିଲା। ମୋଟ ୨୩ ଜଣ ସାକ୍ଷୀଙ୍କ ମଧ୍ୟରୁ ୨୦ ଜଣଙ୍କ ସାକ୍ଷ୍ୟ ଗ୍ରହଣ କରାଯାଇଥିଲା। ଅନ୍ୟ ତିନିଜଣ ନିୟମିତ ଅନୁପସ୍ଥିତ ରହିଥିବାରୁ ସେମାନଙ୍କୁ ବାଦ୍ ଦିଆଯାଇଛି। ସରକାରଙ୍କ ପକ୍ଷରୁ ସୁଧାଂଶୁ କୁମାର ପଣ୍ଡା ଓ ଜି.ସୂର୍ଯ୍ୟ ପ୍ରକାଶ ରାଓ ମକଦ୍ଦମା ପରିଚାଳନା କରିଥିଲେ। ।