ଜାତୀୟ ନେତା ହେବା ପାଇଁ ଓଡ଼ିଶା ପ୍ରତି ନବୀନ କେବେ ନିଜର ସମର୍ପଣ କମ କରିନାହାନ୍ତି: ବିଜେପି ନେତା ସୁଶୀଲ ମୋଦୀ

ପାଟନା: ଓଡିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ପ୍ରଶଂସା କରିଛନ୍ତି ରାଜ୍ୟସଭା ସାଂସଦ ତଥା ବିଜେପି ନେତା ସୁଶୀଲ କୁମାର ମୋଦୀ | ନବୀନ-ନୀତୀଶଙ୍କ ଭେଟଘାଟକୁ ନେଇ ସୁଶୀଲ ରବିବାର କହିଛନ୍ତି ଯେ ନିଜ ଶକ୍ତିରେ ନିରନ୍ତର ମୁଖ୍ୟମନ୍ତ୍ରୀ ରହିଆସିଥିବା ନବୀନ ପଟ୍ଟନାୟକ କେବେ ବି ବିରୋଧୀଙ୍କ ମହାମେଣ୍ଟ ଅଭିଯାନରେ ଯୋଗ ଦେଇ ନାହାଁନ୍ତି କିମ୍ବା ଜାତୀୟ ନେତା ହେବା ପାଇଁ ଓଡ଼ିଶା ପ୍ରତି ନିଜର ସମର୍ପଣ କମ କରିନାହାନ୍ତି | ତେଣୁ ନବୀନଙ୍କୁ ନୀତୀଶ ଭେଟିଲେ ବି କୌଣସି ପ୍ରଭାବ ପଡ଼ିବ ନାହିଁ | ସୁଶୀଲ କହିଛନ୍ତି ଯେ ବିଜେପି ଏବଂ କଂଗ୍ରେସଠାରୁ ସମଦୂରତ୍ବ ବଜାୟ ରଖୁଥିବା ନବୀନ ପଟ୍ଟନାୟକଙ୍କୁ ବିଜେପି ବିରୋଧୀ ଅଭିଯାନରେ ସାମିଲ କରିବା ପାଇଁ ଶରଦ ପାୱାର ଏବଂ ମମତା ବାନାର୍ଜୀଙ୍କ ଉଦ୍ୟମ ଯେତେବେଳେ ସଫଳ ହୋଇନାହିଁ, ସେତେବେଳେ ନୀତୀଶ କୁମାର ମଧ୍ୟ ଚେଷ୍ଟା କରି ଦେଖନ୍ତୁ |

ମମତା ବାନାର୍ଜୀ ପୂର୍ବରୁ ନବୀନ ପଟ୍ଟନାୟକଙ୍କୁ ଭେଟି ସାରିଛନ୍ତି। ସୁଶୀଲ କୁମାର ମୋଦୀ କହିଛନ୍ତି ଯେ ଜାତୀୟ ରାଜନୀତିରେ ବିରୋଧୀଦଳର ନେତା ହେବାକୁ ଶରଦ ପାୱାର, ମମତା ବାନାର୍ଜୀ ଏବଂ ନୀତୀଶ କୁମାର ଅପେକ୍ଷା କରି ଅଛନ୍ତି । ତେବେ ନିଜ ରାଜ୍ୟରେ ନୀତୀଶଙ୍କ ସେଭଳି ଜନସମର୍ଥନ ନାହିଁ | ଯଦି ବିରୋଧୀଙ୍କୁ ଏକାଠି କରିବାକୁ ନୀତୀଶ ଲାଗିଛନ୍ତି ତେବେ ବିହାର ସରକାରଙ୍କ ଅର୍ଥ ବ୍ୟବହାର ନ କରି ମହାମେଣ୍ଟର ପାଣ୍ଠିରୁ ବିମାନ ଖର୍ଚ୍ଚର ବ୍ୟବସ୍ଥା କରିବା ଉଚିତ୍।

ଉଲ୍ଲେଖ ଥାଉ କି ଦେଶର ସମସ୍ତ ଅଣ ବିଜେପି ଦଳକୁ ଏକାଠି କରି ବିରୋଧୀଙ୍କ ମହାମେଣ୍ଟ ଗଠନ କରିବା ଉଦ୍ୟମରେ ଥିବା ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଆସନ୍ତା ୯ ତାରିଖରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିବେ। ମିଳିଥିବା ସୂଚନା ଅନୁଯାୟୀ, ନୀତୀଶ କୁମାର ୯ତାରିଖ ମଧ୍ୟାହ୍ନରେ ଭୁବନେଶ୍ବରରେ ପହଞ୍ଚିବା ପରେ ସିଧା ନବୀନ ନିବାସକୁ ଯିବେ। ସେଠାରେ ମଧ୍ୟାହ୍ନ ଭୋଜନ କରିବା ସହ ନବୀନଙ୍କ ସହ ପ୍ରାୟ ଦୁଇ ଘଣ୍ଟାର ଆଲୋଚନା କାର୍ଯ୍ୟକ୍ରମ ରହିଛି। ସୂଚନାଯୋଗ୍ୟ ଯେ ନୀତୀଶ କୁମାର ଏହା ପୂର୍ବରୁ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ, ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ପ୍ରମୁଖଙ୍କୁ ଭେଟିଥିଲେ।

ସମ୍ବନ୍ଧିତ ଖବର